Unknown

 

 

 

 

 

 

 

 

 

 

 

 

ରାଜକୁମାରୀ

ଶ୍ରୀ କିଶୋର ଚନ୍ଦ୍ର ଦାସ

 

(ଏକ)

 

ଆଷାଢ଼ ମାସ । ଅବିରାମ ଧାରାରେ ବୃଷ୍ଟି ହେଉଛି । ଚପଳାର ଚମକ, ବାତ୍ୟାର ସ୍ରୋତ । ଘଡ଼ଘଡ଼ିର ସିଂହ ଗର୍ଜନ ଦିଗ ବିଦିଗ ପ୍ରକମ୍ପିତ କରୁଚି । ପ୍ରକୃତିର ଏହି ବିଭୀଷିକା ପ୍ରତି ଭ୍ରୂକ୍ଷେପ ନକରି ପୂର୍ଣ୍ଣ ବେଗରେ ‘ପୁରୀ ଏକ୍‌ସପ୍ରେସ’ ଚାଲିଚି ତାର ଗନ୍ତବ୍ୟ ପଥରେ ।

 

ସେଦିନ ସେହି ସେକେଣ୍ଡ କ୍ଲାସ ଡବାଟିରେ ବେଶୀ ଲୋକ ନଥିଲେ–ଛ’ଜଣ ମାତ୍ର । କଟକ ଷ୍ଟେସନରେ ଚାରିଜଣ ଓହ୍ଲାଇଗଲେ ବାକି ରହିଲେ ଦୁଇଜଣ ଯୁବକ ଓ ଯୁବତୀ ।

 

ଯୁବକ ହେଉଚନ୍ତି ଦେଶସେବୀ ଦେବେନ୍ଦ୍ର କିଶୋର । ଦେବେନ୍ଦ୍ର ଉଚ୍ଚଶିକ୍ଷା ସମାପ୍ତ କରି ଦେଶସେବାରେ ନିଜକୁ ଉତ୍ସର୍ଗ କରିଛନ୍ତି । ତାଙ୍କର ଜଗତରେ ନିଜର କେହି ନାହିଁ । ଦେଶହିଁ ତାଙ୍କର ସବୁ । ତାଙ୍କର ଘର ନାହିଁ, ଜମି ନାହିଁ, ତଥାପି ଦେଶରେ ଅଛି ତାଙ୍କର ପ୍ରତିଷ୍ଠା–ଅଛି ତାଙ୍କର ସୁନାମ । ସାହିତ୍ୟ କ୍ଷେତ୍ରରେ ତାଙ୍କର ଆଦର କମ୍‍ ନୁହେଁ । ବଡ଼ ବଡ଼ ସଭା ସମିତିରେ ସେ ହୁଅନ୍ତି ଅଗ୍ରଣୀ ।

 

ଯୁବତୀଙ୍କର ବେଶଭୂଷାର ଅନୁମାନ, ସେ ବୋଧହୁଏ ଏକ ସମ୍ଭ୍ରାନ୍ତ ପରିବାରର କନ୍ୟା-। ଯୁବତୀର ବୟସ ପ୍ରାୟ ୧୮, ୧୯ ହେବ । ସାରା ଦେହଟିରେ ଉଛୁଳି ଉଠୁଛି ଯୌବନର ପୁନେଇ ଜୁଆର । ଯୌବନର କାଉଁରୀ ପରଶରେ ଦେହସାରା ଫୁଟି ଉଠୁଛି ସୌନ୍ଦର୍ଯ୍ୟର ଅପୂର୍ବ ସମ୍ଭାର । ତାଙ୍କର ଦୁଇ ଗଣ୍ଡ ମଣ୍ଡଳରେ ଉକୁଟି ଉଠୁଛି ଗୋଲାପର ରଙ୍ଗିନ ଛବି । ତାଙ୍କୁ ଦେଖିଲେ ମନେ ହୁଏ, ସୌନ୍ଦର୍ଯ୍ୟ ଉପବନର ସଜଫୁଟା ଗୋଲାପଟିଏ କିମ୍ବା ସ୍ୱପନ ପୁରୀର ରାଜକୁମାରୀ ସତେ ! କିନ୍ତୁ କେଉଁ ଏକ ଗଭୀର ବେଦନାରେ ତାଙ୍କର ସେହି ସୁନ୍ଦର ମୁହଁଟି ମଳିନ-ନିଷ୍ପ୍ରଭ-। ସେ ପ୍ରାୟ ସବୁବେଳେ କେଉଁ ଏକ ଗଭୀର ଚିନ୍ତାରେ ମଗ୍ନ । ସେ ବେଳେବେଳେ ଦୃଷ୍ଟିପାତ କରୁଥିଲେ ଦେବେନ୍ଦ୍ରଙ୍କଆଡ଼େ । ସେ ସନ୍ଦେହଭରା ଦୃଷ୍ଟି ଭିତରୁ ଫୁଟି ଉଠୁଥିଲା ଆଶଙ୍କା ଓ ଭୟର ଚିତ୍ର-। ଏପରି ହାବଭାବରୁ ଦେବେନ୍ଦ୍ରଙ୍କ ମନରେ ସ୍ୱତଃ କୌତୂହଳ ଉଦୟ ହେଲା । ସେ ଯୁବତୀଙ୍କି ଅନାଇ ସସମ୍ଭ୍ରମେ ପଚାରିଲେ–ଆପଣ କେତେଦୂର ଯିବେ ?

 

–ବାଲେଶ୍ୱରରେ ଓହ୍ଲାଇବି । ଧୀର ଓ ସଂଯତ ସୁରରେ ଯୁବତୀ ଉତ୍ତର ଦେଲେ ।

 

ପୁଣି ପ୍ରଶ୍ନ ହେଲା–ଆପଣଙ୍କ ଘର ବାଲେଶ୍ୱର ?

 

–ହଁ ।

 

ଏହି ଛୋଟ ଉତ୍ତରଟି ଶୁଣି ଦେବେନ୍ଦ୍ର କହିଲେ–ଆପଣ ଏତେ ସଙ୍କୋଚ କରୁଚନ୍ତି କାହିଁକି ? ମୁଁ ମଧ୍ୟ ବାଲେଶ୍ୱରରେ ଓହ୍ଲାଇବି । ଆପଣ ମନେ କରିବେ, ମୁଁ ଆପଣଙ୍କର ହିତାକାଂକ୍ଷୀ, ଆପଣଙ୍କର ନିଜର ଲୋକ । ଟିକେ ଆଶ୍ୱାସନା ପାଇଲେ, ଋଦ୍ଧ ବେଦନା ଉଛୁଳି ଉଠେ । ଦେବେନ୍ଦ୍ର କିଶୋରଙ୍କ ସହାନୁଭୂତିରେ ଯୁବତୀଙ୍କ ହୃଦୟ ତରଳିଗଲା । ସେ ନିଃସଙ୍କୋଚରେ କହିଲେ, ବାଲେଶ୍ୱରର ଜମିଦାର ଶଶଧର ଦାସଙ୍କୁ ଆପଣ ଜାଣିଥିବେ, ମୁଁ ତାଙ୍କର କନ୍ୟା ସୁରମା । ମୁଁ ଆଜି ବଡ଼ ଅସୁବିଧାରେ ପଡ଼ିଯାଇଛି । ବାପାଙ୍କ ସଙ୍ଗରେ ଯାଇଥିଲି ପୁରୀ ରଥଯାତ୍ରା ଦେଖି । ଗାଡ଼ିରେ ଉଠିଲାବେଳେ ଭୀଷଣ ଝଡ଼ ହେଲା ଗାଡ଼ି ଛାଡ଼ିଦେଲା, ବାପା ରହିଗଲେ ଷ୍ଟେସନରେ । ରାତିରେ ଗାଡ଼ି ଲାଗିବ ବାଲେଶ୍ୱରରେ । କିନ୍ତୁ–

 

ରାୟ ବାହାଦୂର ଶଶଧର ଦାସ ଓଡ଼ିଶାର ଜଣେ ଜଣାଶୁଣା ନେତୃସ୍ଥାନୀୟ ବ୍ୟକ୍ତି । ସେ ଥିଲେ ବ୍ରିଟିଶ ସରକାରଙ୍କ ହାତବାରିଶି । ମାରପେଞ୍ଚ ନୀତିରେ ଖୁବ ପାରଦର୍ଶୀ । ସେ ଏକ ବିଶାଳ ଜମିଦାରୀର ମାଲିକ । ନାନା କୌଶଳରେ ପ୍ରଜାମାନଙ୍କର ଧନ ଶୋଷଣ କରି ଲକ୍ଷ ଲକ୍ଷ ଟଙ୍କା ଜମା କରିଛନ୍ତି । ବ୍ରିଟିଶ ସରକାର ଚାଲିଯିବା ପରେ କଂଗ୍ରେସ ସରକାର ସହିତ ମିଶି, ମନ୍ତ୍ରୀମାନଙ୍କ ସରତ ଦୋସ୍ତି ବନାଇ, ସେ ବର୍ତ୍ତମାନ କଂଗ୍ରେସର ଜଣେ ବଡ଼ ପଣ୍ଡା । ବଡ଼ ବଡ଼ ଅନୁଷ୍ଠାନମାନଙ୍କୁ ଦାନ କରି ଖୁବ୍‍ ସୁନାମ ଅର୍ଜନ କରିଅଛନ୍ତି । କିନ୍ତୁ ତଳେଇ କରି ନିରୀକ୍ଷଣ କଲେ, ଦେଖାଯାଏ ତାଙ୍କର ଶୋଷଣ ନୀତି ବରାବର ଚାଲିଛି । କୌଶଳ କ୍ରମେ ଗରିବ ପ୍ରଜାର ଚାଷଜମି ନିଲାମ ହେଉଛି । ପ୍ରଜାର ଘର ଡିହ ଖଣ୍ଡି ଅତ୍ୟାଚାର ଫଳରେ ପ୍ରଜା ବାପୁଡ଼ା ସର୍ବହରା ହୋଇ ଅର୍ଦ୍ଧାହାର, ଅନାହାରରେ ଦିନ କାଟୁଛି । କିନ୍ତୁ ନାନାପ୍ରକାର ଆବେଦନ ନିବେଦନ କଲେ ସୁଦ୍ଧା ତାର ଆପତ୍ତି କେହି ଶୁଣୁନି ଓ ତାର ଅଭିଯୋଗ କେହି ବୁଝୁନି । ଓଲଟି ସେ ମିଛୁଆ, ତା ଉପରେ କଠୋର ଶାସ୍ତିବିଧାନ କରାଯାଉଛି । ହାୟରେ ଦେଶ । ହାୟରେ ରାଜନୀତି । । ଏ ହେଲା ଶଶଧର ବାବୁଙ୍କର ପରିଚୟ ।

 

ସହାସ୍ୟ ବଦନରେ ଦେବେନ୍ଦ୍ର କହିଲେ–ଆପଣ ଯଦି କିଛି ମନେ ନ କରିବେ, ମୁଁ ନେଇ ଆପଣଙ୍କୁ ଆପଣଙ୍କ ଘରେ ପହଞ୍ଚାଇ ଦେବି ।

 

ସେତେବେଳକୁ ସଙ୍କୋଚ ବରାବର ଛାଡ଼ି ଯାଇଥିଲା । ଦେବେନ୍ଦ୍ରଙ୍କର ମୁହଁକୁ ଅନାଇ ଅଳ୍ପ ହସି କୃତଜ୍ଞତାଭରା ସ୍ୱରରେ ସୁରମା କହିଲେ–ଏଥିରେ ମନେ କରିବାର ଅଛି କ’ଣ ?

 

ତେବେ ଆପଣଙ୍କର ଏତିକି ଉପକାର କରିବାର ସୁଯୋଗ ପାଇଲେ ମୁଁ ବଡ଼ ଭାଗ୍ୟବାନ ହୁଅନ୍ତି ।

 

ସେ ସୌଭାଗ୍ୟ ମୋର ନ ହୋଇ ଆପଣଙ୍କର କିପରି ହେବ ? ଏକ ଅଦ୍ଭୁତ ଭଙ୍ଗୀରେ ମୁହଁ ବୁଲାଇ ସୁରମା ଟିକେ ହସି ଦେଲେ !

 

ସେ ମୁଖଭଙ୍ଗୀ ସେ ଚାହାଣୀ ଦେବେନ୍ଦ୍ରଙ୍କୁ ଏତେ ଭଲ ଲାଗିଲା ଯେ ଦୃଷ୍ଟି ଫେରାଇ ପାରିଲେନି । ସୁରମା ମଧ୍ୟ ତାଙ୍କଆଡ଼େ ଅନାଇ ରହିଥିଲେ । ଦୁହେଁ ନୀରବ, ଦୁହେଁ ଭାବ ବିଭୋର-

 

ରେଲ୍‌ ହଠାତ୍ ରହିଗଲା । ଚେନାଚୁର ଗରମ, ପାନ ବିଡ଼ି, ସିଗାରେଟ, ଗରମ ଚା ଡାକ ଶୁଣି ଦୁହିଙ୍କର ବାହ୍ୟଜ୍ଞାନ ଫେରି ଆସିଲା । ବାହାରକୁ ଅନାଇ ଦେଖିଲେ ଭଦ୍ରଖ ଷ୍ଟେସନ ।

 

ସୁରମାଙ୍କ ମୁହଁକୁ ଅନାଇ ଦେବେନ୍ଦ୍ର କହିଲେ–ସ୍ୱରରେ ସହାନୁଭୂତି ଧ୍ୱନିତ ହେଲା, ଆପଣଙ୍କର କିଛି ଦରକାର ଅଛି ?

 

କଥା ପଦିକ ସୁରମାଙ୍କୁ ଏତେ ଭଲ ଲାଗିଲା ଯେ, ସେ କହିଲେ ଧନ୍ୟବାଦ । ମୋର କିଛି ଦରକାର ନାହିଁ । ଆପଣଙ୍କର କ’ଣ ଦରକାର ଆଣନ୍ତୁ ।

 

ଦେବେନ୍ଦ୍ର ପାନବାଲିକି ଡାକି ଚାରିଖିଲ ଅଖଇରିଆ ସାଧା ପାନ ଆଣିଲେ । ଦୁଇଟି ଖିଲି ସୁରମାଙ୍କଆଡ଼େ ବଢ଼ାଇଲେ ।

 

ସୁରମା ଅଳ୍ପ ହସି ମୁଗ୍‌ଧ ସ୍ୱରରେ କହିଲେ–ଧନ୍ୟବାଦ ! ମୋତେ କ୍ଷମା କରିବେ, ମୁଁ ପାନ ଖାଏନି ।

 

ଦେବେନ୍ଦ୍ର ସେହିପରି ହସି ହସି କହିଲେ–ଆଜି ଆପଣଙ୍କୁ ନିୟମ ଭାଙ୍ଗି ଖଣ୍ଡେ ଖାଇବାକୁ ହେବ । ସୁରମାଙ୍କ ହାତରେ ପାନ ଦୁଇଖିଲି ଗୁଞ୍ଜିଦେଲେ ।

 

ସୁରମା ସହଜାକ କଟାକ୍ଷ ହାଣି, ହସ-କଳି ଫୁଟାଇ କହିଲେ, ବେଶ ଲୋକତ ଆପଣ ! ତାଙ୍କ ସ୍ୱରରେ ଅପୂର୍ବ ମାଧୁରୀ ଧ୍ୱନିତ ହେଲା ।

 

ଏଇଟା ମୋର ପ୍ରକୃତ ନିନ୍ଦା କି ପ୍ରଶଂସା ବୁଝି ପାରିଲିନି ।

 

ଯାହାଙ୍କ ସହିତ ମୋର ଭଲକରି ପରିଚୟ ହୋଇନି, ତାଙ୍କର ନିନ୍ଦା କରିବି, ଆପଣ କ’ଣ ମୋତେ ଏତେ ଅଭଦ୍ର ମନେ କରିଛନ୍ତି । ପାନ ଚୋବାଇ ଚୋବାଇ ହସି ହସି ସୁରମା କହିଲେ ।

 

ପରିଚୟ ? ବେଳେବେଳେ ନିମିଷକର ପରିଚୟ ଏକ ଅଚ୍ଛେଦ୍ୟ ବନ୍ଧନରେ ବାନ୍ଧି ଦିଏ-। ଆଉ ଦୀର୍ଘ କାଳର ପରିଚୟ ହୃଦୟ ପର୍ଯ୍ୟନ୍ତ ସ୍ପର୍ଶ କରି ପାରେନା । ଏଥିରୁ କ’ଣ ଆପଣ ମନେ କରି ପାରନ୍ତି ।

 

ସୁରମା କ’ଣ କହିବାକୁ ଯାଉଥିଲେ, ହଠାତ୍ ବାଲେଶ୍ୱର ଷ୍ଟେସନରେ ଗାଡ଼ି ଲାଗିଲା । ତରତର ହୋଇ ଦୁହେଁ ଓହ୍ଲାଇ ପଡ଼ିଲେ । ଦୁହେଁ ଖଣ୍ଡିଏ ବଗି ଭଡ଼ାକରି ଚାଲିଲେ ସୁରମାଙ୍କ ଘର ଉଦ୍ଦେଶ୍ୟରେ । ଦୁହିଁଙ୍କ ହୃଦୟରେ ନୃତ୍ୟ କରୁଥିଲା ଭାବନାର ତରଙ୍ଗ ।

 

ଦେବେନ୍ଦ୍ର କିଶୋରଙ୍କର ସବଳ ମନ, ମାର୍ଜିତ ଋଚି, ସଞ୍ଜତ ହୃଦୟ ଯେ ଆଜି ଜୀବନରେ ପ୍ରଥମଥର ପାଇଁ ଆଘାତ ପାଇଚି, ଏହା ସେ ଅନୁଭବ କଲେ । ତାଙ୍କ ମନରେ ପ୍ରଶ୍ନ ଉଠିଲା, କାହିଁକି ? କାହିଁକି ତାଙ୍କର ଏ ଦୁର୍ବଳତା ! ଭଦ୍ର କନ୍ୟା ପ୍ରତି ଏପରି ମନୋଭାବ ପୋଷଣ କରିବା ସମ୍ପୂର୍ଣ୍ଣ ଶିଷ୍ଟାଚାର ବିରୁଦ୍ଧ । ଆଉ ମଧ୍ୟ ଆକାଶ କୁସୁମ ମାଳା ଗୁନ୍ଥିବା ବିଜ୍ଞତାର ପରିଚୟ ନୁହେଁ । ଦେବେନ୍ଦ୍ର ଜୋର କରି ସମସ୍ତ ଦୁର୍ବଳତାକୁ ଝାଡ଼ି ଫୋପାଡ଼ି ଦେଲେ ।

 

କିନ୍ତୁ ଦେବେନ୍ଦ୍ର କିଶୋରଙ୍କର ଭାବଭଙ୍ଗୀ ଆଚାର ବ୍ୟବହାର କଥାଭାଷାରେ ଯେ ସୁରମା ମୁଗ୍‌ଧ ନୁହନ୍ତି, ଏ କଥା କହିଲେ ସତ୍ୟର ଅପଳାପ ହେବ । ଯେ କେତୋଟି ମୁହୂର୍ତ୍ତେ ସେ ଦେବେନ୍ଦ୍ରଙ୍କ ସହିତ ଅତିବାହିତ କରିଛନ୍ତି, ତାଙ୍କୁ ଭାରି ଭଲ ଲାଗିଛି । ସୁରମାଦେବୀଙ୍କର ତରୁଣ ପ୍ରାଣ ଆଜି ଆନନ୍ଦରେ ଭରା । ତାଙ୍କର ମନେ ହେଉଛି; ଏକ ଦେବକୁମାର ସହିତ ସେ ଯେପରି ସ୍ୱପ୍ନ ରାଜ୍ୟରେ ବିଚରଣ କରୁଛି । ସୁରମା କଲେଜରୁ ଫେରିବା ବେଳେ କେତେ ଲୋଲୁପ ଚକ୍ଷୁ ତାଙ୍କ ଉପରେ ପଡ଼େ । କ୍ଲାସରେ ତାଙ୍କୁ ଉଦ୍ଦେଶ୍ୟ କରି କେତେ ରଙ୍ଗ ରହସ୍ୟ କରାଯାଏ ! ତାଙ୍କଠାରୁ ଟିକେ ସହାନୁଭୂତି ପାଇବା ପାଇଁ କଥା ପଦେ ଶୁଣିବା ପାଇଁ ! କେତେ ଯୁବକ କେତେ ପ୍ରଲୋଭନ ଆଣି ତାଙ୍କ ଦୃଷ୍ଟି ସମ୍ମୁଖରେ ଥୁଅନ୍ତି । ତଥାପି ତାଙ୍କର ଅଚଳ ମନ କେବେ ହେଲେ ଚଞ୍ଚଳ ହୋଇନି । ସେ ଦିନେ ହେଲେ ତାଙ୍କର ସୁରକ୍ଷିତ ଗାମ୍ଭୀର୍ଯ୍ୟ ହରାଇ ନାହାନ୍ତି । ଆଜି କ’ଣ ହେଲା ତାଙ୍କର; ଏ କି ଅପୂର୍ବ ପରିବର୍ତ୍ତନ । ପୁରୁଷ ବିଦ୍ୱେଷୀ ମନ ଆଜି ତାଙ୍କର ସହାନୁଭୂତିରେ ଭରା ।

 

ଦେବେନ୍ଦ୍ର ଦେଖିଲେ ସହରର ପ୍ରାନ୍ତଭାଗରେ ପ୍ରାସାଦୋପକ ଏକ ପ୍ରକାଣ୍ଡ ଅଟ୍ଟାଳିକା ସମ୍ମୁଖରେ ବଗି ଦଣ୍ଡାୟମାନ ।

 

ପ୍ରଥମେ ଗାଡ଼ିରୁ ଓହ୍ଲାଇଲେ ସୁରମା । ହାତରେ ଗୋଟିଏ ବ୍ୟାଗ । ଆସନ୍ତୁ ଦେବେନ୍ଦ୍ରବାବୁ ସମାଦର ସ୍ୱରରେ ସୁରମା ଡାକିଲେ,

 

ଧନ୍ୟବାଦ ସୁରମା ଦେବୀ । ମୁଁ ଯାଉଚି କଂଗ୍ରେସ କମିଟି ଅଫିସିକି । କାଲି ଆପଣଙ୍କ ଘରଆଡ଼େ ବୁଲି ଆସିବି ।

 

ସୁରମା କିଛିକ୍ଷଣ ଚିନ୍ତାକରି କହିଲେ–ତେବେ କାଲି ମୋର ନିମନ୍ତ୍ରଣ ରହିଲା । ଆପଣ ଦୟାକରି କାଲି ଆସିବେ । ଆପଣଙ୍କର କୌଣସି ଆପତ୍ତି ଶୁଣାଯିବନି । କାଲି ଆପଣଙ୍କୁ ଏଠାରେ ଆସି ଚା ଖାଇବାକୁ ହେବ । କ’ଣ କହୁଚନ୍ତି, ଦେବେନ୍ଦ୍ରବାବୁ ?

 

ଦେବେନ୍ଦ୍ର ହୋ ହୋ ହସି ଉଠିଲେ । ମୋର ଯଦି କୌଣସି ଆପତ୍ତି ଶୁଣାଯିବନି, ତେବେ ମୋର ମତ ଲୋଡ଼ିବା ଦରକାର କଣ ? ଆପଣଙ୍କ ଆଦେଶ ମାନି କାଲି ଆସି ଯଥା ସମୟରେ ହାଜିରି ହେବି ।

 

ଏ କଥା ପଦକ ସୁରମାଙ୍କର କେଉଁ ଅନ୍ତରର ଅନ୍ତଃସ୍ଥଳକୁ ସ୍ପର୍ଶ କଲା କେଜାଣି; ସେ ହେଲେ ପୁଲକିତ !!

 

ବିଦାୟ ସମ୍ଭାଷଣ ଜଣାଇ ଦେବେନ୍ଦ୍ର ଗାଡ଼ି ଚାଳକକୁ ଆଦେଶ ଦେଲେ–ଗାଡ଼ି ଚାଲିଲା-

 

କାଲି ସକାଳୁ ଆପଣଙ୍କ ଅପେକ୍ଷାରେ ବସି ରହିଥିବି, ଏକଥା ଯେପରି ଆପଣଙ୍କର ମନେ ଥାଏ ।

 

ଗାଡ଼ି ଭିତରୁ ଉତ୍ତର ଆସିଲା ନିଶ୍ଚୟ ! ନିଶ୍ଚୟ !

 

(ଦୁଇ)

 

ତହିଁଆର ଦିନ ୮ଟା ବେଳକୁ ଦେବେନ୍ଦ୍ର କିଶୋର ପହଞ୍ଚିଲେ ସୁରମାଙ୍କ ଘରେ–ରାୟ ବାହାଦୂର ବସିଥିଲେ ବୈଠକଖାନାରେ ।

 

ଦେବେନ୍ଦ୍ର ଯେ, ଆସ ଆସ ବାବା ! ଅଭ୍ୟର୍ଥନାର ସ୍ୱରରେ ରାୟ ବାହାଦୁର ଡାକିଲେ । ଦେବେନ୍ଦ୍ର ଆସନ ଗ୍ରହଣ କଲେ । ମୁଁ ଶୁଣି ସୁଖୀ ହେଲି–ତମେ କାଲି ସୁରମାକୁ ବଡ଼ ସାହାଯ୍ୟ କରିଚ, ନଚେତ୍ ମାଆ ମୋର ବଡ଼ ହଇରାଣ ହୋଇଥାନ୍ତା । ଏଥିପାଇଁ ତମକୁ ଆନ୍ତରିକ ଧନ୍ୟବାଦ-

 

ବିନୀତ ସ୍ୱରରେ ଦେବେନ୍ଦ୍ର କହିଲେ–ଆଜ୍ଞା; ମୁଁ କର୍ତ୍ତବ୍ୟରୁ ଅଧିକ କ’ଣ କରିଚି ?

 

–ସେ କର୍ତ୍ତବ୍ୟ କ’ଣ ସମସ୍ତେ ବୁଝନ୍ତି ! ଆଉସବୁ ସମ୍ବାଦ କ’ଣ ?

 

ଦେବେନ୍ଦ୍ର କହିଲେ–ସଢ଼େଇକଳା ଓ ଖରସୁଆଁର ଲୋକମାନେ ଯେପରି ଭାବରେ ଅତ୍ୟାଚାରିତ ହେଉଛନ୍ତି; ଦେଖିଲେ ଆଖିରେ ଲୋତକ ରହିବନି । ବର୍ତ୍ତମାନ ଦରକାର ହେଉଚି; ରୀତିମତ ଆନ୍ଦୋଳନ କରି ଏ ଦୁଇ ରାଜ୍ୟକୁ ଓଡ଼ିଶା ସହିତ ମିଶାଇ ଦେବା । ଏ ଦୁଇ ରାଜ୍ୟରୁ ଗୋଟିଏ ଡେପୁଟେସନ ଯାଇଁ ପଣ୍ଡିତ ନେହେରୁଙ୍କ ସହିତ ଦେଖା କରନ୍ତୁ । ଆମର ଏଠାରୁ କେତେଜଣ କର୍ମୀ ଯାଇ ସେଠାକାର କର୍ମୀମାନଙ୍କ ସହିତ ମିଶି ସେଠାରେ ଗୋଟିଏ ଆନ୍ଦୋଳନ ସୃଷ୍ଟି କରନ୍ତୁ ।

 

ଦେବେନ୍ଦ୍ରଙ୍କ କଥାର ମଝିରେ ରାୟ ବାହାଦୂର କହିଲେ, ଅବଶ୍ୟ ଏଥିପାଇଁ ତୁରନ୍ତ ଆନ୍ଦୋଳନ ଦରକାର । ମୁଁ ଏ ସମ୍ପର୍କରେ ପଣ୍ଡିତ କୃଷ୍ଣଚନ୍ଦ୍ର ଆଚାର୍ଯ୍ୟଙ୍କୁ ଖଣ୍ଡିଏ ଚିଠି ଲେଖିଥିଲି, ତାଙ୍କଠାରୁ ଉତ୍ତର ପାଇଚି, ସେ ନିକଟରେ କଟକ ଆସୁଚନ୍ତି ।

 

ବାପାଙ୍କ ପାଖରେ ଦେବେନ୍ଦ୍ରଙ୍କୁ ଦେଖି ସୁରମା ଟିକିଏ ଇତସ୍ତତଃ ହେଲେ । କିନ୍ତୁ କେଉଁ ଏକ ଗଭୀର ଆନନ୍ଦରେ ତାଙ୍କ ପ୍ରାଣ ନାଚି ଉଠିଲା ।

 

ଦୁଆରଆଡ଼କୁ ମୁହଁ କରି ବସିଥିଲେ ରାୟ ବାହାଦୂର, ତାଙ୍କ ସମ୍ମୁଖରେ ଦେବେନ୍ଦ୍ର କିଶୋର । ଅଥଚ ଦେବେନ୍ଦ୍ର ଦୁଆରଆଡ଼େ ପିଠି ଦେଇ ବସିଥିଲେ । ସୁରମାଆଡ଼େ ଅନାଇଁ ରାୟ ବାହାଦୂର କୋମଳସ୍ୱରରେ କହିଲେ ରମା ! ଆ ମା’ ଭିତରକୁ ଆ !

 

ଏତିକିରେ ଦେବେନ୍ଦ୍ର କିଶୋର ଦୃଷ୍ଟି ଫେରାଇଲେ ସୁରମାଙ୍କଆଡ଼େ । ସୁରମା ଯୁକ୍ତ କରରେ ନମସ୍କାର କଲେ । ଚାରିଚକ୍ଷୁ ଏକାଠି ହୋଇଗଲା । ସେହି ଚାହାଣୀରେ ସେ ମୁଗ୍‌ଧ ଦୃଷ୍ଟି ଭିତରେ କେତେ ଯେ ଗୋପନ କାହାଣୀ ଲୁଚି ରହିଥିଲା, ତା କେବଳ ଜାଣନ୍ତି ଅନୁଭବୀ ।

 

ଆପଣ ତ ଖୁବ୍ ଶୀଘ୍ର ଆସୁଛନ୍ତି ! ସୁରମାଙ୍କ ସ୍ୱରରେ ଅଭିମାନ ଫୁଟି ଉଠୁଛି ।

 

କେତେଗୁଡ଼ିଏ ଜରୁରୀ କାମ ଥିଲା ଛିଣ୍ଡାଇ ଦେଇ ଆସିଲି । ଦେବେନ୍ଦ୍ରଙ୍କ ମୁହଁରେ ମୃଦୁ ହାସ୍ୟ ଖେଳିଗଲା ।

 

ଯା’ମାଆ ଦେବେନ୍ଦ୍ରଙ୍କୁ ନେଇ ଯା । ଦେବ ତ ଆମର ଏ ଘରର ପିଲା । ସେ ତୋର ଭାଇ ପରି, ତା ପାଖରେ ଲାଜ କ’ଣ ମାଆ !

 

ଶେଷ କଥା ପଦିକ ଟାଇଁକିନା ବାଜିଲା ସୁରମାଙ୍କ ଛାତିରେ । ଏଥିରେ ଦେବେନ୍ଦ୍ର ମଧ୍ୟ ବଡ଼ ଅସ୍ୱସ୍ତି ବୋଧ କଲେ । ସୁରମା ଦେବେନ୍ଦ୍ରଙ୍କୁ ଡାକି ନେଇ ଭିତରକୁ ଚାଲିଗଲେ ।

 

ଆସନ୍ତୁ ଦେବେନ୍ଦ୍ର ବାବୁ, ହାତ ଧୁଅନ୍ତୁ । ସୁରମା ଅନୁରୋଧ କଲେ ।

 

ଆଉ ଆପଣ ? ଆପଣ କ’ଣ ଖାଇବେନି ? ମୋ ସାଙ୍ଗରେ ଆପଣଙ୍କୁ ନିଶ୍ଚୟ ଖାଇବାକୁ ହେବ । ଆସନ୍ତୁ, ହାତ ଧୁଅନ୍ତୁ ।

 

ଆପଣ ଖାଇ ସାରନ୍ତୁ, ମୁଁ ପରେ ଖାଇବି ।

 

ସେ କଥାଟି ପଟିବନି !

 

ଆଚ୍ଛା ମଣିଷତ ଆପଣ ? ସୁରମା ଆଖି ଭଙ୍ଗିକରି ହସିଲେ । ଦୁହେଁ ବସି ଖାଇଲେ । ଦେବେନ୍ଦ୍ର ପଚାରିଲେ କେତେବେଳୁ ଏ ସବୁର ଆୟୋଜନ ହୋଇଥିଲା ?

 

ଆୟୋଜନ ? ଆୟୋଜନ ତ ସେପରି କିଛି ନୁହେଁ । ଆପଣଙ୍କୁ ମୁଁ ତ ନିମନ୍ତ୍ରଣ କରିବା କଥା ବାପା ମୋଟେ ଜାଣନ୍ତିନି । ଆମରି ସଙ୍ଗରେ ବାପା ଗାଡ଼ିରୁ ଓହ୍ଲାଇ ମୋତେ ଖୋଜୁ ଖୋଜୁ ଆମେମାନେ ଆଗରେ ଚାଲି ଆସିଲେ । କାହା ସହିତ କାହାର ଦେଖା ହୋଇ ପାରିନି । କିନ୍ତୁ ଆମମାନଙ୍କ ପଛେ ପଛେ ସେ ଆସି ପହଞ୍ଚିଲେ ।

 

ଆପଣଙ୍କ ଘରେ ଆଉସବୁ କିଏ ସୁରମା ଦେବି ?

 

ଆପଣ ବୋଧହୁଏ ଜାଣିଥିବେ ମୋର ଶିଶୁ ଅବସ୍ଥାରେ ବୋଉ ମରିଯାଇଚି । ମୁଁ ହେଉଚି ବାପାଙ୍କର ଏକମାତ୍ର କନ୍ୟା । ଆଉସବୁ ପର ମଣିଷଙ୍କୁ ନେଇ ଚଳିବା କଥା ।

 

ଆପଣ ଏକମାତ୍ର କନ୍ୟା ? ତେବେ ଆପଣ ତ ଘରେ ସର୍ବେସର୍ବା ବାପାଙ୍କର ଗେହ୍ଲା ଝିଅ । ମମତାର ଆକର୍ଷଣରେ ସାତପର ଆପଣାର ହୋଇପାରେ, ଆଉ ତାର ଅଭାବରେ ଖୁବ୍ ଆପଣାର ଲୋକ ମଧ୍ୟ ସାତପର ହୋଇଯାଏ । ଏତିକି କହି ସାରି ଦେବେନ୍ଦ୍ର ସୁରମାଙ୍କ ମୁହଁକୁ ଚାହିଁ ମୃଦୁ ମୃଦୁ ହସିଲେ ।

 

ଖିଆପିଆ ସରିଗଲା । ସୁରମାଙ୍କଠାରୁ ବିଦାୟ ନେଇ ସନ୍ଧ୍ୟାବେଳକୁ ଆସିବାକୁ ପ୍ରତିଶ୍ରୁତି ଦେଇ ଦେବେନ୍ଦ୍ର କିଶୋର ବାହାରି ଗଲେ ।

 

ସେଦିନ ସନ୍ଧ୍ୟାରେ ଏକ ସଭାରେ ଯୋଗଦାନ କରିବା ହେତୁ ଦେବେନ୍ଦ୍ର କିଶୋର ସୁରମାଙ୍କ ଅନୁରୋଧ ରକ୍ଷା କରିପାରିଲେନି । ସଭାସ୍ଥଳରେ ରାୟ ବାହାଦୂରଙ୍କ ସହିତ ଦେବେନ୍ଦ୍ରଙ୍କର ଦେଖାହେଲା । ସଭା ଶେଷରେ ରାୟ ବାହାଦୂର ଡାକିଲେ ଆସ ଦେବେନ୍ଦ୍ର, ଆମ ଘରଆଡ଼େ ଯିବା ।

 

ମୋତେ କ୍ଷମା କରିବେ ଆଜ୍ଞା । କାଲି ସକାଳେ ଯାଇ ଆପଣଙ୍କ ଘରେ ପହଞ୍ଚିବି ।

 

ତେବେ ଟିକେ ବେଳାବେଳି ଯିବ, ମୋର କାଲି ମଫସଲ ଯିବାର ଅଛି ।

 

(ତିନି)

 

ତହିଁଆର ଦିନ ଠିକ୍‍ ସାତଟା ବେଳେ ପହଞ୍ଚିଲେ ଦେବେନ୍ଦ୍ର ରାୟବାହାଦୂରଙ୍କ ଘରେ । ସୁରମା ଅପେକ୍ଷାରେ ବସିଥିଲେ ।

 

ଏ ଗରିବ ଘରେ ଆପଣଙ୍କର ପଦଧୂଳି ପଡ଼ିଲା କିପରି ? ଅଭିମାନଭରା ସ୍ୱରରେ କହିଲେ ।

 

ଗରିବ ? ବାଃ ଚମତ୍କାର !! ମୋତେ ମାଫ କରିବେ ସୁରମା ଦେବି । ମୁଁ କାଲି ମୋର ପ୍ରତିଶ୍ରୁତି ରକ୍ଷା କରି ପାରିଲିନି । ଏକ ବିଶେଷ କାମରେ ରହିଗଲି ।

 

ଆମ ପରି ନଗଣ୍ୟ ଲୋକର କଥା ବା କାହିଁକି ମନେ ରଖିବେ ।

 

ମନେ ରଖିବା ଅନ୍ତରର କଥା, ତାକୁ ସବୁବେଳେ ବାହାରେ ପ୍ରକାଶ ନକଲେ କ’ଣ ବିଶ୍ୱାସ ହୁଏନା, ସୁରମା ଦେବି ?

 

ଏତିକିରେ ସୁରମାଙ୍କର ସମସ୍ତ ଅଭିମାନ, ସମସ୍ତ ଅଭିଯୋଗ ଉଭେଇ ଗଲା ।

 

ଖିଆପିଆ ସରିଗଲା ! ସୁରମା ଡାକିଲେ, ଆସନ୍ତୁ ଦେବେନ୍ଦ୍ର ବାବୁ ଫୁଲ ବଗିଚାଆଡ଼େ ଟିକେ ବୁଲି ଆସିବା–ଆସନ୍ତୁ ।

 

ସୁରମା ଓ ଦେବେନ୍ଦ୍ର ତାଙ୍କ ଗୃହସଂଲଗ୍ନ ଉପବନରେ ପହଞ୍ଚିଲେ ! ନାନା ଜାତି ଦେଶୀ-ବିଦେଶୀ ବୃକ୍ଷଲତାରେ ଉଦ୍ୟାନଟି ଭରପୁର । ମନମତାଣିଆ କୁସୁମ ସୁଗନ୍ଧରେ ସ୍ଥାନଟି ମହକି ଉଠୁଛି । ଉପବନର ମଧ୍ୟସ୍ଥଳଟି ସୁନ୍ଦର କୁଞ୍ଜରେ ପରିଶୋଭିତ । କୁଞ୍ଜ ଭିତରେ ଅଛି ତିନୋଟି ସ୍ନିଗ୍‌ଧ ସିମେଣ୍ଟର ଆରାମ ବେଞ୍ଚ । ଭ୍ରମର ଗୁଣୁଗୁଣୁ ସ୍ୱରରେ ଫୁଲରୁ ମଧୁ ସଂଗ୍ରହ କରୁଚି । ସମସ୍ତ ଉଦ୍ୟାନଟି ଭିତରେ ଗୋଟିଏ ମୁଞ୍ଜରଣ ଖେଳି ବୁଲୁଚି । ଉଦ୍ୟାନ ଭିତରେ ରଜ ସମୟରୁ ଗୋଟିଏ ଦୋଳି ତିଆରି ହୋଇଥିଲା, ସେଦିନୁ ସେ ସେହିପରି ଝୁଲୁଚି ।

 

ବାଃ ଚମତ୍କାର ଦୋଳି ! ହସି ହସି ଦେବେନ୍ଦ୍ର କହିଲେ ।

 

ଆପଣଙ୍କର ଝୁଲିବାକୁ ଇଚ୍ଛା ହେଉଛି କି ? ସୁରମା କଣେଇ ଚାହିଁ ଟିକେ ହସିଦେଲେ ।

 

ଝୁଲିବାକୁ ନୁହେଁ, ଝୁଲାଇବାକୁ ମୋର ଇଚ୍ଛା, ଯଦି ଝୁଲିବା ପାଇଁ ଗ୍ରାହକ ମିଳନ୍ତି ।

 

ଗ୍ରାହକ ? ଆପଣ ଯଦି ରାଜି ହେବେ ଗ୍ରାହକ କଣ ଅଭାବ ? ଆସନ୍ତୁ ଦେବେନ୍ଦ୍ରବାବୁ ! ଗ୍ରାହିକା ସଙ୍ଗେ ସଙ୍ଗେ ହାଜିର । ସୁରମା ସେହିପରି ମୁଖ ଭଙ୍ଗୀରେ ହସି ହସି କହିଲେ–ଏବଂ ଗୋଡ଼ ଲମ୍ବାଇ ଦୋଳି ଉପରେ ବସିଗଲେ । ଦେବେନ୍ଦ୍ର ଦୋଳି ଧରି ଝୁଲାଇଲେ ।

 

କିଛି ସମୟ ଝୁଲାଇବା ପରେ ସୁରମା ଅସଂଯତ ଭାବରେ ବସି ହସି ହସି କହିଲେ–ହଉ, ଥାଉ ଥାଉ । ଜଣାଗଲା ଆପଣ ଜଣେ ବୀର ପୁରୁଷ । ଜଣାଗଲା ଆପଣଙ୍କ ଦେହରେ ଯୋର ଅଛି । ଦୁହେଁ ଅପୂର୍ବ ଭଙ୍ଗିରେ ହସିଉଠିଲେ । ଦୋଳି ଖେଳ ଏତିକିରେ ବନ୍ଦ ହେଲା ।

 

ଦୁହେଁ ଫେରିଗଲେ ଘରକୁ । ଦେବେନ୍ଦ୍ର ସୁରମାଙ୍କ ସହିତ ପାନ ଭୋଜନ ଶେଷ କରି ବାହାରିଲେ କଂଗ୍ରେସ ଅଫିସଆଡ଼େ । ରାୟ ବାହାଦୂର ଦେବେନ୍ଦ୍ରଙ୍କୁ ଡାକି କହିଲେ–ତମେ ସନ୍ଧ୍ୟା ପୂର୍ବରୁ ଏଠିକି ଫେରି ଆସିବ । ମୋର ଅନୁରୋଧ ତମେ ଏଥର ବାଲେଶ୍ୱରରେ ଯେତେ ଦିନ ରହିବ, ଏଇଠାରେ ରହିବ । ତମର କୌଣସି ଆପତ୍ତି ଶୁଣା ଯିବନି, ତମକୁ ମୋର ଅନୁରୋଧ ରକ୍ଷା କରିବାକୁ ହେବ । ମୁଁ ଆଜି ଟିକେ ମଫସଲ ଯାଉଚି ! ପ୍ରାୟ ୨–୩ଦିନ ପରେ ଫେରି ଆସିବି-। ବୁଝିଲ ଦେବେନ୍ଦ୍ର !

 

ଏ ପ୍ରସ୍ତାବରେ ଦେବେନ୍ଦ୍ର ଇତସ୍ତତ ହେଉଥିଲେ, ସୁରମା ଆସି କହିଲେ–ହଁ, ଏଠାରେ ଆପଣଙ୍କୁ ରହିବାକୁ ହେବ ନିଶ୍ଚୟ । କୌଣସି କଥା ଶୁଣା ଯିବନି–ହସିଲେ ।

 

ଦେବେନ୍ଦ୍ର କିଶୋର ସମ୍ମତି ଜଣାଇ ବାହାରି ଗଲେ ।

 

ସେଦିନ ସନ୍ଧ୍ୟାର ଅବ୍ୟବହିତ ପୂର୍ବରୁ ଦେବେନ୍ଦ୍ର ଫେରି ଆସିଲେ । ରାୟ ବାହାଦୂର ମଫସଲ ଚାଲି ଯାଇଥିଲେ । ସୁରମାଦେବୀ ତାଙ୍କର ଭିତର ବୈଠକଖାନାରେ ବସିଛନ୍ତି । ଦେବେନ୍ଦ୍ର ମୁଗ୍‌ଧ ଦୃଷ୍ଟିରେ ଚାହିଁ ଦେଖିଲେ–ଏକ ଅପୂର୍ବ ସାଜରେ ସୁରମା ସଜ୍ଜିତ । ସତେ ଯେପରି ଅପ୍‌ସରାଟିଏ ଓହ୍ଲାଇ ଆସିଛି ନନ୍ଦନକାନନରୁ ।

 

ପୁଲକିତ ସ୍ୱରରେ ସୁରମା ଦେବୀ କହିଲେ–ଆସନ୍ତୁ, ଆସନ୍ତୁ ଦେବେନ୍ଦ୍ର ବାବୁ ! ମୁଁ ପରା ବାଟ ଚାହିଁ ବସିଛି । ଦେବେନ୍ଦ୍ରଙ୍କ ହାତ ଧରି ଆଣି ଗୋଟିଏ ଆରାମ ଚଉକିରେ ବସାଇ ଦେଲେ ସୁରମା ସେତେବେଳେ ଦୁଇଜଣଙ୍କ ପରଶରେ ଦୁହିଁଙ୍କ ହୃଦୟରେ ଅପୂର୍ବ ଶିହରଣ ଖେଳିଗଲା । ସୁରମା ଦେବୀ ଡାକିଲେ, ପୂଝାରି ଚା–ଆଣ ।

 

ପୂଝାରି ଚା–ଜଳଖିଆ ଆଣି ଦେଲା । ଦୁହେଁ ଏକତ୍ର ବସି ପାନାହାର ଶେଷ କଲେ । ସୁରମା ପଚାରିଲେ–ଆଜିକାର ପ୍ରୋଗ୍ରାମ କ’ଣ ?

 

ଉଦ୍ୟାନ ଭ୍ରମଣ !

 

ଇଃ ମନ ଲାଗିଯାଇଚି ! ସୁରମା ଟିକିଏ ଭୃଲତା ନଚାଇ ହସିଦେଲେ । ଚାନ୍ଦିନୀ ରାତି । ଗଛପତ୍ରର ଉଡ଼ୁହାଳରେ ସାରା ଉଦ୍ୟାନଟି ଛାଇ ଛାଇଆ ଦେଖା ଯାଉଛି । ଫୁଲ ବାସନାରେ ମହକି ଉଠୁଛି । ଚନ୍ଦ୍ର କିରଣରେ ସତେ ଯେପରି ଫୁଲଗୁଡ଼ିକ ହସି ଉଠୁଛନ୍ତି । ପ୍ରେମିକ ଓ ପ୍ରେମିକାର ମଧୁର ମିଳନ ପାଇଁ ସେମାନେ ଯେପରି ସାଦର ସମ୍ଭାଷଣ ଜଣାଉଅଛନ୍ତି । ସୁରମା ଓ ଦେବେନ୍ଦ୍ର ଯାଇ ଉଦ୍ୟାନରେ ପହଞ୍ଚିଲେ ।

 

ଦେଖନ୍ତୁ ସୁରମା ଦେବୀ । କି ଅପୂର୍ବ ଦୃଶ୍ୟ । ପଲ୍ଲବେ ପଲ୍ଲବେ, କୁସୁମେ, କୁସୁମେ ଖେଳେ ଜ୍ୟୋତ୍ସ୍ନାର ତରଙ୍ଗ । କି ସୁନ୍ଦର ! କି ଚମତ୍କାର !!

 

ସୁରମା ହସିଲେ ! ଆପଣଙ୍କ ପରି କବି ନ ହେଲେ, ଏ ସୌନ୍ଦର୍ଯ୍ୟ ଉପଲବଧି କରିବ କିଏ ?

 

କିନ୍ତୁ ସଙ୍ଗରେ ଆପଣଙ୍କ ପରି ରୂପସୀ ନଥିଲେ ସୌନ୍ଦର୍ଯ୍ୟବୋଧର ପୂର୍ଣ୍ଣତା ଆସିବ କିପରି ?

 

ଆପଣ କେବଳ ଆପଣ–ଆପଣ କହି ମୋତେ ବଡ଼ ବ୍ୟସ୍ତ କରି ପକାଇଲେଣି । ମୋର ଅନୁରୋଧ, ଆପଣ ଏଥିରେ ଆଉ ପୁନରୁକ୍ତି କରିବେନି ।

 

ତେବେ ମୋର ଅନୁରୋଧ ଆମ୍ଭମାନଙ୍କ ମଧ୍ୟରେ ଆଉ ଆପଣ ଶବ୍ଦର ବ୍ୟବହାର ହେବନି ।

 

ତେବେ ସେଇକଥା ହେଲା । କବିଙ୍କର କବିତା ସ୍ଫୁରଣ ବନ୍ଦ ହେଲା କାହିଁକି ?

 

ତମପରି ପ୍ରେମିକା ନ ଥିଲେ, କବିତାର ସାର୍ଥକତା କେଉଁଠି ରମା ?

 

ପ୍ରେମିକା ? ମୁଁ ତ ପ୍ରେମିକା ନୁହେଁ ।

 

ପ୍ରେମର ମୂର୍ତ୍ତିମତି ଦେବୀ ତମେ । ତମକୁ ପାଖରେ ପାଇଲେ ଯେ କୌଣସି ଲୋକ କବି ହୋଇଯିବ, ସତରେ ରମା ! ତମପରି ସୁନ୍ଦରୀ, ତମପରି ସ୍ନେହମୟୀ ତରୁଣୀର ପରଶରେ ହୃଦୟରେ ଯେଉଁ ଅପୂର୍ବ ଭାବର ବିକାଶ ହୁଏ, ତାରି ଅନ୍ୟ ନାମ କବିତା । ଦେବେନ୍ଦ୍ର ଲାଗି ଆସିଲେ ସୁରମାଙ୍କର ଆହୁରି ପାଖକୁ । ସୁରମାଙ୍କର ହାତ ଟିକେ ଚିପି ଦେଲେ ।

 

ଆଃ କିଛି ଯେପରି ଜାଣନ୍ତିନି ! ସୁରମା କଣେଇ ଚାହିଁ ଟିକେ ହସିଦେଲେ ।

 

ସେତେବେଳେ ଦୁହେଁ ଯାଇ କୁଞ୍ଜ ଭିତରେ ପହଞ୍ଚି ଗଲେଣି । ଦୁହେଁ ବସିଲେ ସେହି ବିସ୍ତୀର୍ଣ୍ଣ ସିଗ୍‌ଧ ବେଞ୍ଚ ଉପରେ । ଦୁହିଁଙ୍କ ହୃଦୟରେ ସେତେବେଳେ କାମନାର ଶିଖା ପ୍ରଜ୍ୱଳିତ ।

 

ସତେ କେଡ଼େ ସୁନ୍ଦର ତମେ ଦେବି ! ଦେବେନ୍ଦ୍ର ସୁରମାଙ୍କର ଉପରକୁ ଆଉଜି ପଡ଼ି, ଗୋଟିଏ ହାତ ନେଇ ତାଙ୍କ କାନ୍ଧ ଉପରେ ରଖିଲେ ।

 

ସୁରମାଙ୍କ ଦେହସାରା ବିଦ୍ୟୁତ ଖେଳିଗଲା । କୁମାରୀ ପ୍ରାଣରେ ଖେଳିଗଲା ତାଙ୍କର ଏକ ଅପୂର୍ବ ଶିହରଣ । ସେ ଅଜାଣତରେ ଦେବେନ୍ଦ୍ରଙ୍କ ଉପରକୁ ଢଳି ପଡ଼ିଲେ । କମ୍ପିତ ସ୍ୱରରେ ସୁରମା କହିଲେ–ଯେ କବି, ଯେ ପ୍ରେମିକ ତାଙ୍କ ଚକ୍ଷୁରେ ସବୁ ସୁନ୍ଦର ! କବିମାନେ ପରା ସୌନ୍ଦର୍ଯ୍ୟର ଉପାସକ ।

 

ଦେବେନ୍ଦ୍ର ସୁରମାଙ୍କୁ କୋଳରେ ଜାକି ଧରି କହିଲେ, ତମର ଦୁଇଟି ଯାକ କଥା ମିଛ । ମୁଁ କବି ନୁହେଁ କି ପ୍ରେମର ଧାର ଧାରେନା ।

 

ଆହା ଭାରି ସୁନା ପିଲାଟିଏ । ସତେ ଯେପରି କିଛି ଜାଣନ୍ତିନି ।

 

ଦୁହିଙ୍କର ହୃଦୟରେ ସେତେବେଳେ ବାସନା ତରଙ୍ଗ ଉଛୁଳି ଉଠିଲା । ଦୁହିଁଙ୍କ ହୃଦୟରେ ସେତେବେଳେ ଉତ୍ତେଜନାରେ ଅଗ୍ନିଶିଖା ଜଳି ଉଠିଲା । ସେହି ବାସନାର ନିବୃତ୍ତ ପାଇଁ–ସେହି ପିପାସାର ପରିତୃପ୍ତି ପାଇଁ ଦୁହେଁ ଉତ୍‌କଣ୍ଠିତ ହୋଇ ଉଠିଲେ । ଦେବେନ୍ଦ୍ର ହଠାତ୍ ସୁରମାଙ୍କୁ ଛାତି ଉପରକୁ ଭିଡ଼ିଆଣି, ତାଙ୍କର ସେହି ଗୋଲାପୀ ଅଧରରେ ଆଙ୍କି ଦେଲେ ଚୁମ୍ବନର ରେଖା ।

 

ଛି, କିଏ କାଳେ ଆସିଯିବ । ବଡ଼ ଦୁଷ୍ଟ ତମେ ।

 

ଦେବେନ୍ଦ୍ର, ସୁରମାଙ୍କୁ ଆଉ ଥରେ ଭିଡ଼ି ଆଣିଲେ । ସୁରମାଙ୍କ ହାତ ଦୁଇଟି ଧରି ଦେବେନ୍ଦ୍ର କହିଲେ–ରମା ! ରାଣୀ ମୋର ! ତମେ–ତମେହିଁ ଆଣି ଦେଇଛ ମୋ ଜୀବନରେ ନୂତନ ଉନ୍ମାଦନା । ତମରି ପରଶ ଲଭି ଜୀବନର ଗତି ମୋର ବଦଳି ଯାଇଛି । ଜୀବନର ତରୁ ମୋର ପଲ୍ଲବି ଉଠୁଛି ଲାଗି ତମର ପରଶ । ରାଣୀ ମୋର ! ଦେବି ମୋର ! ମୁଁ ଯେତେଗୁଡ଼ିଏ ମହତ୍‌ ଉଦ୍ଦେଶ୍ୟ ପୋଷଣ କରିଚି, ତା’ରି ମୂଳରେ ଅଛ ତମେ । ସୁରମାଙ୍କ ମୁହଁକୁ କରୁଣ ଭାବରେ ଚାହିଁ ଦେବେନ୍ଦ୍ର, କହିଲେ–ତମକୁ ନ ପାଇଲେ ଜୀବନ ମୋର ଛାରଖାର ହୋଇଯିବ । ‘‘ବ୍ୟାକୁଳ ସ୍ୱରରେ’’ କୁହ–କୁହ ଦେବୀ ମୋର, ତମେ କ’ଣ ମୋତେ ଗ୍ରହଣ କରିବନି ? ମୁଁ ଜାଣେ ମୁଁ ତମର ସମ୍ପୂର୍ଣ୍ଣ ଅଯୋଗ୍ୟ । ତଥାପି ଦେବି ମୋର ! ତମରି ପଦ ତଳେ ମୁଁ ମୋର ଜୀବନର ସବସ୍ୱ ଉତ୍ସର୍ଗ କରିଚି । ତମେ-ତମେ କ’ଣ ମୋର ପୂଜା ଗ୍ରହଣ କରିବନି ? ଏଇ ଆଶଙ୍କା ମୋ ପ୍ରାଣକୁ ବ୍ୟଥିତ କରୁଛି ! ସନ୍ଦେହ ଉତ୍ତାପରେ ମୋ ପ୍ରାଣ ଜଳି ପୋଡ଼ି ଯାଉଚି । ନିଜ କୋଳ ଉପରେ ଦୁଇ ହାତରେ ସୁରମାଙ୍କର ମୁହଁଟି ଧରି ଦେବେନ୍ଦ୍ର କହିଲେ–ରାଣୀ ମୋର । କୁହ, ଥରେ ଦୟାକରି କହ । ତମ ସେବକ ହେବାର ସୁବିଧା ଦେଇ ତମେ କ’ଣ ମୋତେ ଭାଗ୍ୟବାନ କରିବନି ।

 

ଦେବେନ୍ଦ୍ରଙ୍କର ଏହି ପ୍ରେମ ନିବେଦନରେ ସୁରମାଙ୍କର ହୃଦୟ ବୀଣାର ତରୁଣ ତନ୍ତ୍ରୀରେ ବାଜିଉଠିଲା ଗୋଟିଏ ମଧୁର ଅବୋଧ୍ୟର ମନଭୁଲାଣିଆ ରାଗର ଛନ୍ଦ । ସେ ଭୁଲିଗଲେ ନିଜର ଅସ୍ତିତ୍ୱ ! ତାଙ୍କ ହୃଦୟରେ ଖେଳିଗଲା ଏକ ଅପୂର୍ବ ଉନ୍ମାଦନା ସେ ଦେବେନ୍ଦ୍ରଙ୍କ ଛାତି ଉପରେ ଢଳିପଡ଼ି କମ୍ପିତ ସ୍ୱରରେ କହିଲେ–ଛି, ତମେ ଏ ସବୁ କଣ କହୁଛ । ତମେ ଯେ ମୋତେ ଦୟାକରି ପଦ ତଳେ ସ୍ଥାନ ଦେଇଛ, ସେଇ ମୋର ପରମ ସୌଭାଗ୍ୟ । ପରସ୍ପର ପରଶରେ ଦୁହେଁ ଆତ୍ମ ବିସ୍ମୃତ । କେବଳ ଦୁହିଙ୍କ ଭାବରେ ଦୁହେଁ ବିଭୋର । ତାପରେ କଣ ଘଟିଲା–ସେଇ ଚାନ୍ଦିନୀ ରାତି ତାର ସାକ୍ଷୀ ।

 

(ଚାରି)

 

ଦୁଇଦିନ ପରେ....

 

ସନ୍ଧ୍ୟାର କିଞ୍ଚିତ ପୂର୍ବ । ନଦୀ ତୀରରେ ବସିଛନ୍ତି ସୁରମା ଦେବେନ୍ଦ୍ର କିଶୋର । ମୃଦୁ–ମଧୁର ସ୍ୱରରେ ଦେବେନ୍ଦ୍ର କହିଲେ, ତମକୁ ଯେତେ ଦେଖୁଛି, ମୋର ଦେଖିବାର ଆଶା ମେଣ୍ଟୁନି ରାଣୀ ! ସତେ ତମେ କି ସୁନ୍ଦର ! ମୋର ମନେ ହେଉଛି, କଲେଜ–ଜୀବନରେ କେତେ ରୂପସୀ ତରୁଣୀଙ୍କର ସମ୍ପର୍କରେ ଆସିବାର ସୁବିଧା ପାଇଚି । ମୋର କବିତା ପଢ଼ି ଅନେକ ହୁଏତ ମୋ ସହିତ ମିଶିବାପାଇଁ ଇଛା ପ୍ରକାଶ କରନ୍ତି, କିନ୍ତୁ ଅଟଳ ମନ ମୋର କେବେ ଭୁଲରେ ସୁଦ୍ଧା ଚହଲି ନଥିଲା ! ଆଜି ପର୍ଯ୍ୟନ୍ତ କେବେହେଲେ ମୋର ଦୁର୍ବଳତା ପ୍ରକାଶ ପାଇ ନଥିଲା । କିନ୍ତୁ ସେଦିନ ଯେତେବେଳେ ତମକୁ ମୁଁ ପ୍ରଥମ କରି ଦେଖିଲି, ମୋର କ’ଣ ହେଲା କେଜାଣି ମୁଁ ନିଜେ ମଧ୍ୟ ଜାଣି ପାରୁନି । ନନ୍ଦନର ଅପସରା ତୁଲ୍ୟ ଏକ ମୋହିନୀ ମୂର୍ତ୍ତି ସାଜି କି ଶୁଭକ୍ଷଣରେ ତମେ ହେଲ ମୋ ଆଗରେ ଆବିର୍ଭାବ ! ମୋର ସମସ୍ତ ଗାମ୍ଭୀର୍ଯ୍ୟ; ସମସ୍ତ ଆତ୍ମଭିମାନ ନିମିଷକେ ଉଭେଇ ଗଲା । ମୁଁ ଅତି ନୀରୀହ ଭାବରେ ତମ ପାଖରେ ଧରା ଦେଲି । ମୋର ତରୁଣ ପ୍ରାଣର ସମସ୍ତ କାମନା-ବାସନା ତମକୁ କେନ୍ଦ୍ର କରି ବିକଶି ଉଠିଲା । ତମକୁ ପାଇବାର ପ୍ରବଳ ଉତ୍କଣ୍ଠା ମୋ ପ୍ରାଣରେ ଜାଗି ଉଠିଲା । ତମରି ଏ କୋମଳ ଅଙ୍ଗ-ବଲ୍ଲରି ପରଶର ମଧୁର ପିପାସା ମୋ ପ୍ରାଣକୁ ଅଧୀର କରି ପକାଇଲା । ସତେ ତମେ କି ମୋହିନୀ ମନ୍ତ୍ର ଜାଣ ରମା ! ଦେବେନ୍ଦ୍ର ମୁଗ୍‌ଧ ଦୃଷ୍ଟିରେ ସୁରମାଙ୍କୁ ଚାହିଁଲେ ।

 

ସୁରମା କଟାକ୍ଷ ହାଣି କହିଲେ–ମନ୍ତ୍ର ଜାଣ ତମେ । କେଉଁ ଶୁଭମୁହୂର୍ତ୍ତରେ ଦେବକୁମାର ତୁଲ୍ୟ ମୋ ଜୀବନ ପଥରେ ତମର ହେଲା ଆବିର୍ଭାବ । ପୁରୁଷ ବିଦ୍ୱେଷୀ ମନ ମୋର ସହାନୁଭୂତିରେ ଭରିଗଲା । ମୁଁ ହେଲି ସ୍ୱପ୍ନବିଭୋରା । ମୁଁ ହେଲି ଆତ୍ମବିସ୍ମୃତ ! କେବଳ ତମରି ପାଇଁ ମୁଁ ଲାଜସରମ ଜଳାଞ୍ଜଳି ଦେଲି, ଏକ ନୂଆ ପଥରେ ତମେ ମୋତେ ଧରି ଆଣିଲ । ମୁଁ ସତ କହୁଛି, ମୋର ବାଧା ଦେବାର ଶକ୍ତି ସୁଦ୍ଧା ଲୋପ ପାଇଗଲା । କେଉଁ ସମ୍ମୋହନ ବିଦ୍ୟା ବଳରେ ତମେ ଏପରି ଅସାଧ୍ୟ ସାଧନା କରି ପାରିଲ, ତା ତମେ ଜାଣ ।

 

ଦେବେନ୍ଦ୍ର ସୁରମାଙ୍କ ହାତକୁ ଖଣ୍ଡିଏ କାଗଜ ବଢ଼ାଇ ଦେଲେ । ସେଥିରେ ଏହି କବିତାଟି ଲେଖାଥିଲା ।

 

ସୁପ୍ତ ଚେତନା ଜାଗେ ।

ପହିଲି ଫଗୁଣ ମଳୟ ପରଶ

ମାନସ-ନିକୁଞ୍ଜ ହେଲା ମୋ ବିକାଶ

ମନ୍ଦ-ମଧୁର ରାଗେ ।୧ ।

ତନ୍ଦ୍ରା ଜଡ଼ିତ ଚକ୍ଷେ,

ବୋଳିଦେଲା କିଏ       ମୋହନୀ ଅଞ୍ଜନ

ସବୁ ମୁଁ ଦେଖିଲି ନିତ୍ୟ ନୂତନ

ଚମକ ଚେଇଁଲା ବକ୍ଷେ । ୨ ।

ଅନୁସରି ପ୍ରିୟା ପ୍ରୀତି;

ଆଲୋକ ଉଠିଲା ମରମ ମନ୍ଦିର

ପୁଲକି ଉଠିଲା ଦେହ ସାରା ମୋର

ପ୍ରାଣ ଉଠିଲା ମାତି । ୩ ।

ମଳୟ ଝଲକ ଲାଗି;

ଦୁଲୁକି ଉଠିଲା ହୃଦୟ ମନ୍ଦିର

ଗୁମୁରି ଉଠିଲା ପ୍ରୀତି ବୀଣା ସ୍ୱର

ପିପାସା ଉଠିଲା ଜାଗି । ୪ ।

ଯଉବନ ପୁଷ୍ପ ବନେ;

ଆସିଲ ଯେବେ ଗୋ ମୋ ହୃଦ ପ୍ରତିମା

ପୂଜା ପୁଷ୍ପ ମୋର ମୋ ପ୍ରାଣ ସୁରମା

ଆସିଲ ଅମୃତ ଲଗନେ । ୫ ।

 

ନଦୀ ତୀରରେ ସେତେବେଳେ ଦୁହେଁ ଲଗାଲଗି ହୋଇ ଠିଆ ହୋଇଥିଲେ । ସୁରମା ଗୋଟିଏ ହାତରେ ଦେବେନ୍ଦ୍ରଙ୍କର ପୃଷ୍ଠଦେଶ ବେଷ୍ଟନ କରି କବିତା ପଢ଼ି କହିଲେ–ବାଃ ସୁନ୍ଦର ! ଚମତ୍କାର !

 

ଦେବେନ୍ଦ୍ର ସୁରମାଙ୍କର ବେଣୀଟି ସାଉଁଳୁ ସାଉଁଳୁ କହିଲେ, କ’ଣ ସୁନ୍ଦର ରାଣୀ ? ତମଠାରୁ କ’ଣ ଆହୁରି ସୁନ୍ଦର ? ତମଠାରୁ କ’ଣ ଆହୁରି ସୁନ୍ଦର ଜଗତରେ ସମ୍ଭବ ? ମୋର ମନେ ହୁଏ, ସମସ୍ତ ସୌନ୍ଦର୍ଯ୍ୟ ଠୁଳ କରି ବିଧାତା ତମକୁ ଗଢ଼ିଥିଲେ–କେବଳ ସୌନ୍ଦର୍ଯ୍ୟର ଉପଲବ୍‌ଧି ପାଇଁ । ତମକୁ ଦେଖିଲେ, ରାଧାନାଥଙ୍କର–

 

ଆନ ନାରୀ ସିନା ମର୍ତ୍ତ୍ୟର ତଟିନୀ,

ଏ ଯେ ମାନ୍ଦାକିନୀ–ଧାରା !

ଆନ ନାରୀ ସିନା ମର୍ତ୍ତ୍ୟର କୁସୁମ,

ଏ ଯେ ଗଗନର ତାରା !

 

ଏଇ କେତେ ପଦ ମନେ ପଡ଼ିଯାଏ । ଦେବେନ୍ଦ୍ର ସୁରମାଙ୍କୁ ନିଜଆଡ଼କୁ ଆଉଯାଇ ଆଣିଲେ ।

 

ସୁରମା ମୁଗ୍‌ଧ ସ୍ୱରରେ କହିଲେ–ମୁଁ ପରା ଥରେ କହିଛି, କବିଙ୍କ ଆଖିରେ ସବୁ ସୁନ୍ଦର-! ତମପରି ରସିକ ନ ହେଲେ ଏପରି ରସ ଗ୍ରହଣ କରିବ କିଏ ? ସମସ୍ତଙ୍କର ଦୃଷ୍ଟିଶକ୍ତି ଅଛି-। ସମସ୍ତେ ଦେଖନ୍ତି, କିନ୍ତୁ ଦେଖିଲା ପରି ଦେଖି ପାରନ୍ତିନି ସମସ୍ତ । ଚିଲିକାକୁ ସମସ୍ତେ ଦେଖୁଚନ୍ତି, କିନ୍ତୁ ରାଧାନାଥ କେବଳ ଦେଖିଲା ପରି ଦେଖି ପାରିଥିଲେ ।

 

ତା ସତ; ତେବେ ତମପରି ବିଶ୍ଳେଷଣ କରିବାର ଶକ୍ତି କ’ଣ ସବୁ ନାରୀଙ୍କର ଅଛି !

 

ସେତେବେଳେ ସନ୍ଧ୍ୟା ଘୋଟି ଯାଇଥିଲା । ଦେବେନ୍ଦ୍ର ଓ ସୁରମା ଫେରିଗଲେ ଘରକୁ ।

 

(ପାଞ୍ଚ)

 

ଚାରିମାସ ପରେ......

 

ଦେବେନ୍ଦ୍ର କିଶୋର ଓ ସୁରମା ଦେବୀ ପ୍ରେମର ନିବିଡ଼ ବନ୍ଧନରେ ବାନ୍ଧି ହୋଇ ଯାଇଚନ୍ତି । ମୋଟାମୋଟି କହିବାକୁ ଗଲେ ଉଭୟଙ୍କ ଭିତରେ ଆଉ କୌଣସି ବ୍ୟବଧାନ ନାହିଁ । ଦୁଇଟି ଜୀବନଧାରା ପ୍ରଣୟର ମଧୁର ସ୍ରୋତରେ ମିଶିଯାଇ ଏକ ଧାରାରେ ବହି ଯାଇଛି ।

 

ଦେବେନ୍ଦ୍ର ଆଜିକାଲି ପ୍ରାୟ ଅଧିକାଂଶ ସମୟ ଶଶଧର ବାବୁଙ୍କ ଘରେ । ତାଙ୍କର ଜୀବନର ଗତି ପୁରାପୁରି ବଦଳି ଯାଇଛି । ତାଙ୍କର ଦେଶ ପୂଜାର ମୋହ ପ୍ରେମ ପୂଜାରେ ରୂପାନ୍ତରିତ ହୋଇଛି । ତଥାପି ସେ ଦେଶକୁ ଭୁଲି ନାହାନ୍ତି ।

 

ଏ ସବୁ ଘଟଣା ଶଶଧର ବାବୁଙ୍କ ଦୃଷ୍ଟିକି ଏଡ଼ିଦେଇ ପାରିନି । ପ୍ରଥମେ କଥାଟା ତାଙ୍କୁ ଭଲ ଲାଗୁ ନଥିଲା । କିନ୍ତୁ ସେ ସେତେବେଳେ ବୁଝି ପାରିଲେ ତାଙ୍କର ବିଦୁଷୀ କନ୍ୟା ସତ୍‌ପାତ୍ରରେ ଆତ୍ମ ନ୍ୟସ୍ତ କରିଛି, ଏତଦ୍ୱାରା ଲାଭ ଛଡ଼ା କ୍ଷତି ନାହିଁ । ଦେବେନ୍ଦ୍ରଙ୍କ ପରି ଗୁଣବାନ, ରୂପବାନ ଓ ଚରିତ୍ରବାନ ଯୁବକର ପାଣି ଗ୍ରହଣ କରିବା ଖୁବ୍‍ କମ ବାଳିକାଙ୍କ ଭାଗ୍ୟରେ ଘଟେ । ଅଥଚ ଦେବେନ୍ଦ୍ର ପରି ଜାମାତା ଲାଭ କରିବା ଶଶଧର ବାବୁଙ୍କ ପକ୍ଷରେ ଅବଶ୍ୟ ସୌଭାଗ୍ୟର ବିଷୟ । ତେଣୁ ଶଶଧର ବାବୁ ଦେବେନ୍ଦ୍ର ବାବୁଙ୍କୁ ପୁତ୍ର ତୁଲ୍ୟ ସ୍ନେହ ଓ ଆଦର କରନ୍ତି । ଶଶଧର ବାବୁଙ୍କର ଇଚ୍ଛା; ଶୀଘ୍ର କିପରି ବିବାହ କାର୍ଯ୍ୟ ବଢ଼ାଇ ଦେଇ ତାଙ୍କ ଜୀବନର କାର୍ଯ୍ୟ ସମାପନ କରି ନିଶ୍ଚିନ୍ତ ହେବେ ।

 

ସେଦିନ ଚାରିଟା ବେଳେ ଶଶଧରବାବୁ ଦେବେନ୍ଦ୍ରଙ୍କୁ ଡାକି କହିଲେ; ମୋର ଇଚ୍ଛା ଆସନ୍ତା ଫାଲଗୁନ ମାସରେ ବିବାହ କାର୍ଯ୍ୟ ବଢ଼ାଇ ଦେବାକୁ ହେବ । ମୁଁ ସେଥିପାଇଁ ପ୍ରସ୍ତୁତ ହେଉଛି । ତମେ ନିମନ୍ତ୍ରଣ ପତ୍ର ଛପାଇ ତମର ବନ୍ଧୁମାନଙ୍କୁ ଦେଇ ଦିଅ । ଏଠାରେ ସଙ୍କୋଚ କରିବାର କିଛି ନାହିଁ–ଏ ତମର ଘର । କେବଳ ବିବାହ କାର୍ଯ୍ୟ ବଢ଼ାଇ ଦେଇ ମୁଁ ମୋ ଦାୟିତ୍ୱରୁ ଖସିଯିବି । ଏତିକି କହି ଶଶଧରବାବୁ ଦେବେନ୍ଦ୍ରଙ୍କ ମୁଖଭଙ୍ଗୀ ଲକ୍ଷ୍ୟକଲେ । ଦେଖିଲେ ତାଙ୍କ ମୁହଁରେ ଆନନ୍ଦର ବିମଳ ଦୀପ୍ତି । ଦେବେନ୍ଦ୍ର କିଶୋର କେବଳ ନୀରବ ରହି ଭାବୀ ଶ୍ୱଶୁରଙ୍କ ପ୍ରସ୍ତାବ ସମର୍ଥନ କଲେ ।

 

ଚାକର ଗୋବିନ୍ଦା ଆସି ଡାକିଲା–ଦେବେନ୍ଦ୍ରଙ୍କୁ, ଆସନ୍ତୁ ଆଜ୍ଞା ! ଚା ଖାଇବେ । ଦେବେନ୍ଦ୍ର ଯାଇ ସୁରମାଙ୍କ ପାଖରେ ପହଞ୍ଚିଲେ । ମୁହଁରେ ବିଜୟର ଆଭା, ଚକ୍ଷୁରେ ଆନନ୍ଦର ଜ୍ୟୋତି । ହସି ହସି ଦେବେନ୍ଦ୍ର ପଚାରିଲେ ଆଜି କି ପୁରସ୍କାର ମିଳିବ ରାଣି ?

 

ଲୀଳାଚଞ୍ଚଳ ଭଙ୍ଗିରେ ଭୂଲତା ନଚାଇ ମୃଦୁହସି କହିଲେ, କିଛି କଥା ନ କହି ଆଗ ପୁରସ୍କାର ଦାବି । ଆଜି ତ ଭାରି ଫୁର୍ତ୍ତି ଦେଖା ଯାଉଚ । କ’ଣ ଘଟଣା କହିଲ ଶୁଣେ ?

 

ପୁରସ୍କାର ନ ପାଇଲେ ସେ କଥା କୁହା ହେବନି । କହିଲ ଆଗେ କି ପୁରସ୍କାର ଦେବ-?

 

କି ପୁରସ୍କାର ତମର ଦରକାର । ପୁରସ୍କାର ପାଇବା ପୂର୍ବରୁ ଘଟଣା କଣ ଶୁଣେ ?

 

ଘଟଣା ହେଉଚି ନବୀନ ବସନ୍ତର ଚରମ ଉପଲବ୍‌ଧି ! ଆଉ ତା ହେବ ବାସର ଯାମିନୀର ସଜ୍ଜିତ ପ୍ରକୋଷ୍ଠରେ ! ଅଠରଟି ବସନ୍ତ ପରେ ଏହି ବସନ୍ତ ହେବ ତମ ସ୍ମୃତି ଭଣ୍ଡାରର ଅମୂଲ୍ୟ ରତ୍ନ । ଏ ସମ୍ବାଦ ପାଇ ତମେ କ’ଣ ରିକ୍ତ ହସ୍ତରେ ମୋତେ ଫେରାଇ ଦେବାକୁ ଚାହଁ ?

 

ଓ, ବୁଝିଲି ! ତେବେ ତମର ଆଗେ ପୁରସ୍କାର ନେବା ଉଚିତ କିପରି ?

 

ଯେହେତୁ ତମେ ଏ ଉତ୍ସବରେ ନାୟକ ।

 

ନାୟକ ମୁଁ ନ ହୋଇ ଯଦି ଅନ୍ୟ କେହି ହୋଇଥିବେ ?

 

ଅସମ୍ଭବ !!

 

ବାପା ଆଜି ମୋତେ କହିଲେ–ଆସନ୍ତା ଫାଲ୍‌ଗୁନ ମାସ ୨୪ଦିନ ତମର ବିଭାଘର । ନାୟକ ହେଉଚନ୍ତି ଜଣେ ସଙ୍ଗତିସମ୍ପନ୍ନ ତରୁଣ ଓକିଲ ।

 

ଅସମ୍ଭବ ! ତମେ ବଡ଼ ମିଛୁଆ । ସୁରମାଙ୍କ ମୁହଁରେ ରହସ୍ୟମୟ ହାସ୍ୟରେଖା ଖେଳିଗଲା ।

 

ଦେବେନ୍ଦ୍ର ଗମ୍ଭୀର ହୋଇ କହିଲେ–ଏହା ସତ କଥା । ବାପା ପରା ମୋତେ କହିଲେ । ଦେବେନ୍ଦ୍ରଙ୍କ ମୁହଁରେ କୃତ୍ରିମ ବିଷାଦ ରେଖା ଫୁଟି ଉଠିଲା । ସେ ସୁରମାକୁ ଲକ୍ଷ୍ୟ କଲେ ।

 

ସଙ୍ଗେ ସଙ୍ଗେ ସୁରମାଙ୍କ ମୁହଁରୁ ଆଲୋକରେଖା ନିଭିଗଲା । ଏକ କରୁଣର ଛାୟା ସମସ୍ତ ମୁଖମଣ୍ଡଳରେ ମୂର୍ତ୍ତିବାନ ହୋଇ ଉଠିଲା । ସୁରମାଙ୍କ ମୁଣ୍ଡ ଘୂରିଗଲା । ତାଙ୍କୁ ସବୁ ଅନ୍ଧାର ଦିଶିଲା ।

 

ଦେବେନ୍ଦ୍ର ପୁଣି ହସି ହସି କହିଲେ–ଦିଅ ମୋର ପୁରସ୍କାର ।

 

ସୁରମା ନିର୍ବାକ । ତାଙ୍କ ଆଖି ଦୁଇଟିରେ ଲୋତକ ଢଳ ଢଳ । ତାଙ୍କ ପ୍ରାଣରେ ତୀବ୍ର ଯାତନା । ଦେବେନ୍ଦ୍ର ତାଙ୍କୁ ହଲାଇ ଦେଇ କହିଲେ–ଏ କ’ଣ ? କ’ଣ କିଛି କହୁନାହଁ ଯେ ! ମୋର ପୁରସ୍କାର କ’ଣ ମିଳିବନି ?

 

ଦୃଢ଼ତାବ୍ୟଞ୍ଜକ ସ୍ୱରରେ ସୁରମା କହିଲେ–ଜୀବନ ପୁରସ୍କାର ପରେ ଅନ୍ୟ ପୁରସ୍କାରର ଆବଶ୍ୟକ ନାହିଁ । ମୋତେ କହିଲ, ଏସବୁ କ’ଣ ସତ କଥା ?

 

ବାପାଙ୍କର ଏହାହିଁ ଆଦେଶ । ଏଥିରେ ତମର କିଛି କର୍ତ୍ତୃତ୍ୱ ଅଛି ?

 

ନିଶ୍ଚୟ ଅଛି ! ସୁରମାଙ୍କ ସ୍ୱରରେ ଏକ ପ୍ରତିଜ୍ଞାର ସ୍ୱର ଧ୍ୱନିତ ହେଲା । ତାଙ୍କର ସମସ୍ତ ଜଡ଼ତା ନିମିଷକରେ ଉଭେଇ ଗଲା । ସେ ଝଙ୍କାର ତୋଳି କହିଲେ–ବାପା ମୋତେ ବିବାହ କରିବେ ନା ମୋର ଜଡ଼ପିଣ୍ଡକୁ ? ଏହା ଅସମ୍ଭବ ! ସମ୍ପୂର୍ଣ୍ଣ ଅସମ୍ଭବ ! ନାରୀ ଥରେ ତାର ପତି ବରଣ କରେ । ସାବିତ୍ରୀ, ଶକୁନ୍ତଳାଙ୍କର ଯେଉଁ ଦେଶରେ, ଯେଉଁ ଜାତିରେ ଜନ୍ମ, ମୋର ମଧ୍ୟ ସେହି ଦେଶରେ, ସେହି ଜାତିରେ ଜନ୍ମ ! ମୁଁ ବରଣ କରିବି ମୋ ଜୀବନର ସହଚର, ସେଥିରେ ହସ୍ତକ୍ଷେପ କରିବେ ବାପା ? କେବେ ଉଚିତ ନୁହେଁ । ସେଥିପାଇଁ କବି କହିଛନ୍ତି–

 

‘‘ସୁତାରେ ପିତାଙ୍କ ପୂର୍ଣ୍ଣ ଅଧିକାର

ଭଣେ ଯେଉଁ ଶାସ୍ତ୍ର ତାକୁ ନମସ୍କାର ।’’

 

ପୂର୍ବକାଳରେ ପତି ମନୋନୀତ କରିବା ପାଇଁ କନ୍ୟାମାନଙ୍କୁ ପୂର୍ଣ୍ଣ ସ୍ୱାଧୀନତା ଦିଆ ଯାଉଥିଲା । ଏଥିପାଇଁ ସ୍ୱୟମ୍ବର ପ୍ରଥା ଥିଲା । ଏବେ ବି ଆମ ଦେଶରେ ଆଦିବାସୀଙ୍କ ଭିତରେ ସେହି ବିଧି ପ୍ରଚଳନ ଅଛି । ଅବଶ୍ୟ ସେମାନଙ୍କର ଶିକ୍ଷା, ସଭ୍ୟତା ଓ ସାମାଜିକ ଜ୍ଞାନର ଅଭାବ ହେତୁ ତାଙ୍କର ପ୍ରତ୍ୟେକ କାର୍ଯ୍ୟକୁ ଆମେ ହୀନ ଦୃଷ୍ଟିରେ ଦେଖୁଥାଏଁ । ତଥାପି ମୌଳିକ ଦୃଷ୍ଟିରୁ ଦେଖିଲେ, ତାଙ୍କର ଏ ବିବାହ ପ୍ରଥା ସର୍ବଥା ବାଞ୍ଛନୀୟ । ଆଜି ପାଶ୍ଚାତ୍ୟ ଦେଶମାନଙ୍କରେ ଏହିପରି ବିବାହ ପ୍ରଥା ଅନୁସୃତ ହେଉଚି । ମୋର ମତ, ପ୍ରତ୍ୟେକ ଜାତିରେ, ପ୍ରତ୍ୟେକ ସମାଜରେ ଏହି ବିବାହ ନୀତି ଅନୁସରଣ କରାଗଲେ, ଦାମ୍ପତ୍ୟ ଜୀବନ ମଧୁମୟ ହେବ, ଗୃହରେ ଶାନ୍ତି ବିରାଜମାନ କରିବ ! ତଥା ସମାଜର ଅଶେଷ କଲ୍ୟାଣ ସାଧିତ ହେବ ।

 

ଦେବେନ୍ଦ୍ର ଚାହିଁ ରହିଚନ୍ତି ଅବାକ୍‌ ହୋଇ । ସୁରମାଙ୍କର ଯୁକ୍ତି, ତାଙ୍କର ଆଲୋଚନା, ତାଙ୍କ ମତ ପ୍ରକାଶର ଅପୂର୍ବ ଶକ୍ତି ଦେଖି ସେ ଆଶ୍ଚର୍ଯ୍ୟ ହୋଇଗଲେ । ତାଙ୍କର ମନେ ହେଲା ଏପରି ମହୀୟସୀ ନାରୀଙ୍କୁ ସହଧର୍ମିଣୀ ରୂପେ ପାଇଲେ ତାଙ୍କ ମାନବିକତାର ବିକାଶ ହେବ, ତାଙ୍କର ଗୌରବ ବୃଦ୍ଧି ହେବ । ସେ ମୁଗ୍ଧଦୃଷ୍ଟିରେ ସୁରମାଙ୍କ ଆଡ଼େ ଅନାଇଁ ରହିଲେ ।

 

ସୁରମା ଗମ୍ଭୀର ସ୍ୱରରେ କହିଲେ–ମୁଁ ଯାଉଚି, ବାପାଙ୍କୁ ଏ ବିଷୟ ପଚାରିବି । ସେ ଉଠିଗଲେ ।

 

ଦେବେନ୍ଦ୍ର ହଠାତ୍‌ ଉଠି ଆସି ସୁରମାଙ୍କ ଆଗରେ ଠିଆ ହୋଇ ତାଙ୍କର ଗୋଟିଏ ହାତ ଧରି ଦରଦଭରା ସ୍ୱରରେ କହିଲେ–ବସ ରାଣି ! ମୁଁ ସବୁ କହୁଚି ।

 

ସୁରମା ହସି ହସି କହିଲେ–ତେବେ ସବୁ ମିଛ । ବଡ଼ ଦୁଷ୍ଟ ତମେ !

 

ଦେବେନ୍ଦ୍ର କହିଲେ–ବିବାହ କଥା ସତ ! ତେବେ ବର ସେ ନୁହନ୍ତି, ଅନ୍ୟ ଜଣେ ଭାଗ୍ୟବାନ ।

 

ସେ ଭାଗ୍ୟବାନ ବୋଧହୁଏ ମୋର ସମ୍ମୁଖରେ ବର୍ତ୍ତମାନ !

 

ତେବେ ମୋର ପୁରସ୍କାର ମିଳିଯାଉ ! ସୁରମା ବାଧା ଦେବା ପୂର୍ବରୁ ତାଙ୍କର ଥରିଲା ଥରିଲା ଓଠ ସହିତ ଦେବେନ୍ଦ୍ର ନିଜର ଓଠ ମିଳାଇ ଦେଲେ ।

 

ଛି, ବଡ଼ ଖରାପ ତମେ ! ଛାଡ଼ ଛାଡ଼ ଖୋଲା ଯାଗା । କିଏ କାଳେ ଆସିଯିବ । ସୁରମା ଦେବେନ୍ଦ୍ରଙ୍କ ଆଲିଙ୍ଗନ ପାଶରୁ ମୁକ୍ତ ହେଲେ । ଦୁହେଁ ବସିଲେ । ଭବିଷ୍ୟତର ସୁନେଲି କଳ୍ପନାରେ ଦୁହେଁ ହେଲେ ପୁଲକ ବିଭୋର । ଦୁଇଟି ହୃଦୟରେ ଖେଳିଗଲା ଆନନ୍ଦର ମଧୁର ସୁଷମା । ଦୁଇଟି ହୃଦୟ-ତନ୍ତ୍ରୀରେ ବାଜି ଉଠିଲା ମିଳନର ମଧୁର ରାଗିଣୀ । ବହୁଦିନ ପରେ ଦୁହିଁଙ୍କର ରଙ୍ଗିନୀସ୍ୱପ୍ନ ଯେ ସେମାନଙ୍କ ଜୀବନର ଗତି ପଥରେ ରୂପ ନେବାକୁ ଯାଉଛି । ଏଥିପାଇଁ ଈଶ୍ୱରଙ୍କୁ ସେମାନେ ଦେଲେ ଅସଂଖ୍ୟ ଧନ୍ୟବାଦ ।

 

(ଛଅ)

 

ମାସକ ପରେ.....

 

ମହାସମାରୋହରେ ବାଲେଶ୍ୱରର ପ୍ରସିଦ୍ଧ ଜମିଦାର, ରାୟବାହାଦୂର ଶଶଧର ଦାସଙ୍କ ବିଦୂଷୀ କନ୍ୟା ଶ୍ରୀମତୀ ସୁରମାଦେବୀଙ୍କ ସହିତ ସ୍ୱନାମଧନ୍ୟ, ତରୁଣ କବି ଶ୍ରୀଯୁକ୍ତ ଦେବେନ୍ଦ୍ର କିଶୋର ଦାସଙ୍କର ବିଭାଘର ସରି ଯାଇଚି । ପ୍ରଧାନମନ୍ତ୍ରୀଙ୍କଠୁଁ ଆରମ୍ଭ କରି ବହୁ ବିଶିଷ୍ଟ ଭଦ୍ରଲୋକ ଏ ବିବାହରେ ଯୋଗଦେଇ ବର କନ୍ୟାଙ୍କୁ ଆଶିର୍ବାଦ କରିଥିଲେ । ଶ୍ରୀମାନ୍‌ ଓ ଶ୍ରୀମତୀଙ୍କ ଇଚ୍ଛାନୁସାରେ ବିବାହ ଉପଲକ୍ଷରେ ଦେଶ ମିଶ୍ରଣ ପାଣ୍ଠିକି ଦୁଇହଜାର ଟଙ୍କା ଦିଆ ହୋଇଲାଣି । ଏ ବିଭାଘରରେ ଶ୍ରୀଯୁକ୍ତ ଦାସ ତାଙ୍କର ଧନ ଭଣ୍ଡାର ଖୋଲି ଦେଇଥିଲେ ।

 

ବିବାହର ଠିକ୍ ଆଠଦିନ ପରେ ଶଶଧର ବାବୁଙ୍କୁ ହେଲା ଜ୍ୱର । ସେଇ ଯେ ଜ୍ୱର ହେଲା ସେ ତାତି ଆଉ କମିଲାନି । ବାଲେଶ୍ୱରର ସିଭିଲସର୍ଜନଠାରୁ ଆରମ୍ଭ କରି ଓଡ଼ିଶାର ବଡ଼ ବଡ଼ ଚିକିତ୍ସକମାନେ ଚିକିତ୍ସା କଲେ । କିନ୍ତୁ ଜ୍ୱରର ଗତି ଆଉ ବଦଳିଲାନି । ଦିନ କେଇଟା ଭିତରେ ତାଙ୍କର ଅତୁଟ ସ୍ୱାସ୍ଥ୍ୟ ଭାଙ୍ଗି ପଡ଼ିଲା । ସେ ବଡ଼ ଦୁର୍ବଳ ହୋଇ ପଡ଼ିଲେ । ଆହାର ନିଦ୍ରା ତ୍ୟାଗ କରି ପାଦତଳେ ବସି ସୁରମା ଓ ଦେବେନ୍ଦ୍ର କିଶୋର ସେବାରେ ଲାଗି ପଡ଼ିଲେ । ଦୁହିଙ୍କ ଆଖିରେ ଲୋତକ । ଦୁହିଙ୍କ ହୃଦୟରେ ଭୀଷଣ ବେଦନା । ମାଆ ମଲାଦିନୁ ଅତି ଶୈଶବ କାଳରୁ ରାୟ ବାହାଦୂର ପିତା-ମାତାଙ୍କର ସମସ୍ତ ସ୍ନେହ ଢାଳିଦେଇ ସୁରମାଙ୍କୁ ବଢ଼ାଇ ଆଣିଥିଲେ । କୌଣସି କାମନା ସୁରମାଙ୍କ ହୃଦୟରେ ବିକଶିତ ହେବା ସଙ୍ଗେ ସଙ୍ଗେ ତାହା ଯାଇ ତାଙ୍କ ହୃଦୟରେ ପ୍ରତିବିମ୍ବିତ ହେଉଥିଲା । ସେ ସୁରମାଙ୍କ ରୂପରେ ତାଙ୍କ ସ୍ୱର୍ଗୀୟ ପତ୍ନୀଙ୍କର ସ୍ୱରୂପ ଦେଖି ପାରୁଥିଲେ । ସେ ସୁରମାଙ୍କୁ ପୁତ୍ର ଓ କନ୍ୟାର ଉଭୟ ଆସନ ଦେଇଥିଲେ । ସୁରମା ଆଜି ଯୁବତୀ, କିନ୍ତୁ ତାଙ୍କ ଚକ୍ଷୁରେ ସେହି ପିଲାଦିନର ସୁରମା ସେହିପରି ରହି ଯାଇଛି । ତେଣୁ ବାପା ଯେ କ’ଣ ଏହା ସୁରମା ଜାଣନ୍ତି ଭଲ କରି । ଆଜି ସେହି ପିତା, ସମସ୍ତ ସ୍ନେହର ଆଧାର ସେହି ସ୍ନେହମୟ ପିତା ତାଙ୍କ ଜୀବନ-ବସନ୍ତର ପ୍ରାରମ୍ଭରେ ତାଙ୍କୁ ଛାଡ଼ି ଚାଲିଯିବାକୁ ବସିଚନ୍ତି; ଏହା ସୁରମାଙ୍କ ପକ୍ଷରେ କେତେଦୂର ବେଦନାଦାୟକ, କେତେଦୂର ମର୍ମସ୍ପର୍ଶୀ, ଏହା ସୁରମା ଅନୁଭବ କରୁଛନ୍ତି ମର୍ମେ ମର୍ମେ ।

 

ଆଉ ଦେବେନ୍ଦ୍ର, ଯାହାଙ୍କୁ ସେ ନିଜର ସନ୍ତାନଠାରୁ ଅଧିକ ସ୍ନେହ କରୁଥିଲେ । ଗରିବ ବୋଲି ଘୃଣା ନକରି ପ୍ରାଣର ଆବେଗରେ ଯାହାଙ୍କୁ ସେ କୋଳକୁ ଟାଣି ଆଣିଥିଲେ, ସେହି ପିତୃ-ପ୍ରତିମ ସ୍ନେହମୟ ଶ୍ୱଶୁର, ଆଜି ତାଙ୍କୁ ଛାଡ଼ି ଦେଇ ଚାଲି ଯିବାକୁ ବସିଛନ୍ତି । ପିତୃ-ମାତୃ ହୀନ ଦେବେନ୍ଦ୍ର ବାତ୍ସଲ୍ୟ ଯେ କିପରି ଜିନିଷ, ଏହା ଉପଲବ୍‌ଧ କରି ନଥିଲେ କେବେ । ଦେବେନ୍ଦ୍ରଙ୍କର ସେ ଅଭାବ ମୋଚନ ହେଲା ଏଇଠି । ଏଇଠି ସେ ବାତ୍ସଲ୍ୟର ରୂପ ଦେଖି ପାରିଲେ । କିନ୍ତୁ ଏ କ’ଣ ହେଲା ? ଭଗବାନ ତାଙ୍କ ଜୀବନରେ ଏହି କ୍ଷଣିକ ଆସ୍ୱାଦନ ଆଣିଦେଲେ କାହିଁକି ? ଏହାହିଁ କ’ଣ ବିଧିର ନିର୍ବନ୍ଧ ? ନିଜର ମନୋବେଦନା ଆଉ ତା ସହିତ ପ୍ରିୟସଖୀର କରୁଣ ରୂପ ଦେବେନ୍ଦ୍ରଙ୍କୁ ଅସ୍ଥିର କରି ପକାଇଲା ।

 

ଶଶଧରବାବୁ ଅତି କ୍ଷୀଣ ସ୍ୱରରେ ଦେବେନ୍ଦ୍ର ଓ ସୁରମାଙ୍କୁ ପାଖକୁ ଡାକି କହିଲେ–ବାପା ମୋର ! ମାଆ ମୋର ! ତମର ସୁଖ ଦେଖିବାକୁ ଭଗବାନ ମୋତେ ରଖିଲେନି । ମୋର ସେପାରିର ଡାକରା ଆସି ଗଲାଣି । ଦେବେନ୍ଦ୍ରଙ୍କୁ ଅନାଇଁ କହିଲେ–ବାପା, ବାପା, ପ୍ରାଣର ସମସ୍ତ ସ୍ନେହ ଦେଇ ମାଆକୁ ମୋର ବଢ଼ାଇଥିଲି । ଆଜି ତମରି ହାତରେ ତାକୁ ଦେଇ ଯାଉଚି । କେବଳ ଏତିକି ମୋର ଅନୁରୋଧ, ପଛରେ ସେ ଯେପରି ମୋତେ ମନେ ନ ପକାଏ । ଅଶ୍ରୁମୁଖୀ ସୁରମାଙ୍କୁ କୋଳକୁ ଟାଣି ଆଣି ଲୋତକ ପୋଛି ଦେଇ ବୃଦ୍ଧ କ୍ଳାନ୍ତିଭରା ସ୍ୱରରେ କହିଲେ–ମାଆ ମୋର ! ଧନ ମୋର ! ମୁଁ ଯାଉଚି, ବ୍ୟସ୍ତ ହେବୁନି । ମୁଁ ଯାହା ହାତରେ ତୋତେ ସମର୍ପି ଦେଇ ଯାଉଚି, ସେ ଗୋଟିଏ ସୁନା ପିଲା । ତୋର କୌଣସି ଅସୁବିଧା ହେବନି । ଭଗବାନ ତମର ମଙ୍ଗଳ କରିବେ । ବୃଦ୍ଧଙ୍କ ସ୍ୱର କମ୍ପି ଉଠିଲା । ସେ ସେହି କମ୍ପିତ ସ୍ୱରରେ କହିଲେ–ବାପା ଦେବେନ୍ଦ୍ର ! ମୋର ବର୍ତ୍ତମାନ ସବୁ ମନେ ପଡ଼ୁଛି । ଏ ଜଗତ ନଶ୍ୱର, ମୁଁ ଏଇ ହାତରେ କେତେ ଗରିବଙ୍କ ତଣ୍ଟି ଚିପି ଧନଭଣ୍ଡାର ଭର୍ତ୍ତି କରିଥିଲି, କେତେ ଲୋକଙ୍କୁ ବାଟରେ ବସାଇଛି, କେତେ ନିରୀହ ଲୋକଙ୍କର ସର୍ବନାଶ କରିଚି । ଆଜି ମୁଁ ଚାଲି ଯାଉଚି, ସଙ୍ଗରେ କାଣି କଉଡ଼ିଟିଏ ସୁଦ୍ଧା ନେଇ ପାରିଲିନି । ସବୁ ଏଇପରି । ଏତେଦିନ ପରେ ମୁଁ ବୁଝିଲି, ଭେଲ ଆଉ ଖାଣ୍ଟିର ପାର୍ଥକ୍ୟ ତେଣୁ ମୋ କଥା ମନେ ରଖିବ, ମୋ ଆଦର୍ଶରେ କେବେ ଅନୁପ୍ରାଣିତ ହେବନି । ଯେଉଁମାନଙ୍କର ମୋଦ୍ୱାରା ସର୍ବନାଶ ହୋଇଚି, ସେମାନଙ୍କୁ ସେମାନଙ୍କର ସମ୍ପତ୍ତି ଫେରାଇ ଦେବ । ମୁଁ ଏତେ ଟଙ୍କା ରଖି ଯାଇଚି, ଦୁଇ ହାତରେ ଖର୍ଚ୍ଚ କଲେ ବି ସେ ଅସରନ୍ତି ଭଣ୍ଡାର ସରିବନି । ତମ ଇଚ୍ଛାନୁସାରେ ସତ୍‌କାର୍ଯ୍ୟରେ ଧନ ବ୍ୟୟ କରିବ । ଗରିବଙ୍କର ଦୁଃଖ ଦେଖିବ । ମୁଁ ଜୀବଦ୍ଦଶାରେ ଯାହା କରି ପାରିନି, ମୁଁ କହି ଯାଉଚି, ତମେମାନେ ତା’ କରିବ ।

 

ଦୁହିଙ୍କ ମୁଣ୍ଡରେ ହାତ ରଖି ବୃଦ୍ଧ କହିଲେ–ଭଗବାନ ତମର ମଙ୍ଗଳ କରିବେ ।

 

ସୁରମାଙ୍କର ରୁଦ୍ଧ ବେଦନା ଆଉ ବାଧା ମାନିଲାନି । ସେ ଭୋ–ଭୋ କାନ୍ଦି ଉଠିଲେ । ଦେବେନ୍ଦ୍ରଙ୍କର ସ୍ନେହପ୍ରବଣ-ହୃଦୟ ବ୍ୟଥାରେ ଭରିଗଲା । ସେ ମଧ୍ୟ ପିଲାଙ୍କ ପରି କାନ୍ଦି ପକାଇଲେ ।

 

ବୃଦ୍ଧ ଲୋତକ ପୋଛି ନିଶ୍ୱାସ ନେଇ କହିଲେ–ତମର ଆଉ କିଏ ଅଛି ଯେ ତମକୁ ବୁଝାଇବ । ସଂସାରର ଗତି ଏଇୟା । ଜନ୍ମ ସଙ୍ଗେ ସଙ୍ଗେ ମରଣ ଅଲକ୍ଷରେ ଲାଗି ରହିଥାଏ । ତମେମାନେ ଆଉ ବ୍ୟସ୍ତ ହୁଅନା, ଧୈର୍ଯ୍ୟ ଧର । ବୃଦ୍ଧ ଯେପରି ଆଉ କ’ଣ କହିବାକୁ ହୋଇ କହି ପାରିଲେନି । ବହୁ କଷ୍ଟରେ ପୁଣି ନିଶ୍ୱାସ ନେଇ କନ୍ୟା ଓ ଜାମାତାଙ୍କଆଡ଼କୁ ଅନାଇଲେ । କ୍ଷୀଣ ସ୍ୱରରେ ପୁଣି କହିଲେ, ମୁଁ ଓକିଲଙ୍କୁ ଡକାଇଚି, ସେ ପ୍ରାୟ ଆସିଯିବେ । କାହା ନାଆଁ ରେ ‘ଉଇଲ’ ସମ୍ପାଦନ କରିବାକୁ ହେବ, ତମେ ଦୁହେଁ ବିଚାର କରି କୁହ ।

 

ଏତିକି ପ୍ରଶ୍ନରେ ଦେବେନ୍ଦ୍ର ଓ ସୁରମା ଉଭୟ ଉଭୟଙ୍କଆଡ଼କୁ ଅନାଇଲେ । ସୁରମା କ୍ରନ୍ଦନ ଜଡ଼ିତ ସ୍ୱରରେ କହିଲେ–ଉଇଲ୍‌ ତାଙ୍କ ନାମରେ କରି ଦିଅନ୍ତୁ । ଦେବେନ୍ଦ୍ର ବାଧା ଦେଇ କହିଲେ, ଆମ ଭିତରେ କ’ଣ କିଛି ବ୍ୟବଧାନ ଅଛି ! ଉଇଲ୍‌ ସୁରମା ନାଆଁରେ ହେବ । ତାଙ୍କ କଥା ଶେଷ ହେବା ସଙ୍ଗେ ସଙ୍ଗେ ଓକିଲବାବୁ ହାଜର ହୋଇଗଲେ । ଦେବେନ୍ଦ୍ରଙ୍କ ପ୍ରସ୍ତାବ ଅନୁସାରେ ସୁରମାଙ୍କ ନାଆଁରେ ଉଇଲ୍‌ ସମ୍ପାଦନ କରାଗଲା ।

 

ତହିଁ ଆରଦିନ ଠିକ୍‌ ସନ୍ଧ୍ୟାବେଳେ ଜଗତର ସମସ୍ତ ମାୟା ବନ୍ଧନ ଛିଣ୍ଡାଇ ଦେଇ, କନ୍ୟା ଓ ଜାମାତାଙ୍କୁ ଶୋକ ସାଗରରେ ଭସାଇ ଦେଇ, ଶଶଧରବାବୁ ଚାଲିଗଲେ ଅମର ଧାମକୁ । ଗୋଟିଏ ଶୋକର ଗଭୀର ଛାୟା ତାଙ୍କ ଛୋଟ ପରିବାରଟି ଉପରେ ଖେଳିଗଲା ।

 

ଦେବେନ୍ଦ୍ର କିଶୋରଙ୍କର ବହୁ ସାଧ୍ୟ ସାଧନା, ବହୁ ଆଶ୍ୱସନା, ବହୁ ସ୍ନେହ ଆଦର ପରେ–ଦୁଇ ଦିନରେ ସୁରମାଦେବୀ ଶଯ୍ୟାତ୍ୟାଗ କଲେ । ତଥାପି ନିମିଷକ ପାଇଁ ଭୁଲ୍‌ରେ ସୁଦ୍ଧା ଦେବେନ୍ଦ୍ର ସୁରମାଙ୍କ ପାଖ ଛାଡ଼ନ୍ତିନି ।

 

ସ୍ୱାମୀ ଓ ସ୍ତ୍ରୀଙ୍କ ପରାମର୍ଶରେ ଶଶଧର ବାବୁଙ୍କ ଶୁଦ୍ଧିକ୍ରିୟା ସକାଶେ ପ୍ରାୟ ପାଞ୍ଚହଜାର ଟଙ୍କାର ଗୋଟିଏ ଲମ୍ବା ତାଲିକା କରି ଦେବେନ୍ଦ୍ର କିଶୋର ମ୍ୟାନେଜରଙ୍କ ହାତକୁ ବଢ଼ାଇ ଦେଲେ ।

 

ସମାରୋହରେ ଶ୍ରାଦ୍ଧକାର୍ଯ୍ୟ ସମାପନ ହେଲା । ଏଥିରେ ବହୁ ବିଶିଷ୍ଟ ଲୋକେ ସହଯୋଗ ଓ ସହାନୁଭୂତି ପ୍ରଦର୍ଶନ କରିଥିଲେ । ଦିନ ଯେତେ ଗଡ଼ିବାକୁ ଲାଗିଲା, ସୁରମା ଓ ଦେବେନ୍ଦ୍ରଙ୍କ ହୃଦୟରୁ ସେତେ ଶୋକର ଛାପ କମିବାକୁ ଲାଗିଲା । ଜମିଦାରୀର ସମସ୍ତ ଦାୟିତ୍ୱ ପଡ଼ିଲା ଦେବେନ୍ଦ୍ରଙ୍କ ଉପରେ । ଏଥିରେ ତାଙ୍କୁ ସୁରମା ମଧ୍ୟ ସାହାଯ୍ୟ କଲେ ।

 

(ସାତ)

 

ଦେବେନ୍ଦ୍ର କିଶୋରଙ୍କର ଜମିଦାରୀ ବୁଝାସୁଝା କରିବା ପ୍ରାୟ ଛ ମାସ ବିତିଗଲାଣି । ଲୋକମାନେ ଯେଉଁ କଳ୍ପିତ ‘ରାମ-ରାଜ୍ୟ’ର କଥା ଶୁଣୁଥିଲେ, ଆଜି ଦେବେନ୍ଦ୍ରଙ୍କର ପ୍ରଜାମାନେ ପ୍ରତ୍ୟକ୍ଷଭାବରେ ତାହା ଅନୁଭବ କରୁଚନ୍ତି । ପ୍ରଜାମାନଙ୍କର ମଙ୍ଗଳ ପାଇଁ ନାନାପ୍ରକାର ଉନ୍ନତିମୂଳକ ଯୋଜନାସବୁ କରାଯାଇଛି । ଅଧିକ ଶସ୍ୟ ଉତ୍ପାଦନ ପାଇଁ ଚାଷ ଜମିରେ ଜମି ଭେଡ଼ା ସବୁ କରାଯାଉଛି । ବଡ଼ ବଡ଼ ପୋଖରୀସବୁ ଖୋଳାଯାଇ ଜଳଭଣ୍ଡାର କରି ରଖା ଯାଉଛି । ଆଦର୍ଶ ରୂପେ ଲାଭଜନକ ଫସଲସବୁ କରାଯାଇ ପ୍ରଜାମାନଙ୍କୁ କୃଷି ଶିକ୍ଷା ଦିଆଯାଉଛି । ଭଲ ଭଲ ମଞ୍ଚ ସବୁ ବଣ୍ଟା ଯାଉଛି ।

 

ସ୍ୱାସ୍ଥ୍ୟର ଉନ୍ନତିକଳ୍ପେ ଗାଁ ଗହଳମାନଙ୍କରେ ଚିକିତ୍ସାଳୟ ସବୁ ସ୍ଥାପନ କରାଯାଇ ରୋଗୀମାନଙ୍କୁ ଔଷଧସବୁ ବଣ୍ଟା ଯାଇଚି । ତା ସଙ୍ଗେ ସଙ୍ଗେ ରୋଗ ପ୍ରତିଷେଧନର ବ୍ୟବସ୍ଥା ମଧ୍ୟ କରାଯାଉଚି । ଶିକ୍ଷାର ପ୍ରସାର ପାଇଁ ଗାଁ ଗହଳିମାନଙ୍କରେ ପ୍ରାଥମିକ ସ୍କୁଲ ଓ ମୌଳିକ ସ୍କୁଲମାନ ଖୋଲା ଯାଉଚି । ପ୍ରତ୍ୟେକ ଗ୍ରାମରେ ‘ଗ୍ରାମମଙ୍ଗଳ ସମିତି’ ସ୍ଥାପନ କରାଯାଇ ଗାଁର କଳିକଜିଆମାନ ନିଷ୍ପତ୍ତି କରାଯାଉଚି । ଷ୍ଟେଟର ସାହାଯ୍ୟରେ କେତେଜଣ କର୍ମୀ ରହି ଏସବୁ ତତ୍ତ୍ୱାବଧାନ କରୁ ଅଛନ୍ତି ।

 

ପୂର୍ବ ଜମିଦାରଙ୍କ ଅମଳରେ ଯେଉଁସବୁ ବେଆଇନ ଖଜଣା ଆଦାୟ କରାଯାଉଥିଲା ଜମିଦାରଙ୍କ ଅମଲାମାନେ ପ୍ରଜାମାନଙ୍କ ଉପରେ ଯେଉଁସବୁ ଅତ୍ୟାଚାର କରୁଥିଲେ, ତାହାସବୁ ତୁରନ୍ତ ବନ୍ଦ କରିବା ପାଇଁ ଅମଲାମାନଙ୍କ ଉପରେ କଡ଼ା ଆଦେଶ ଜାରି କରାଯାଇଛି । ପ୍ରଜାମାନଙ୍କୁ ଜଣାଇ ଦିଆଯାଇଅଛି, ଯାହାର ଯାହା ଆପତ୍ତି, ସିଧା ସଳଖ ଜମିଦାରଙ୍କ ନିକଟରେ ଆଗତ କରିବେ ।

 

ଆଜିକାଲି ଯୁଆଡ଼େ ଶୁଣିବ, କେବଳ ନୂଆ ଜମିଦାରଙ୍କ ଭୁରିଭୁରି ପ୍ରଶଂସା ଲୋକମାନଙ୍କ ମୁହଁରୁ ଶୁଣା ଯାଉଚି । ତଥାପି ଦେବେନ୍ଦ୍ର କିଶୋରଙ୍କ ଉପରେ ଅମଲାମାନେ ସନ୍ତୁଷ୍ଟ ନୁହନ୍ତି । ତାଙ୍କର ସ୍ଵାର୍ଥ ଉପରେ ବାଧା ପଡ଼ିବାରୁ ଦେବେନ୍ଦ୍ରଙ୍କ ଉପରେ ସେମାନେ ଖଡ଼୍‍ଗହସ୍ତ । ପତି ପତ୍ନୀଙ୍କ ମଧ୍ୟରେ କିପରି ମନୋମାଳିନ୍ୟ ସୃଷ୍ଟି କରିବେ, ଏଥିପାଇଁ ସେମାନେ ଚେଷ୍ଟିତ ସବୁବେଳେ ।

 

ଦେବେନ୍ଦ୍ର ଓ ସୁରମାଙ୍କ ଦାମ୍ପତ୍ୟ ଜୀବନ ଦିନକୁଦିନ ମଧୁମୟ ହୋଇ ଉଠୁଛି । ଗୋଟିଏ ହୃଦୟରେ କୌଣସି ଏକ କାମନା ବାସନା ରୂପାୟିତ ହେଲେ, ସଙ୍ଗେ ସଙ୍ଗେ ଅନ୍ୟ ହୃଦୟରେ ତାର ଛାୟାପାତ ହୁଏ । ଦେବେନ୍ଦ୍ର ଓ ସୁରମା କ୍ଷଣକ ପାଇଁ ଛଡ଼ାଛଡ଼ି ହୁଅନ୍ତିନି । ସତେ ଯେପରି ଗୋଟିଏ ବୃନ୍ତରେ ଦୁଇଟି ପୁଷ୍ପ କିମ୍ବା ଗୋଟିଏ ମୃଣାଳରେ ଦୁଇଟି ପଦ୍ମ । ଗୋଟିଏ କାୟା ହେଲେ ଅନ୍ୟଟି ଛାୟା । ଜଣେ ଦରଦ ହେଲେ ଅନ୍ୟ ଜଣକ ଦରଦୀ । ଜଣେ ପ୍ରେମ ହେଲେ ଅନ୍ୟଜଣକ ପ୍ରେମିକ ।

 

ସନ୍ଧ୍ୟା ହେଲେ ଦୁହେଁ ବୁଲି ବାହାରନ୍ତି ମଟରରେ । ସୁରମା ଚାଳକ ଆସନରେ ବସି ମଟର ଚଳାନ୍ତି । ଦେବେନ୍ଦ୍ର ତାଙ୍କ ପାଖରେ ବସି ନାନାପ୍ରକାର ଗପସପ ହୁଅନ୍ତି । ଯେବେ ଅବା ମଟର ଟିକେ ହଲିଯାଏ, ସୁରମା ଅସଂଯତ ଭାବେ ଢଳି ପଡ଼ନ୍ତି ଦେବେନ୍ଦ୍ରଙ୍କ ଉପରେ । ତାଙ୍କର ବେଣୀଟି ଦେବେନ୍ଦ୍ରଙ୍କ ଅଙ୍ଗ ସ୍ପର୍ଶ କରେ । ସୁରମାଙ୍କର କବରୀ କୁସୁମ ସୁଗନ୍ଧରେ ଦେବେନ୍ଦ୍ରଙ୍କ ପ୍ରାଣରେ ଖେଳିଯାଏ ଏକ ଅପୂର୍ବ ଉନ୍ମାଦନା । ଦୁହେଁ ଯାଇ ପହଞ୍ଚନ୍ତି ନଦୀ ତୀରରେ ।

 

ସେଦିନ ସୁରମାଙ୍କଆଡ଼େ ପୂର୍ଣ୍ଣ ଦୃଷ୍ଟିରେ ଚାହିଁ ଦେବେନ୍ଦ୍ର କହିଲେ–ସତେ ! କେଡ଼େ ସୁନ୍ଦର ତମେ ରାଣି ! ପୂର୍ବଜନ୍ମ ତପସ୍ୟାର ଫଳରେ ମୁଁ ଯେପରି ରତ୍ନଟିଏ ପାଇଲି । ଆଉ ତମେ...

 

ଦେବେନ୍ଦ୍ରଙ୍କ କଥା ଛଡ଼ାଇ ନେଇ ସୁରମା କହିଲେ–‘‘ବଡ଼ ଭାଗ୍ୟବତୀ ।’’

 

–ଓଲଟା କହିଲ ତମେ ରମା !

 

ଓଲଟା ନୁହେଁ, ନିର୍ଜଳା ସତ । ତମପରି ଦେବକୁମାରର କର-ପରଶ କରିବା ମୋର ସୌଭାଗ୍ୟ । ଥରେ ଥରେ ମୁଁ କ’ଣ ଭାବେ ଜାଣ ? ମୁଁ ଭାବେ, ମୋ ପରି ସୌଭାଗ୍ୟବତୀ ନାରୀ ଓଡ଼ିଶାରେ ଦୁଇଟି ନଥିବେ ।

 

ଦେବେନ୍ଦ୍ର ସୁରମାଙ୍କର ଆହୁରି ପାଖକୁ ଲାଗିଯାଇ ତାଙ୍କର ଗୋଟିଏ କୋମଳ ପାପୁଲି ସାଉଁଳୁ ସାଉଁଳୁ ହସି ହସି କହିଲେ, ତମର ଏହି ଅଙ୍ଗଲତାର ଅପୂର୍ବ ପରଶରେ ମୋର ଜୀବନ ଧନ୍ୟ ! ମୁଁ କୃତାର୍ଥ ରାଣି !

 

ସନ୍ଧ୍ୟା ଆସେ । ଦୁହେଁ ଫେରନ୍ତି ।

 

(ଆଠ)

 

ରାସ୍ତାକଡ଼ରେ ଘର ଖଣ୍ଡି । ଦାମ ବେହେରା ତାର ବିଧବା ପତ୍ନୀ ଓ ଯୁବତୀ କନ୍ୟା ଗେହ୍ଲାମଣିକି ଛାଡ଼ି ଇହଧାମରୁ ଚାଲି ଯାଇଚି । କିନ୍ତୁ ସେମାନଙ୍କର ଚଳିବା ପାଇଁ କିଛି ସମ୍ବଳ ରଖିଯାଇନି । ମାଆ, ଝିଅ ଦୁହେଁ ଗୋବର ଗୋଟେଇ ପର ଘରେ ଧାନ କୁଟି ଜୀବିକା ନିର୍ବାହ କରନ୍ତି । ଗେହ୍ଲୀ ଯୁବତୀ । ବୟସ ୧୬–୧୭ହେବ । ଦେଖିବାକୁ ବେଶ୍‌ ଡଉଲ । ଦେହସାରା ଯୌବନ ଉଛୁଳି ଉଠୁଛି । ଅବଶ୍ୟ ସେମାନେ ଗରିବ, ଅଭାବର କଷାଘାତରେ ଜର୍ଜରିତ । ତଥାପି ଗେହ୍ଲୀର ଚରିତ୍ର ବିରୁଦ୍ଧରେ କେହି କିଛି କହିବାର କେବେ ଶୁଣା ଯାଇନି ।

 

ଗେହ୍ଲୀ କି ଜ୍ୱର । ଦେହ ତାତିରେ ଖଇ ଫୁଟି ଯାଉଛି । ସେ ପ୍ରଳାପ କରୁଚି । ଆଜିକି ୮ଦିନ ହେଲା ତାର ବିଧବା ମାଆ ତା’ ପାଖରେ ଜଗି ବସିଛି । ଘରେ ଯାହା ଥିଲା ସରିଗଲାଣି । ୨ଦିନ ହେଲା ହାଣ୍ଡି ଚୁଲି ଉପରକୁ ଯାଇନି । ଔଷଧ ଓ ପଥ୍ୟର ଅଭାବରେ ରୋଗ ଦିନକୁଦିନ ବଢ଼ି ଚାଲିଚି । ୨ଦିନ ଉପାସ ରହିବା ଫଳରେ ତାର ମାଆ ମଧ୍ୟ ଦୁର୍ବଳ ହୋଇ ପଡ଼ିଲାଣି ।

 

ସେଦିନ ସକାଳେ ଦେବେନ୍ଦ୍ର କିଶୋର ତାଙ୍କ ଅଭ୍ୟାସ ଅନୁଯାୟୀ ପ୍ରାତଃଭ୍ରମଣରେ ଯାଇଚନ୍ତି । ଗେହ୍ଲୀମାଆ ଆସି ତାଙ୍କ ଗୋଡ଼ତଳେ ଲମ୍ବ ହୋଇ ପଡ଼ିଗଲା । କାନ୍ଦି କାନ୍ଦି କହିଲା–ହଜୁର ମାଆ ବାପ ।

 

ଦେବେନ୍ଦ୍ର ବିସ୍ମିତ ସ୍ୱରରେ କହିଲେ–କ’ଣ କଥା କ’ଣ ?

 

ବୃଦ୍ଧା କ୍ରନ୍ଦନଜଡ଼ିତ ସ୍ୱରରେ କହିଲା–ମୋ ଝୁଅ ଆଉ ବଞ୍ଚିବନି !

 

ଦେବେନ୍ଦ୍ର ପଚାରିଲେ–କ’ଣ ହୋଇଚି ?

 

ବାବୁ ! ମୋ ଝୁଅ ଜରରେ ଅତି ହାଲିଆ ହୋଇ ପଡ଼ିଲାଣି । ଆଜି ଆଉ ଶବଦ ମାନିବାକୁ ଚାହିଁ । ମୁଁ କ’ଣ କରିବି, ମୋ ଝୁଅ–ବୁଢ଼ୀ ଭୋ-ଭୋ କାନ୍ଦି ଉଠିଲା ।

 

ଦେବେନ୍ଦ୍ରଙ୍କର କୋମଳ-ହୃଦୟ ଦୟାରେ ତରଳି ଗଲା । ସେ ଦେଖିଲେ ଆଗରେ ଜଣେ ଲୋକ ଯାଉଚି । ତାକୁ ଡାକି କହିଲେ–ତମେ ଆମର ସଦର ଗୁମାସ୍ତା ଦୀନବନ୍ଧୁଙ୍କୁ କହିବ, ସେ ସଙ୍ଗରେ କିଛି ଟଙ୍କା ଧରି ଡାକ୍ତରବାବୁଙ୍କୁ ଆଣି ଆସିବେ । ଏତିକି କହିସାରି ବୁଢ଼ୀକି ଅନାଇଁ କହିଲେ–ଚାଲିଲ ଦେଖିବା କ’ଣ ହୋଇଚି ।

 

ବୁଢ଼ୀ ପଛେ ପଛେ ଯାଇ ଦେବେନ୍ଦ୍ର ଦେଖିଲେ–ଗୋଟିଏ ଛିଣ୍ଡା ଖଜୁରିପଟି ଉପରେ ଶୋଇଛି ଗେହ୍ଲୀ । ଦେବେନ୍ଦ୍ର କିଶୋର ହଠାତ୍‌ ତଳେ ବସି ତା ଉତ୍ତାପ ପରୀକ୍ଷା କଲେ । ବୁଢ଼ୀ କହିଲ–ହାଁ-ହାଁ ତଳେ ବସିଗଲେ ବାବୁ ! ଗୋଟିଏ ଅଖା ପକାଇଦେଲା । ଦେବେନ୍ଦ୍ର କପାଳରେ ହାତ ଦେଇ ଦେଖିଲେ–ଭୀଷଣ ତାତି । ଉତ୍ତାପ ପ୍ରାୟ ୧୦୩, ୧୦୪ ଡିଗ୍ରୀ ହେବ । ବୁଢ଼ୀକି ପଚାରିଲେ, କ’ଣ ଔଷଧର ବ୍ୟବସ୍ଥା କରିଥିଲ ?

 

ବୁଢ଼ୀ କହିଲା–ଓଷଦତ ଦୂରର କଥା ! ଆଜିକୁ ଦୁଇଦିନ ହେଲା ଆମେ ମାଆ ଝିଅ ଦି’ପ୍ରାଣୀ ପାଟିରେ ପାଣି ସୁଦ୍ଧା ଦେଇନୁ । ଝୁଅକୁ ଆଠଦିନ ହେଲା ଜର ହେଲା । ମୁଁ ତାକୁ ଛାଡ଼ି କୁଆଡ଼େ ଯାଇ ପାରିଲିନି । ଘରେ ଯାହା ଚାଉଳପତ୍ର ଥିଲା, ସବୁ ସରିଲା । ଦି’ଦିନ ହେଲା ଆମେ ଉପାସ । ବୁଢ଼ୀ ଆଖି ଲୁହରେ ଭରିଗଲା ।

 

ଦେବେନ୍ଦ୍ରଙ୍କ ହୃଦୟ ଅନୁକମ୍ପାରେ ଭରିଗଲା । ସହାନୁଭୂତି ସ୍ୱରରେ ସେ କହିଲେ–ତମର ଆଉ କିଛି ଚିନ୍ତା ନାହିଁ ବୁଢ଼ୀ ! ମୁଁ ସବୁ ବନ୍ଦୋବସ୍ତ କରିଦେବି ।

 

ଅଳ୍ପସମୟ ପରେ ଡାକ୍ତର ଓ ସଦରଗୁମାସ୍ତା ଦୀନବନ୍ଧୁ ଆସି ପହଞ୍ଚିଲେ । ଡାକ୍ତର ନାଡ଼ି ଦେଖି ଔଷଧ ଦେଲେ । ଖାଦ୍ୟପେୟର ସମସ୍ତ ବନ୍ଦୋବସ୍ତ ହୋଇଗଲା । ରୋଗୀର ଶୋଇବା ପାଇଁ ଶେଯ, ଚଦର କିଣି ଦିଆଗଲା । ଜ୍ୱର ଛାଡ଼ିବା ପର୍ଯ୍ୟନ୍ତ ଦୁଇଓଳି ଦେଖିବା ପାଇଁ ଡାକ୍ତରଙ୍କୁ ଆଦେଶ ଦେଇ ଦେବେନ୍ଦ୍ର ଫେରି ଆସିଲେ ଘରକୁ ।

 

୫-୬ଦିନ ପରେ ଗେହ୍ଲୀ ଭଲ ହୋଇଗଲା । କିନ୍ତୁ ତାକୁ ଆଉ ଗୋବର ଗୋଟାଇବାକୁ ହେଲାନି । ଗେହ୍ଲୀ ସାମାନ୍ୟ କିଛି ଲେଖି ପଢ଼ି ଶିଖିଥିଲା । ଆଉ ପାଠ ପଢ଼ିବାପାଇଁ ଦେବେନ୍ଦ୍ର ତା’ ସକାଶେ ଯୋଗାଡ଼ କରିଦେଲେ । କିଛି କିଛି ସରକାରୀ ସାହାଯ୍ୟ ମଧ୍ୟ ମିଳିଲା । ସେଥିରେ ମାଆ, ଝିଅଙ୍କର ଖର୍ଚ୍ଚ ଚଳିଯାଏ । ଦେବେନ୍ଦ୍ରକିଶୋର ମଧ୍ୟ କିଛି ସାହାଯ୍ୟ କରନ୍ତି । କେତେବେଳେ ଶାଢ଼ି ଯୋଡ଼ାଏ, କେତେବେଳେ ଧାନ କିଛି ସେମାନଙ୍କୁ ଦିଅନ୍ତି ।

 

ମାଆ, ଝିଅ ଦୁହେଁ ଦେବେନ୍ଦ୍ରଙ୍କୁ ଦେବତା ପରି ଭକ୍ତି କରନ୍ତି ।

 

ଏହାକୁ ସୁଯୋଗରୂପେ ଗ୍ରହଣ କରି ଅମଲାମାନେ ଦେବେନ୍ଦ୍ରଙ୍କ ବିରୁଦ୍ଧରେ ଏକ ଷଡ଼ଯନ୍ତ୍ର ଆରମ୍ଭ କଲେ ।

 

ସେଦିନ ୩ଟାବେଳେ ଦେବେନ୍ଦ୍ର ଥାନ୍ତି କଚେରିରେ । ସୁରମାଦେବୀ ଏକାକିନୀ ବସି କ’ଣ ଖଣ୍ଡିଏ ବହି ପଢ଼ୁଛନ୍ତି । ଚାକର ଗୋବିନ୍ଦା ପ୍ରବେଶ କରି ହାତ ମଳିମଳି କହିଲା–ମାଆ ! ମୁଁ ଆପଣଙ୍କୁ କେତେଥର ଗୋଟିଏ କଥା କହିବି କହିବି ହୁଏ, କହି ପାରେନି ।

 

ସୁରମା ପଚାରିଲେ–କ’ଣ କଥା କହ ।

 

ମାଆ ! ମୋର ଭୟ ହେଉଚି । ବାବୁ ଶୁଣିଲେ ମୋ ଦାନାଖଣ୍ଡିକ ଯିବ । ଏହି ଘରେ ଚାକିରି କରି ମୋର ବାଳ ପାଚିଲା; ବୁଢ଼ା ହେଲି । ସାଆନ୍ତଙ୍କର ମୁଁ ଥିଲି ସବୁଠଉଁ ବିଶୁଆସୀ । କେତେ କେତେ କଥା ଏ ପେଟରେ ପୂରାଇ ରଖିଚି । ତମପାଇଁ ମୁଁ ଜୀବନ ଦେଇପାରେ ମାଆ ! ମାଆ......

 

ଏତେ ଅବତରଣିକା ହେବା ଦରକାର ନାହିଁ । କଥା କ’ଣ କହ !

 

ଗୋବିନ୍ଦା କୁଣ୍ଠିତସ୍ୱରରେ କହିଲା–କ’ଣ କହିବି ମାଆ ! ତମ ଟଙ୍କା ତମେ ଖର୍ଚ୍ଚ କରୁଚ, ମୋର କି ଗଣ୍ଠି ସରୁଚି ।

 

ସୁରମା ପୁଣି ପଚାରିଲେ–କିରେ, କଥା କ’ଣ ?

 

ଗୋବିନ୍ଦା ହାତ ମଳି ମଳି କହିଲା–ହଜାର ହଜାର ଟଙ୍କା ବାବୁ ଉଡ଼ାଇ ଦେଉଚନ୍ତି । ଆଉ ତା ସଙ୍ଗେ ସଙ୍ଗେ ଯେଉଁ ଛୋଟିଆ କଥା ।

 

ହୁସିୟାର ଗୋବିନ୍ଦା ! ପତ୍ର ସାଉଁଟିବା ଲୋକର ତୋଟା ମୂଲ କରିବା ଦରକାର ନାହିଁ ।

ଗୋବିନ୍ଦା ଠାକି ଠାକି କହିଲା–ବଡ଼ ଅସୁନ୍ଦର କଥା ମାଆ ! ଆପଣ ପରା ରଜା ! ଛୋଟ ଲୋକ ଘରେ ଯାଇ ଏପରି କଲେ ଲୋକେ କ’ଣ କହିବେ–

ଛୋଟ ଲୋକ ଘରେ କ’ଣ କଲେ ?

ମାଆ ! ଆପଣ ଦାମା ଗଉଡ଼ ଝିଅକୁ ଦେଖିଥିବେ । ବର୍ତ୍ତମାନ ତା’ରି ପିଛାରେ ଶହ ଶହ ଟଙ୍କା ଖର୍ଚ୍ଚ ହେଉଚି ।

ବିସ୍ମିତ ସ୍ୱରରେ ସୁରମା ପଚାରିଲେ–ତୁ ଦେଖିଛୁ ନିଜେ ?

ଗୋବିନ୍ଦା ପ୍ରଥମେ ଟିକେ ହଡ଼ବଡ଼େଇ ଯାଇ କହିଲା, ମାଆ ! ମୁଁ ଆପଣଙ୍କ ଆଗରେ ମିଛ କଥା କହିବି ? ମୋ ଜିଭ ରହିବ ? ମୁଁ ଏ ଘରର ନିମକ ଖାଇଚି । ମୁଁ କେବେ ନିମକ ହାରାମ ହେବିନି । ମୁଣ୍ଡରେ ହାତ ଦେଇ ଗୋବିନ୍ଦା ବସିପଡ଼ିଲା । ଆପଣ ନିଜେ ଯାଇ ଦେଖନ୍ତୁ, ମୋ କଥା ସତ କି ମିଛ ! ବାବୁ ପରା ସବୁଦିନେ ଯାଆନ୍ତି ଦାମା ଗଉଡ଼ ଘରକୁ । ମୁଁ ଦିନେ ସେ ବାଟରେ ଆସୁଥିଲି, ମୋ ଆଖିରେ ପଡ଼ିଗଲା । ମୁଁ ଦେଖିଲି ଆମ ବାବୁ ଆଉ ଦାମା ଗଉଡ଼ ଝିଅ କାନ୍ଧରେ ହାତ ପକାପକି ହୋଇ ବସିଥିଲେ ।

ସୁରମା ଧମକ ସ୍ୱରରେ କହିଲେ, ତୁ କାହା ନାଆଁରେ କ’ଣ କହୁଛୁ ଜାଣୁ ! ତୋର ତ ଭାରି ସାହସ । ଦାମା ଝିଅ ଗେହ୍ଲୀ ଗୋବର ଗୋଟେଇ ଗେହ୍ଲୀ କାନ୍ଧରେ ବାବୁ ହାତ ପକାଇ ଥିଲେ-? ମିଛ କଥା ! ଅସମ୍ଭବ କଥା !

 

ମାଆ ! ମିଛ ନୁହେଁ । ଧର୍ମକୁ ହାତ ବଢ଼ାଇ କହୁଛି, ମୁଁ ଯେବେ ମିଛ କହୁଥିବି ମୋ ଶରୀର ରହିବନି ! ଆପଣ ଅନ୍ନଦାତା ମୋର, ମୁଁ ଆପଣଙ୍କ ନାଆଁରେ ମିଛ କହିବି ?

 

ସୁରମା କିଛିକ୍ଷଣ ନିର୍ବାକ ହୋଇଗଲେ । ଗମ୍ଭୀର ସ୍ୱରରେ କହିଲେ–ତୁ ଯା’ ଗୋବିନ୍ଦା !

 

ଗୋବିନ୍ଦା ଉଠି ସୁରମାଙ୍କଆଡ଼େ ମୁହଁ ବୁଲାଇ ଟିକେ ହସିଦେଲା । ଦାଣ୍ଡ ଦରଜାରେ ଗୋବିନ୍ଦାର ଦେଖା ହେଲା ଦୀନବନ୍ଧୁଙ୍କ ସାଙ୍ଗରେ । ଦିନବନ୍ଧୁ ପଚାରିଲେ କିରେ ଗୋବିନ୍ଦା । କ’ଣ ହେଲା । ଔଷଧ ଧରିଚ ତ ?

 

ଗୋବିନ୍ଦା ତାଚ୍ଛଲ୍ୟର ହସ ହସି କହିଲା–ତମେ କି ଗୋବିନ୍ଦାକୁ ଚିହ୍ନିନା ଗୁମାସ୍ତା ବାବୁ । ଗୋବିନ୍ଦା ଯେଉଁଥିରେ ହାତ ଦବ, ସେ କାମ ସାରା ନ କରି ଛାଡ଼ିବ ? ଦବଟି ମୋର ପୁରସ୍କାର ।

 

ଆଚ୍ଛା ହଉ ମ୍ୟାନେଜରବାବୁଙ୍କୁ କହି ଆଜି ତୋର ପୁରସ୍କାର ଦିଆଇ ଦେବା ।

 

(ନଅ)

 

ଦେଶ ମିଶ୍ରଣ ସଭାରେ ଯୋଗ ଦେବାପାଇଁ ଦେବେନ୍ଦ୍ର ଯାଇଛନ୍ତି କଟକ । ସଙ୍ଗରେ ଯାଇଚି ବିଶ୍ୱସ୍ତ ଅନୁଚର ଅନନ୍ତ । ଅମଲାମାନେ ଏହି ସୁଯୋଗର ସଦ୍‌ବ୍ୟବହାର କଲେ ।

 

ସେଦିନ ସୁରମାଦେବୀ ଖାଇସାରି ଗୋଟିଏ ଆରାମ ଚଉକି ଉପରେ ବସିଛନ୍ତି । ଦୀନବନ୍ଧୁ ଯାଇ ଠିଆ ହୋଇଗଲେ ହାତ ମଳିମଳି କହିଲେ, ମାଆ । ପ୍ରଜାମାନେ କିପରି ଭଲରେ ରହିବେ, ସେଥିପାଇଁ ବାବୁ ଟ୍ରେଜେରୀରୁ ନେଇ ହଜାର ହଜାର ଟଙ୍କା ଖର୍ଚ୍ଚ କରି ଦେଉଚନ୍ତି । କିନ୍ତୁ ହେଲେ ସେମାନଙ୍କର ଖାତିର ନାହିଁ । ଆମର ଗୁଣପୁର ଇଲାକାର ପ୍ରଜାମାନେ ବେଠି ଦେଇ ନିଜ ଚାଷ ଜମି ସବୁ ଚାଷ, ଅମଳ କରି ଦିଅନ୍ତି । ସେ ସବୁ ଆଜିକାଲି ବନ୍ଦ । ଆଜିକାଲିତ ମଜୁରୀ ଦର ଯାହା ହେଲାଣି । ବାବୁ ଥିଲାବେଳେ କେତେ ମୁହଁରୁ କେତେ କ’ଣ ଆସି ଟ୍ରେଜରୀରେ ପଶୁଥିଲା । ଆଜିକାଲି ସେ ସବୁ ଆୟ ନାହିଁ, କେବଳ ହଜାର ହଜାର ଟଙ୍କା ପ୍ରଜାଙ୍କ ପିଛାରେ ଖର୍ଚ୍ଚ ଚାଲିଚି ସୁରମା ଗୋଟିଏ ଦୀର୍ଘ ନିଶ୍ୱାସ ମାରି କହିଲେ–ମୋତେ ସେ ସବୁ କହି ଲାଭ କ’ଣ ?

 

ଦୀନବନ୍ଧୁ ଟିକେ ଦବିଯାଇ ଥଙ୍ଗେଇ ଥଙ୍ଗେଇ କହିଲେ, ନାଇଁ ମାଆ । ମୁଁ କହୁଥିଲି କିସ, ଏଇ ଯେ ଟଙ୍କାଗୁଡ଼ାକ ବିନର୍ବୟ ହଉଚି । ଆପଣଙ୍କ ଟଙ୍କାରେ କେତେ ଲୋକ ପୋଷି ହଉଚନ୍ତି । କେତେ ଛୋଟ ଲୋକ ରାଜ ଭୋଗରେ ଅଛନ୍ତି ।

 

ସୁରମା ବିସ୍ମିତ ସ୍ୱରରେ କହିଲେ, କିଏ ରାଜଭୋଗରେ ଅଛନ୍ତି ଦୀନବନ୍ଧୁ ?

 

ମନ୍ତ୍ର କାଟୁ କରିଚି ଦେଖି ଦୀନବନ୍ଧୁ ହାତ ମଳିମଳି ଅତି ବିନୀତ ସ୍ୱରରେ କହିଲେ ସେକଥା ଲାଭ କିସ ମାଆ ! ବାବୁ ଆମ ଉପରେ ବିଗିଡ଼ିବେ । କୃତ୍ରିମ ଦୁଃଖ ପ୍ରକାଶ କରି ଦୀନବନ୍ଧୁ କହିଲେ–ଆଜି ଯଦି ସାଆନ୍ତେ ଥା’ନ୍ତେ । ଓହୋ ! ଆପଣଙ୍କ ନିମକ ଖାଇ ଆମେ ମଣିଷ ହୋଇଚୁ-। ଠିକ୍‍ ସେତିକିବେଳେ ଗୋବିନ୍ଦା ଆସି କହିଲା–ଗେହ୍ଲାଦେଈଙ୍କ ଲୁଗା ଦିଅ, ସେ ମଣିଷ ପଠେଇଚନ୍ତି ।

 

ମୋତେ ଆଉ ବିରକ୍ତ କରନା ଗୋବିନ୍ଦା । ମୁଁ ଖଟି ଖଟି ବର୍ତ୍ତମାନ ଟିକେ ନିଶ୍ୱାସ ମାରୁଛି । ତୁ ଯା’, ମୋ ଘର ଖଟ ଉପରେ ଦୁଇଟା ଶାଢ଼ି ଓ ଦୁଇଟା ବ୍ଲାଉଜ ଅଛି, ଦେଇଦେବୁ ଯା’-

 

ସୁରମା ବିସ୍ମିତ ସ୍ୱରରେ ପଚାରିଲେ–ଗେହ୍ଲାଦେଈ କିଏ ଗୋବିନ୍ଦା ?

 

ମୁଁ ପରା ସେଦିନ ଆପଣଙ୍କୁ କହୁଥିଲି ।

 

ସେଇ ଗୋବରଗୋଟେଇ ଦାମା ଝିଅ ?

 

ଗୋବିନ୍ଦା ଉତ୍ତରଦେବା ପୂର୍ବରୁ ଦୀନବନ୍ଧୁ କହିଲେ–ମାଆ ! ସେ ଦାମା ଝିଅ କ’ଣ ଆଜିକାଲି ଛୋଟିଆରେ ଅଛି ? ସେ ଡାକ୍ତରଖାନାରେ ଯାଇ କ’ଣ ପଢ଼ୁଛି । ତାକୁ ଦେଖିଲେ ଆପଣ ଆଜିକାଲି ଚିହ୍ନି ପାରିବେନି । ତା ବେଶ ପୋଷାକ ଦେଖିଲେ ଆପଣ କାବା ହୋଇଯିବେ ।

 

କିପରି ?

 

କ’ଣ କହିବି ମାଆ ! ସେଇ ଟୋକିଟା ବାବୁଙ୍କୁ ଆମର ବିଗାଡ଼ି ଦେଲା । ତା’ରି ପିଛାରେ ବର୍ତ୍ତମାନ ଶହଶହ ଟଙ୍କା ଖର୍ଚ୍ଚ ହେଉଚି । ମାଆ ଝୁଅ ଦୁହେଁ ଆପଣଙ୍କ ପଇସାରେ ରାଜଭୋଗରେ ଅଛନ୍ତି । ଛି, କି ଛୋଟିଆ କଥା ! ସମୟ ନାହିଁ, ଅସମୟ ନାହିଁ, ଯେତେବେଳେ ଦେଖିବ, ବାବୁ ତା’ରି ସାଙ୍ଗରେ ହେଁ–ହେଁ–ଫେଁ–ଫେଁ ହେଉଥିବେ ।

 

ସୁରମାଙ୍କ ହୃଦୟରେ ବିଦ୍ୟୁତ୍‌ ଖେଳିଗଲା । ସେ କହିଲେ, କ’ଣ ଦୀନବନ୍ଧୁ, ଏସବୁ ସତ କଥା ? ଗୋବିନ୍ଦାକୁ ଚାହିଁ ସୁରମା କହିଲେ–ଆଣିଲୁ ସେ ଶାଢ଼ି, ବ୍ଲାଉଜ ଦେଖିବା ।

 

ଗେହ୍ଲୀକି ଦୁଇଖଣ୍ଡି ସାଧାରଣ ମିଲ୍‌ ଶାଢ଼ି କିଣିଦେବା ପାଇଁ ଦେବେନ୍ଦ୍ରବାବୁ ଆଦେଶ ଦେଇଥିଲେ । କିନ୍ତୁ ଅମଲାମାନଙ୍କ ଷଡ଼ଯନ୍ତ୍ର ଅନୁସାରେ ଦୁଇଟି ମଦୁରା ଶାଢ଼ି ଓ ଦୁଇଗୋଟି ସିଲ୍‌କି ବ୍ଲାଉଜ୍‌ କିଣାହୋଇ ଆସିଥିଲା । ଗୋବିନ୍ଦା ଆଣି ସୁରମାଙ୍କ ହାତରେ ଦେଲା । ସୁରମା ଦେଖିଲେ ଦୁଇଖଣ୍ଡି ମୂଲ୍ୟବାନ୍ ଶାଢ଼ି ଓ ଦାମିକା ବ୍ଲାଉଜ ଦୁଇଟି । ସୁରମା ଯେ କ’ଣ କହିବେ, ତାଙ୍କ ପାଟିରୁ ବଚନ ବାହାରିଲାନି । ସେ କିଛିସମୟ ଜଡ଼ ପାଲଟିଗଲେ । କିଛି ସମୟ ପରେ ଗୋବିନ୍ଦାକୁ କହିଲେ–ଯା’ ଗେହ୍ଲୀମାଆକୁ ଡାକି ଆଣିବୁ । ସେ ଏଠାରୁ ଏସବୁ ନେଇଯିବ ।

 

ଗୋବିନ୍ଦାର ଆନନ୍ଦ ଆଜି ଦେଖେ କିଏ । ତା ଗୋଡ଼ ଆଜି ତଳେ ଲାଗୁନି । ଆଉ ତାର ବେଶୀ ଆନନ୍ଦ, କାମ କିପରି ଶୀଘ୍ର ହାସଲ ହୋଇଗଲେ, ସେ ମ୍ୟାନେଜରବାବୁଙ୍କଠାରୁ ମୋଟା ବକ୍‌ସିସ ପାଇବ । ସେ ଦଉଡ଼ିକରି ଯାଇ ଗେହ୍ଲୀମା’କୁ ଡାକି ଆଣିଲା ।

 

ଗୋବିନ୍ଦା ସହିତ ଗେହ୍ଲୀମା’ ଆସି ଠିଆ ହୋଇଗଲେ । ସୁରମା ପଚାରିଲେ–ଗେହ୍ଲୀ ଭଲ ଅଛିତ ?

 

କୃତଜ୍ଞଭରା ସ୍ୱରରେ ଗେହ୍ଲୀମାଆ କହିଲା–ଆପଣଙ୍କ ଦୟାରୁ ଆମେମାନେ ଭଲ ଅଛୁ-। ଭଗବାନ ଆପଣଙ୍କର ମଙ୍ଗଳ କରନ୍ତୁ ମା’ ।

 

ସୁରମା ଗମ୍ଭୀର ସ୍ୱରରେ କହିଲେ–ନେ, ଏସବୁ ତମପାଇଁ ବାବୁ ଦେଇଚନ୍ତି । ଗେହ୍ଲୀମାଆ ଲମ୍ୱ ହୋଇ ଗୋଡ଼ତଳେ ପଡ଼ି ସେଠାରୁ ବିଦାୟ ହୋଇଗଲା ।

 

ନୀଚତାର ଜ୍ୱଳନ୍ତ ପ୍ରମାଣ ଦେଖି, ଦେବେନ୍ଦ୍ରଙ୍କ ପ୍ରତି ସୁରମାଙ୍କ ହୃଦୟ ବିଦ୍ୱେଷରେ ଭରିଗଲା । ତାଙ୍କର ଅକୃତ୍ରିମ ପତିଭକ୍ତି, ଅନୁପମ ସ୍ୱାମୀ ସ୍ନେହ ନିମିଷକରେ ଉଭେଇଗଲା । ଅନାବିଳ ପ୍ରେମ ସ୍ଥାନରେ ତାଙ୍କର ପ୍ରତିହିଂସା ବହ୍ନି ହୁତୁହୁତୁ ଜଳି ଉଠିଲା । କ୍ରୋଧର ଅତିଶଯ୍ୟରେ ତାଙ୍କ ମୁହଁରୁ ବାହାରିପଡ଼ିଲା–ବିଶ୍ୱାସଘାତକ ! ତାଙ୍କ ମନେ ହେଲା, ସମ୍ମୁଖରେ ଦୁଇଜଣ ଅନୁଚର । ଗମ୍ଭୀର ସ୍ୱରରେ ସେ ଆଦେଶ କଲେ–ଏଠାରେ ତମର କିଛି କାମ ନାହିଁ, ଚାଲିଯାଅ । ଦୀନବନ୍ଧୁ ଓ ଗୋବିନ୍ଦା ପରସ୍ପରଙ୍କ ମୁହଁକୁ ଚାହିଁ ମୁରୁକିହସା ଦେଇ ଚାଲିଗଲେ ।

 

(ଦଶ)

 

ଦୁଇଦିନ ପରେ ଦେବେନ୍ଦ୍ର କଟକରୁ ଫେରି ଆସିଲେ । ପ୍ରତିଥର ମଟର ଶବ୍ଦ ଶୁଣିବା ସଙ୍ଗେ ସଙ୍ଗେ ସୁରମା ପଦାକୁ ଦୌଡ଼ି ଆସନ୍ତି । କିନ୍ତୁ ଦେବେନ୍ଦ୍ର ଦେଖିଲେ ଏଥର ତାର ବ୍ୟତିକ୍ରମ । ସେ ବୈଠକଖାନାରେ ଅନେକସମୟ ଅପେକ୍ଷା କଲେ । ତଥାପି ସୁରମାଦେୀଙ୍କର ସାକ୍ଷାତ ନାହିଁ । ସେ ଆଜି ଆହୁରି ଏକ ନୂଆକଥା ଲକ୍ଷ୍ୟ କଲେ । ସେଇଠି ଆଣି ଚା’ ପୂଝାରି ତାଙ୍କୁ ଦେଇଗଲା । ସେ ପଚାରିଲେ, ମାଆ କ’ଣ ଚା ଖାଇବେନି ?

 

ପୂଝାରି ଉତ୍ତର ଦେଲା ଭିତରେ ଖାଉଚନ୍ତି ।

 

–ତେବେ ତମେ ମୋତେ ଏଠାରେ କାହିଁକି ଦେଲ ?

 

ମା କହିଲେ ଏଇଠାରେ ଦେବାପାଇଁ ।

 

ଦେବେନ୍ଦ୍ର ଚା ଖାଇସାରି ଉପରକୁ ଗଲେ । ଦେଖିଲେ, ସୁରମା ଖୁବ୍‌ ଗମ୍ଭୀର ଦେଖା ଯାଉଚନ୍ତି । ଦେବେନ୍ଦ୍ର ପଚାରିଲେ, ଆଜି କ’ଣ ତମ ଦେହ ଭଲ ନାହିଁ ?

 

ସୁରମା ସେହିପରି ଗମ୍ଭୀର ସ୍ୱରରେ କହିଲେ–ଆଜି ମୋ ଦେହ କାହିଁକି ଭଲ ଲାଗୁନି ! ମୋତେ ବ୍ୟସ୍ତ କରନା !

 

କ’ଣ ଡାକ୍ତର ଡକାଇବା ?

 

ଦରକାର ହେଲେ ମୁଁ ଡକାଇବି । ଆପଣ ବ୍ୟସ୍ତ ହେବା ଦରକାର ନାହିଁ ।

 

ଦେବେନ୍ଦ୍ର ସରଳତାର ହସ ହସି କହିଲେ–ଆଜି ଭାରି ତ ଭଦ୍ରତା ! କେବେଠୁଁ ଏପରି ଭଦ୍ରତା ଶିଖିଲଣି ?

 

ସୁରମା ନୀରବ । ଦେବେନ୍ଦ୍ର ଗୋଟିଏ ହାତ ସୁରମାଙ୍କ କାନ୍ଧ ଉପରେ ରଖି କହିଲେ–ଦେହ କ’ଣ ଭଲ ଲାଗୁନି ?

 

ସୁରମା ଟିକେ ଘୁଞ୍ଚିଯାଇ କହିଲେ–ଦୟାକରି ଆପଣ ଏଠାରୁ ଚାଲିଯାଆନ୍ତୁ । ମୋତେ ଏସବୁ ଭଲ ଲାଗୁନି ।

 

ତେବେ ମୋର ଉପସ୍ଥିତି ତମଙ୍କୁ ଖରାପ ଲାଗୁଚି ।

 

ସୁରମା ଗମ୍ଭୀର ମୁଖରେ ବସି ରହିଲେ ।

 

ଦେବେନ୍ଦ୍ର ପଚାରିଲେ–କଥା କ’ଣ କହୁନା ?

 

ଦେବେନ୍ଦ୍ରଙ୍କର କଥାର କିଛି ଉତ୍ତର ନଦେଇ ଚଞ୍ଚଳ ପଦକ୍ଷେପରେ ସେଠାରୁ ଚାଲିଗଲେ ସୁରମା ।

 

ଅଗତ୍ୟା ଦେବେନ୍ଦ୍ର ଉଠି ଆସ୍ତେଆସ୍ତେ ଚାଲିଲେ ବୈଠକଖାନା ଉଦ୍ଦେଶ୍ୟରେ । ସେଦିନ ବୈଠକଖାନାରେ ବସି ଷ୍ଟେଟ ସଂକ୍ରାନ୍ତୀୟ କାଗଜପତ୍ର ଦେଖୁ ଦେଖୁ ରାତି ୯ଟା ବାଜିଗଲା-। ପୂଝାରି ଆସି କହିଲା–ବାବୁ ! ଆପଣଙ୍କ ପାଇଁ କେଁଉଠି ଜାଗା କରିବି ?

 

ଦେବେନ୍ଦ୍ର ପଚାରିଲେ–ମାନେ ?

 

ପୂଝାରି ଉତ୍ତର ଦେଲା–ମାଆ ଖାଇସାରି ଶୋଇ ଗଲେଣି ।

 

‘ମା’ ଖାଇସାରି ଶୋଇଲେଣି’ । ଏଇ କେତୋଟିପଦ ଦେବେନ୍ଦ୍ରଙ୍କ ହୃଦୟରେ ବାରମ୍ୱାର ପ୍ରତିଧ୍ୱନିତ ହେଲା । ଏକ ଗଭୀର ଦୁଃଖରେ ତାଙ୍କ ହୃଦୟ ଭରିଗଲା । ସେ ବ୍ୟଥିତ ସ୍ୱରରେ କହିଲେ–ତେବେ ମୋ ପାଇଁ ଏଇଠିକି ଗଣ୍ଡିଏ ଘେନିଆସ । ଖୁବ୍‌ ଅଳ୍ପ ଆଣିବ; ଖାଇବାର ଇଚ୍ଛା ନାହିଁ ।

 

ପୂଝାରି ଆଣି ଟେବୁଲ ଉପରେ ଖାଦ୍ୟ ବାଢ଼ି ରଖିଲା । ଦେବେନ୍ଦ୍ର ଗୋଟିଏ ଦୀର୍ଘଶ୍ୱାସ ଛାଡ଼ି ଖାଇବା ପାଖରେ ବସିଲେ, କିନ୍ତୁ କିଛି ଖାଇ ପାରିଲେନି । ଲୋତକରେ ତାଙ୍କ ଆଖି ଭରିଗଲା । ଏକ ରୁଦ୍ଧ ବେଦନାରେ ତାଙ୍କ ହୃଦୟ ଫାଟି ପଡ଼ୁଥିଲା । ସେ ଦି’ଥର ପାଟିକି ନେଇ ହାତ ଧୋଇଲେ । ପୂଝାରିକି କହିଲେ–ଆଜି ମୋର ଅନେକ କାମ ଅଛି । ଚାକରକୁ କହିଦିଅ ଆଜି ଏଇଠି ମୋ ପାଇଁ ବିଛଣା କରିଦେବ । କାମର ବାହାନା କରି ଟେବୁଲ ପାଖରେ ବସିଲେ । ଚାକର ଆସି ବିଛଣା କରି ଦେଇଗଲା । ଦେବେନ୍ଦ୍ର ଯାଇଁ ଶୋଇବାକୁ ଚେଷ୍ଟା କଲେ । କିନ୍ତୁ ତାଙ୍କ ଆଖିକି ନିଦ ଆସିଲାନି ।

Unknown

 

ତହିଁ ଆରଦିନ ଦେବେନ୍ଦ୍ର ୭ଟା ପର୍ଯ୍ୟନ୍ତ ଅପେକ୍ଷା କଲେ । ତା ପରେ ଦାନ୍ତଘସା ସାମଗ୍ରୀ ମଗାଇ ଦାନ୍ତ ଘସିଲେ । ୯ଟା ବାଜିଗଲା; ତଥାପି ତାଙ୍କୁ ଚା ଓ ଜଳଖିଆ ଦିଆଗଲାନି । ୯ଟା ପରେ ବିଶ୍ୱସ୍ତ ଅନୁଚର ଅନନ୍ତ ଆସି ତେଲ ଆଣିଦେଲା ଓ ଗାଧୋଇବାକୁ ପାଣି ଆଣିଦେଲା-। ଗାଧୋଇ ସାରି ଦେବେନ୍ଦ୍ର ଦେଖିଲେ–ତାଙ୍କୁ ବୈଠକଖାନାରେ ଖାଇବାକୁ ଦିଆଯାଇଚି-। ଦେବେନ୍ଦ୍ର ଯାହାକୁ ଦେଖିଲେ, ତାଙ୍କର ମନେ ହେଲା ସମସ୍ତେ ଯେପରି ତାଙ୍କୁ ଉପହାସ କରୁଚନ୍ତି-। ପୁଣି ତାଙ୍କୁ ଜଣାଗଲା; ତାଙ୍କ ବିରୁଦ୍ଧରେ ଯେପରି ପ୍ରବଳ ଷଡ଼ଯନ୍ତ୍ର ଆରମ୍ଭ ହୋଇଚି ।

 

ଦେବେନ୍ଦ୍ର ଆଜି ଗମ୍ଭୀର । କାହା ପ୍ରତି ତାଙ୍କର ଆଜି ଅଭିମାନ ନାହିଁ; ବିଦ୍ୱେଷ ନାହିଁ । ରାମସ୍ତ ରାଗ, ଅଭିମାନ ଆଜି କେନ୍ଦ୍ରୀଭୂତ ହୋଇଚି ନିଜ ଉପରେ । ସେ ଆଜି ମନେ କରୁଚନ୍ତି, ଜୀବନର ଗତି ପଥରେ ସେ ହୋଇଚନ୍ତି ଲକ୍ଷ୍ୟଭ୍ରଷ୍ଟ । ସେ ଯେଉଁ ଭୁଲ କରିଚନ୍ତି, ତାକୁ ସୁଧାରିବାକୁ ଉପାୟ ନାହିଁ । ତଥାପି ପରୀକ୍ଷା ପଥରେ ସେ କିଛିଦୂର ଅଗ୍ରସର ହେବେ ଆହୁରି । ସେ ଭାବୁଚନ୍ତି, ତାଙ୍କର ଅପ୍ରାଧ କଣ ? ଗୋଟିଏ ଦିନ ମଧ୍ୟରେ ତାଙ୍କର ଜୀବନ ଏପରି ଛାରଖାର ହୋଇଗଲା କାହିଁକି ? ସେ ତ କାହାର କିଛି ଦୋଷ କରି ନାହାନ୍ତି । ତେବେ କାହିଁକି ? କିନ୍ତୁ ସେ ‘କାହିଁକି’ର ଉତ୍ତର ତାଙ୍କ ହୃଦୟ ତନ୍ତ୍ରୀରେ ବାଜି ଉଠିଲାନି ।

 

ଦେବେନ୍ଦ୍ର ଗୋଟିଏ ଆଦେଶନାମା ଲେଖି ମ୍ୟାନେଜରଙ୍କୁ ପଠାଇଦେଲେ । ସେଥିରେ ଆଦେଶ ଥିଲା ଯେ, ହଜାର ଟଙ୍କା ମନିଅର୍ଡ଼ରଦ୍ୱାରା ବିଶ୍ୱ-ବିଦ୍ୟାଳୟର ପାଣ୍ଠିକି ପଠାଇ ଦିଅ । ଏତିକି କାମ ସାରି ଦେବେନ୍ଦ୍ର ପରିସ୍ଥିତି ଲକ୍ଷ୍ୟ କଲେ ।

 

ଦୁଇଘଣ୍ଟା ପରେ ସୁରମାଦେବୀଙ୍କର ଏକ ଲିଖିତ ଆଦେଶ ମ୍ୟାନେଜର ଦେବେନ୍ଦ୍ରଙ୍କ ନିକଟ ପଠାଇଲେ । ଦେବେନ୍ଦ୍ର ଦେଖିଲେ ସେଥିରେ ଲେଖାଅଛି, ‘‘ନ୍ୟାୟତଃ, ଆଇନତଃ ଷ୍ଟେଟର ସମସ୍ତ ସମ୍ପତ୍ତି ମୋର । ବିନାନୁମତିରେ ଷ୍ଟେଟରୁ ପଇସାଟିଏ ସୁଦ୍ଧା ଖର୍ଚ୍ଚ କରାଯାଇ ପାରିବନି । ଯେଉଁସବୁ ଅନୁଷ୍ଠାନମାନଙ୍କୁ ମାସିକ ଓ ବାର୍ଷିକ ସାହାଯ୍ୟ ଦିଆ ଯାଉଥିଲା, ଏହି ଆଦେଶ ଅନୁସାରେ ସେସବୁ ବନ୍ଦ କରାଗଲା । ଏହା ସଙ୍ଗେ ସଙ୍ଗେ ମଧ୍ୟ ଆଦେଶ କରାଗଲା କି, ମୋର ବିନାନୁମତିରେ ଷ୍ଟେଟର ଦରକାରୀ କାଗଜପତ୍ରରେ କେହି ସ୍ୱାକ୍ଷର କରିପାରିବେ ନାହିଁ ।

 

ଦେବେନ୍ଦ୍ର ବୁଝିଲେ କେବଳ ତାଙ୍କରି ଉଦ୍ଦେଶ୍ୟରେ ଏସବୁ ଲେଖା । ତାଙ୍କର ମନେ ହେଲା, ବସୁଧା ଯେପରି ତାଙ୍କ ପାଦତଳୁ ଖସି ଖସି ଯାଇଛି । ତାଙ୍କ ମସ୍ତିଷ୍କ ଶୂନ୍ୟ ବୋଧହେଲା । ଓଃ, କି ଭୀଷଣ ଅପମାନ ! ଏହା ଅପେକ୍ଷା ମୃତ୍ୟୁ ବରଂ ଶତଗୁଣେ ଶ୍ରେୟଃ ।

 

ଶେଷଥର ପାଇଁ ସେହି ଆଦେଶନାମାଟି ଧରି ଦେବେନ୍ଦ୍ର ଚାଲିଲେ ସୁରମାଦେବୀଙ୍କ କକ୍ଷାଭିମୁଖେ । ଦୋତାଲା ଉପରେ ପହଞ୍ଚିବା ସଙ୍ଗେ ସଙ୍ଗେ ଚାକର ଗୋବିନ୍ଦ ଆସି କହିଲା–ମାଆଙ୍କ ଦେହ ଭଲ ନାହିଁ । ତାଙ୍କର ସାକ୍ଷାତ ପାଇଁ ଆପଣଙ୍କୁ ମନା ଅଛି ।

 

ଅପମାନ ଓ କ୍ରୋଧରେ ଦେବେନ୍ଦ୍ରଙ୍କର ସର୍ବାଙ୍ଗ ଥରିଗଲା । ସେ ଝଙ୍କାର ତୋଳି କହିଲେ–ବେ ଆଦବ ! ନିମକହାରାମ ! ଦୂର ହୁଅ ମୋ ସମ୍ମୁଖରୁ ! ଗୋବିନ୍ଦ ଚୋରପରି ପଳାଇଗଲା । ଦେବେନ୍ଦ୍ର ଶୁଣିଲେ, ସୁରମା କହୁଛନ୍ତି; ବଡ଼ ଦୁଃଖର କଥା । ଚାକରମାନଙ୍କ ସହିତ ଏପରି ବ୍ୟବହାର କଲେ, ସେମାନେ ଆଉ ରହିବେଟି ! ଛି ବଡ଼ ଛୋଟଲୋକି ।

 

ଏତିକି ଶୁଣି ଦେବେନ୍ଦ୍ର ଚମକି ପଡ଼ିଲେ । ତାଙ୍କ ମୁହଁରୁ ବାହାରିଲା–ଛୋଟ ଲୋକି ! ସେ ଫେରି ଆସିଲେ ବୈଠକଖାନାକୁ । କାହାକୁ କିଛି ନ କହି ଦେବେନ୍ଦ୍ର ଚାଲିଲେ ରେଳଷ୍ଟେସନଆଡ଼େ । ଗୋଟିଏ ଧୋତି, ଗୋଟିଏ ପଞ୍ଜାବି, ଗୋଟିଏ ଗେଞ୍ଜି, ଯୋଡ଼ିଏ ହାପ ଯୋତା ଓ ଆଙ୍ଗୁଳିରେ ଗୋଟିଏ ସ୍ୱର୍ଣ୍ଣମୁଦ୍ରିକା ମାତ୍ର ତାଙ୍କର ସମ୍ୱଳ । ଦେବେନ୍ଦ୍ର ବାଲେଶ୍ୱର ଷ୍ଟେସନରେ ପହଞ୍ଚି ଦେଖିଲେ ‘ପୁରୀ ଏକପ୍ରେସ’ ହୁଇସିଲି ଦେଲାଣି । ଅବ୍ୟବସ୍ଥିତଚିତ୍ତ ଦେବେନ୍ଦ୍ର ଗାଡ଼ି ଉପରେ ଉଠିଗଲେ । ଚିରଦିନ ପାଇଁ ଦେଶମାତୃକା କୋଳକୁ ବିଦାୟ ଘେନି ସେ ହେଲେ ଅନିର୍ଦ୍ଦିଷ୍ଟ ପଥର ଯାତ୍ରୀ ।

 

ଏଇ ରେଳଗାଡ଼ି ଦେବେନ୍ଦ୍ର କିଶୋର ଓ ସୁରମା ଦେବୀଙ୍କର ପ୍ରେମ ଜୀବନ ଆରମ୍ଭର ସ୍ଥଳ, ଆଉ ଏଇଠାରେ ହେଉଚି ତାର ଶେଷ ।

 

(ଏଗାର)

 

ସୁରମାଦେବୀ ଆଶା କରିଥିଲେ, ଦେବେନ୍ଦ୍ର ହୁଏତ କ୍ରୋଧର ଉତ୍ତେଜନାରେ ଚାଲି ଯାଇଛନ୍ତି, ଦୁଇଦିନ ପରେ ଫେରି ଆସିବେ । ଯେଉଁ ଦେବେନ୍ଦ୍ର ତାଙ୍କୁ ଦଣ୍ଡକ ପାଇଁ ମୂର୍ଚ୍ଛି ପାରନ୍ତିନି, ୨, ୩ଦିନ କଟକରେ ରହିଲେ, ଯାହାଙ୍କୁ ବିଷପରି ଲାଗେ, ଯେ ତାଙ୍କୁ ପ୍ରାଣ ଅପେକ୍ଷା ବେଶୀ ଭଲ ପାଆନ୍ତି, ସେଇ ପ୍ରେମିକ ଦେବେନ୍ଦ୍ର କି କେବେ ତାଙ୍କୁ ଛାଡ଼ି ରହି ପାରିବେ । ଆଉ ମଧ୍ୟ ସୁରମା ଆଶା କରିଥିଲେ–ତାଙ୍କଠାରୁ ଦୂରରେ ରହିଲେ, ତାଙ୍କୁ ଅପମାନ ଦେଲେ ତାଙ୍କର ଚୈତନ୍ୟ ଉଦୟ ହେବ ଓ ତାଙ୍କର ଚରିତ୍ର ସଂଶୋଧନ ହେବ । ସେ କୁମାର୍ଗ ପରିତ୍ୟାଗ କରିବେ । କିନ୍ତୁ ସୁରମାଙ୍କ ବ୍ୟବହାର ଯେ ସୀମା ଟପି ଯାଇଚି, ଏଥିରେ ସେ ଥିଲେ ଖୁବ୍‌ ବ୍ୟଥିତ । ସୁରମାଙ୍କର ମନେ ପଡ଼ିଲା, ମୁଁ ହୁଏତ ସିଧା ସଳଖ ତାଙ୍କୁ କହି ଦେଇଥିଲେ ଠିକ ହୋଇଥାନ୍ତା । ଏପରି ବ୍ୟବହାର ବଡ଼ ନିର୍ମମ ହେଲା । କ୍ଷଣିକ କ୍ରୋଧର ବଶବର୍ତ୍ତୀ ହୋଇ ମୁଁ ବଡ଼ ଅନ୍ୟାୟ କରି ଦେଇଛି । ତଥାପି ସେ ଯେଉଁ ଦେବେନ୍ଦ୍ରଙ୍କୁ ଚିହ୍ନନ୍ତି, ସେ କେବେ ତାଙ୍କ ରାଣୀଙ୍କି ଛାଡ଼ି ଚାଲିଯାଇ ପାରିବେନି । ସେ ନିଶ୍ଚୟ ଦିନେ ଦୁଇଦିନ ପରେ ଫେରି ଆସିବେ । ସେତେବେଳେ ମୁଁ ମୋର ଭୁଲ ସଂଶୋଧନ କରିନେବି । ତାଙ୍କ ପାଦ ଧରି କ୍ଷମା ମାଗିବି । ସେ ହୃଦୟଦାନ, ସେ ନିଶ୍ଚୟ ମୋତେ କ୍ଷମା କରିବେ ।

 

କିନ୍ତୁ କ୍ରମେ କ୍ରମେ ଦିନ ପରେ ରାତି, ରାତି ପରେ ଦିନ ବିତିଗଲା, କିନ୍ତୁ ଦେବେନ୍ଦ୍ର କିଶୋର ଫେରିଲେନି । ସୁରମାଙ୍କର ଚେତନା ଆସିଲା, ତାଙ୍କ ଛାତିରେ ଛନକା ପଶିଲା । ଦୀର୍ଘ ୭୨ଘଣ୍ଟା ବିତିଗଲା, ତଥାପି ଦେବେନ୍ଦ୍ରଙ୍କର ଦେଖା ସାକ୍ଷାତ ନାହିଁ । ଦିନ ଯେତିକି ଗଡ଼ିବାକୁ ଲାଗିଲା, ସୁରମାଙ୍କ ହୃଦୟରେ ସେତିକି ବ୍ୟଥା ବଢ଼ିବାକୁ ଲାଗିଲା । ସୁରମା ଦେଖିଲେ ଏତେବଡ଼ କାଣ୍ଡ ହୋଇଗଲା, କିନ୍ତୁ ଏହାଦ୍ୱାରା ଅମଲାମାନେ ପ୍ରଭାବିତ ତଥା ଦୁଃଖିତ ମଧ୍ୟ ନୁହନ୍ତି । କିନ୍ତୁ.... ହଠାତ୍‌ ସୁରମାଙ୍କ ମୁଣ୍ଡ ଘୂରିଗଲା । ସେ ଦେଖିଲେ; ଚାରିଆଡ଼ ଶୂନ୍ୟ ! ସେ ଯାଇଁ ବିଛଣାରେ ପଡ଼ିଗଲେ ।

 

କିଛିକ୍ଷଣ ପରେ ମ୍ୟାନେଜର ଆସି ତାଙ୍କ ଶୋଇବା ଘରେ ସୁରମାଙ୍କ ସହିତ ସାକ୍ଷାତ କଲେ । ସେ ଯେପରି ବ୍ୟବହାର କଲେ; ଏହା ସୁରମାଙ୍କୁ ଅସ୍ଵାଭାବିକ ଜଣା ପଡ଼ିଲା । ସେ କହିଲେ–ଆପଣ କଥାଭାଷା କରିବା ପୂର୍ବରୁ ଅନୁଗ୍ରହ କରି ଏଠାରୁ ଚାଲି ଯାଆନ୍ତୁ ।

 

ମ୍ୟାନେଜର ରହି ରହି କହିଲେ–ମୁଁ ଆସିଥିଲି ଏସବୁ ଦସ୍ତଖତ୍ କରାଇବାକୁ ।

 

ମୋର ସେସବୁରେ କ’ଣ ଅଛି । ମୁଁ କ’ଣ କେବେ ଦସ୍ତଖତ୍‌ କରେ ?

 

ମ୍ୟାନେଜର କହିଲେ–ବାବୁତ ଚାଲିଗଲେ ।

 

ସୁରମା ଝଙ୍କାର ତୋଳି କହିଲେ–କଣ ବାବୁ ଚାଲିଗଲେ ବାବୁ କ’ଣ ଆଉ ଆସିବେନି ଆପଣଙ୍କର ବିଶ୍ୱାସ ?

 

ମୋର ସେଇପରି ବିଶ୍ୱାସ ! ମ୍ୟାନେଜର ମୃଦୁହସି କହିଲେ ।

 

ଆପଣଙ୍କର ବିଶ୍ୱାସର ହେତୁ ? ମୁଁ ସେଇପରି କହୁଥିଲି ।

 

ତେବେ ଶୀଘ୍ର ଆପଣ ଅନୁଗ୍ରହ କରି ଏଠାରୁ ଚାଲିଯାଆନ୍ତୁ । ସେସବୁ ସେହିପରି ଥିବ, ବାବୁ ଆସିଲେ ଦସ୍ତଖତ କରିବେ ।

 

ମ୍ୟାନେଜର ମୃଦୁ ହସି ଚାଲିଗଲେ ।

 

ସୁରମା ଡାକିଲେ–ଅନନ୍ତ !

 

ଅନନ୍ତ ଆସି ବିନୀତ ଭାବରେ ଛିଡ଼ା ହେଲା । ସୁରମା କରୁଣ ସ୍ୱରରେ କହିଲେ–ଅନନ୍ତ, ମୁଁ ତୋତେ କେବଳ ବିଶ୍ୱାସ କରେ । ମୁଁ ଗୋଟିଏ କଥା ପଚାରିବି, ସତ କହିବୁ ?

 

ଅନନ୍ତ ହାତ ମଳି ମଳି କହିଲା–ନିଶ୍ଚୟ କହିବି ମାଆ ! ମୋତେ କିନ୍ତୁ ଧରା ପକାଇବେନି ।

 

ସୁରମାଙ୍କଠାରୁ ସମ୍ମତି ପାଇ ଅନନ୍ତ କହିଲା–ମାଆ, ଅମଲାମାନଙ୍କର କିଳାପୋତେଇ ବନ୍ଦ କରାଯିବାରୁ ସେମାନେ ଏକ ଷଡ଼ଯନ୍ତ୍ର କରି ଏପରି ମିଛ କଥା ଯୋଡ଼ାଯୋଡ଼ି କରି ଆପଣଙ୍କ ଆଗରେ କହିଚନ୍ତି ।

 

ତେବେ କଣ ଏସବୁ ମିଛ କଥା ? ଏଇ ଅନୁତାପର ତୀବ୍ର ଯନ୍ତ୍ରଣାରେ ସୁରମା ଛଟପଟ-। ତାଙ୍କ ଜଗତ ଶୂନ୍ୟ ଦିଶିଲା ।

 

ଅନନ୍ତ କହିଲା–ମାଆ, ଆପଣ ସତ ମିଛ ପରୀକ୍ଷା ନ କରି ବାବୁଙ୍କ ସହିତ ଯେପରି ବ୍ୟବହାର କଲେ... । ଆପଣ ତ ବଡ଼ ଲୋକ; ଆପଣଙ୍କୁ ସବୁ ସୁନ୍ଦର । କିନ୍ତୁ ସେଦିନ ମୋ ଆଖିର ଲୁହ ରହିନି । ମୁଁ ସେଦିନ ଖାଇନି । ବାବୁ ସେଦିନ କାନ୍ଦି କାନ୍ଦି ଏଠାରୁ ଯାଇଚନ୍ତି । ଓହୋ ! କି ସୁନ୍ଦର ମଣିଷ । କାହାକୁ ଆପଣ କ’ଣ ମନେ କଲେ ?

 

ବ୍ୟାକୁଳ ସ୍ୱରରେ ସୁରମା କହିଲେ–ଅନନ୍ତ ! ତୁ ଟିକେ ଯା, ଗେହ୍ଲୀ ଓ ତାର ମାଆକୁ ଡାକି ଆଣିବୁ ।

 

କିଛିକ୍ଷଣ ପରେ ଗେହ୍ଲୀ ଓ ତାର ମା’ ଆସିଲେ । ସୁରମା ତାଙ୍କୁ ସମସ୍ତ କଥା ଖୋଲି କହିଲେ ।

 

ମାଆ; ଝିଅ ଦୁହେଁ ମୁଣ୍ଡରେ ହାତ ଦେଇ ବସିପଡ଼ିଲେ । ତାଙ୍କ ଚକ୍ଷୁରୁ ଅଶ୍ରୁ ଜଳ ଛୁଟୁଥାଏ । କ୍ରନ୍ଦନମିଶ୍ରୀତ ସ୍ୱରରେ ଗେହ୍ଲୀ କହିଲା ମାଆ ! ଏକଥା ଶୁଣିବା ପୂର୍ବରୁ ଆମେ ହେଲେ ମରିଯାଇଥାନ୍ତୁ । କାହା ନାଁଆରେ କ’ଣ ଉଠିଲା । ନିଷ୍କଳଙ୍କ ଚନ୍ଦ୍ରମା ସେ । ଚନ୍ଦ୍ରଠାରେ ହେଲେ କଳଙ୍କ ଅଛି, ତାଙ୍କଠାରେ କଳଙ୍କ ନାହିଁ । ଦେବତା ସେ ! ଗରିବ ଦୁଃଖ ଦେଖିଲେ, ତାଙ୍କ ହୃଦୟ ତରଳି ଯାଏ । ଆମର ଦୁଃଖ ଦେଖି ସେ ଆମକୁ ସାହାଯ୍ୟ କରିଥିଲେ ମାତ୍ର । ତଥାପି ସେ କେବେହେଲେ ମୋ ମୁହଁକୁ ସିଧା କରି ଚାହିଁ ନାହାନ୍ତି । ଆମ ଘରକୁ ସେ କେବେ ଯାଆନ୍ତିନି ।

 

କାନ୍ଦି କାନ୍ଦି ଗେହ୍ଲୀ କହିଲା–ହେ ଭଗବାନ, ଯଦି ସତରେ ଭଗବାନ ହୋଇଥିବ; ଯେଉଁମାନେ ଏ ମିଛକଥା ଉଠାଇଛନ୍ତି, ତାଙ୍କୁ ଦଣ୍ଡ ଦିଅ । ତାଙ୍କ ବଂଶ ନିଅଂଶ ହୁଅନ୍ତୁ । ଛ ମାସ ଛ ପକ୍ଷ ନ ଯାଇ ସେ ମରନ୍ତୁ । ଦେବତାଙ୍କ ନାଆଁରେ ସେ ଏକଥା ଉଠାଇଲେ, ତାଙ୍କ ଘରେ ମଡ଼ା ପଡ଼ୁ ।

 

ସୁରମା ଧୈର୍ଯ୍ୟ ଧରି ଗେହ୍ଲୀ ଓ ତା ମାଆକୁ ବିଦାୟ କରିଦେଲେ । ଅନନ୍ତକୁ ଡାକି କହିଲେ–ଅନନ୍ତ ! ତୁ ଟିକେ କଟକ ଯାଆ; ତାଙ୍କୁ ଫେରାଇଆଣିବୁ । ତାଙ୍କୁ କହିବୁ ସେ ନ ଆସିବା ପର୍ଯ୍ୟନ୍ତ ମୁଁ ଜଳ ସୁଦ୍ଧା ଆହାର କରିବିନି । ମୁଁ ଅନ୍ୟାୟ କରିଚି, ସେ ଆସନ୍ତୁ ମୁଁ ତାଙ୍କ ପାଦ ଧରି କ୍ଷମା ମାଗିବି । ସୁରମାଙ୍କ କଣ୍ଠ ରୁଦ୍ଧ ହୋଇ ଆସିଲା ।

 

ସେତିକିବେଳେ ଡାକପିଅନ ଖଣ୍ଡିଏ ଚିଠି ଆଣି ଦେଇଗଲା । ସୁରମା ଅନନ୍ତ ହାତରୁ ଚିଠିଖଣ୍ଡ ଆଣି ଠିକଣା ଦେଖିଲେ; ତାହା ଦେବେନ୍ଦ୍ରଙ୍କ ହସ୍ତାକ୍ଷର । ଏକ ଅଜ୍ଞାତ ଆଶଙ୍କାରେ ତାଙ୍କ ପ୍ରାଣ କାନ୍ଦି ଉଠିଲା ।

 

ସେଥିରେ ଲେଖାଥିଲା–

 

ମୁଁ ଜାଣେ, ତମେ ଏ ଚିଠିଖଣ୍ଡି ଗୋଡ଼ରେ ଦଳି ଦେବ । ଆଜି ହୁଏତ ମୁଁ ତୁମର କିଛି ନୁହେଁ । ତଥାପି ତମେ ମୋର ହୃଦୟର ଦେବୀ । ତମର ସେହି ଆସନ ଚିରଦିନ ମୋ ଦୃଦୟରେ ଅକ୍ଷୁନ୍ନ ରହିଚି । ମୁଁ ତମଠାରୁ ଚିର ବିଦାୟ ଘେନି ଆସିଚି । କିନ୍ତୁ ମୁଁ ଭାବୁଚି, ମୋର ଅପରାଧ କ’ଣ ? କାହିଁକି ତମେ ମୋତେ ଏପରି ନିର୍ଦ୍ଦୟ ଭାବରେ ଅପମାନିତ କଲ ?

 

ବୈଠକଖାନାରେ ଦୁଇଟି ଦିନ ଅର୍ଦ୍ଧାହାର, ଅନାହାରରେ କଟାଇ ଦେଇ ଆସିଲି । ଦାନ୍ତ-ଘସିବାକୁ ପାଣି ଟୋପାଏ ଦେବାପାଇଁ ସୁଦ୍ଧା ମୋତେ ମନା ଥିଲା । ଚା ଟିକେ ମିଳିଲାନି । ମୋତେ ନେଇ ବୈଠକଖାନାରେ ଖାଇବାକୁ ଦିଆଗଲା । ଚାକରମାନଙ୍କ ଜରିଆରେ ସେ ଘରୁ ମୋର ସମସ୍ତ ସ୍ୱାଧୀନତା କାଢ଼ି ନିଆଗଲା । ସେ ସମ୍ପତ୍ତିରେ ମୋର କୌଣସି ଅଧିକାର ନାହିଁ । ତମ ଷ୍ଟେଟରୁ ମୁଁ ପଇସାଟିଏ ଖର୍ଚ୍ଚ କରିପାରି ନାହିଁ ବୋଲି ମୋ ଉପରେ ଆଦେଶ ଜାରୀ କରାଗଲା । ମୁଁ ବୁଝିଲି–ମୁଁ ଏଠାରେ ରହିବା ତମର ଇଚ୍ଛା ନୁହେଁ । ମୁଁ ଚାଲି ଆସିବା ପାଇଁ ଏସବୁ ନିର୍ଦ୍ଦେଶ ଦିଆଗଲା । ମୁଁ ତମ ଇଚ୍ଛା ବିରୁଦ୍ଧରେ କେବେ ଯାଇନି, ଜୀବନରେ କେବେହେଲେ ଯିବାପାଇଁ କଳ୍ପନା ବି କରି ନଥିଲି । ତେଣୁ ତମ ଇଚ୍ଛାନୁସାରେ ତମଠାରୁ ଶେଷ ବିଦାୟ ନେବାପାଇଁ ତମ ପାଖକୁ ଯାଇଥିଲି । କିନ୍ତୁ ଦୁର୍ଭାଗ୍ୟର କଥା, ସାକ୍ଷାତର ଆଦେଶ ମିଳିଲାନି ମଧ୍ୟ । ବରଂ ବାଟରେ ମୋତେ ଅପମାନିତ କରି ଫେରାଇ ଦିଆଗଲା ।

 

ହଉ ଅତୀତ ଆଡ଼େ ଦୃଷ୍ଟି ଦେଇ ଲାଭ ନାହିଁ । ସବୁ ଦୋଷ ମୋର । ଅବସ୍ଥା ବୈଷମ୍ୟରେ ପ୍ରଣୟରେ ଏହାହିଁ ଫଳ । ଗରିବ ଧନୀର କନ୍ୟାକୁ ବିବାହ କଲେ, ତାର ଫଳ ଏହିପରି ବିଷମୟ ହୁଏ । ଆଉ ଏଥି ସଙ୍ଗେ ସଙ୍ଗେ ଭଗବାନଙ୍କୁ ମୁଁ ଅଶେଷ ପ୍ରାର୍ଥନା କରୁଚି, ଜଗତରେ ମୋ ପରି ଆଉ ନିର୍ବୋଧ ଜନ୍ମ ନ ହେଉ । କେହି ଭୁଲ ବାଟରେ ଯାଇ ମୋ ପରି ଜଳି ପୋଡ଼ି ନ ମରୁ ।

 

ତମେ ପିଲା । ତମର ଦୀର୍ଘ ଭବିଷ୍ୟତ ପଡ଼ି ରହିଚି ସମ୍ମୁଖରେ, ଭାବିଚିନ୍ତି ଅଗ୍ରସର ହେବ । ମୁଁ ଏପରି ଲେଖିଲି କେବଳ ମୋର ପୂଜନୀୟ ଶ୍ୱଶୁର ତଥା ତମର ସ୍ନେହମୟ ସ୍ୱର୍ଗତ ପିତୃଦେବ ମୋ ହାତରେ ତମକୁ ଅର୍ପଣ କରି ଯାଇଥିଲେ ବୋଲି ।

 

ଏ ଜନ୍ମରେ ତମ ସହିତ ମୋର ଆଉ ସାକ୍ଷାତ ହୋଇ ପାରିବନି । ତମଠାରୁ ଅକଥନୀୟ ଦୁର୍ବ୍ୟବହାର ପାଇଥିଲେ ସୁଦ୍ଧା, ତଥାପି ଆଜି କାହିଁକି ତମକୁ ଭୁଲି ପାରୁନି ।

 

ଆଶାକରେ ଶୁଣି ସୁଖୀ ହେବ, ମୁଁ ଆଜି ଉଦ୍‌ଭ୍ରାନ୍ତ–ମୁଁ ଆଜି ନିରୁଦ୍ଦେଶ । ତଥାପି ରାଣୀ ମୋର ! ଆଶିର୍ବାଦ କରୁଚି, ସୁଖୀ ହୁଅ ! ଭଗବାନ ତମର କଲ୍ୟାଣ କରନ୍ତୁ !

 

ଆଜି ଏତିକିରେ ତମଠାରୁ ଚିର ବିଦାୟ ନେଲି ।

 

ତମର

ଦେବେନ୍ଦ୍ର କିଶୋର

 

ସୁରମା ଚିଠିଖଣ୍ଡି ପଢ଼ିଲେ, ଏକ ଦୁର୍ଦ୍ଦମନୀୟ ବ୍ୟଥାରେ ତାଙ୍କ ହୃଦୟ ଭରିଗଲା । ସେ ଶତ ବୃଶ୍ଚିକ ଦଂଶନର ତୀବ୍ର ଯାତନା ଅନୁଭବ କଲେ । କେଉଁ ଏକ ଗଭୀର ବ୍ୟଥାରେ ତାଙ୍କ ପ୍ରାଣ କାନ୍ଦିଉଠିଲା, କ୍ଷଣିକ ଉନ୍ମାଦନାରେ ସେ ଅନ୍ଧ ହୋଇ କ’ଣ ଯେ କରି ପକାଇଚନ୍ତି, ସେ ହେଲେ ଘୋର ଅନୁତପ୍ତ !

 

ତାଙ୍କ ମନରେ ପ୍ରଶ୍ନ ଉଠିଲା, ସତେ କ’ଣ ସେ ଆଉ ଫେରିବେନି ? ମୁଁ କ’ଣ କରିବି ? ମୋ ଜୀବନର ଆଉ ଆବଶ୍ୟକତା କ’ଣ ? ହେ ଭଗବାନ ! କାହିଁକି ମୋତେ ଦୁର୍ବୁଦ୍ଧି ଦେଇ ଏପରି ମୋ ଜୀବନକୁ ଛାରଖାର କରିଦେଲ ? ମୁଁ ପୂର୍ବ ଜନ୍ମରେ କ’ଣ ପାପ କରିଥିଲି ? ହେ ଭଗବାନ ! ସେତେବେଳେ ତାଙ୍କର ବାପାଙ୍କ କଥା ମନେ ପଡ଼ିଲା । ବାପା ତାଙ୍କର କହିଥିଲେ, ତୋର କିଛି ଅସୁବିଧା ହେବନି । ମୁଁ ଯାହା ହାତରେ ତୋତେ ଛାଡ଼ିଦେଇ ଯାଉଚି, ସେ ଗୋଟିଏ ସୁନା ପିଲା । ହେ ଭଗବାନ ! ହେ ଆରତତ୍ରାଣ ! ସୁରମାଙ୍କର ମୁଣ୍ଡ ଘୂରିଗଲା । ସେ ଯୁଆଡ଼େ ଚାହିଁଲେ–ଦେଖିଲେ କେବଳ ଶୂନ୍ୟ-ମହାଶୂନ୍ୟ ! ତାଙ୍କର ମନେ ହେଲା, ସତେ ଯେପରି ତାଙ୍କର କଲିଜା କିଏ ଛିଣ୍ଡାଇ ନେଇଚି । ସେ ଥରଥର ଦେହରେ ପଲଙ୍କ ଉପରେ ପଡ଼ିଯାଇ କଇଁ କଇଁ ହୋଇ କାନ୍ଦି ପକାଇଲେ ।

 

(ବାର)

 

ଦେବେନ୍ଦ୍ରକିଶୋର ବହୁ ଦେଶ ଭ୍ରମଣ କରି, ବ୍ରହ୍ମଦେଶରେ ପହଞ୍ଚିଲେ । ଆଜିକାଲି ବ୍ରହ୍ମଦେଶରେ ଥିବା ଭାରତୀୟମାନଙ୍କ ପ୍ରତି ସେଠାରେ ଯେଉଁ ଅବିଚାର କରାଯାଉଛି, ତାର ପ୍ରତିକାର ନିମିତ୍ତ ଦେବେନ୍ଦ୍ର ଗୋଟିଏ ଆନ୍ଦୋଳନ ଚଳାଇଲେ । ବହୁ ଦୁଶ୍ଚିନ୍ତା ଓ ଅନୁତାପ ପରେ ଜନସେବା କରିବା ପାଇଁ ଏଇଠି ମିଳିଲା ତାଙ୍କୁ ବିସ୍ତୀର୍ଣ୍ଣ କର୍ମକ୍ଷେତ୍ର । ଅତୀତ ଜୀବନର ଘଟଣାବଳୀ ସେ ବିସ୍ମୃତି ଗର୍ଭରେ ସମାଧି ଦେଇ ଲୋକସେବାରେ ମନପ୍ରାଣ ଢାଳିଦେଲେ । ଏଇଠି ହେଲା ତାଙ୍କ ପ୍ରତିଭାର ପୂର୍ଣ୍ଣ ବିକାଶ । ସେ ପ୍ରଥମେ କେତେଜଣ ଉତ୍ସାହୀ ଯୁବକଙ୍କ ସହଯୋଗରେ ଭାରତ କଲ୍ୟାଣ ସମିତି ଗଠନ କଲେ । ବ୍ରହ୍ମଦେଶର ପ୍ରତ୍ୟେକ ଅଞ୍ଚଳରେ ଏହାର ଶାଖାମାନ ଖୋଲାଗଲା ଏବଂ ରେଙ୍ଗୁନରେ ରହିଲା ତାର କେନ୍ଦ୍ର ଅଫିସ ।

ଦେବେନ୍ଦ୍ର ପ୍ରତ୍ୟେକ ଶାଖା ସମିତିମାନଙ୍କରେ ସଭା ଆହ୍ୱାନକରି ଅନୁଷ୍ଠାନର ଉଦ୍ଦେଶ୍ୟ ଲୋକମାନଙ୍କୁ ବୁଝାଇଲେ । ଭାରତୀୟମାନେ ଏ ଦେଶକୁ ଆସି ବଣ ଜଙ୍ଗଲ କାଟି ଏ ଦେଶକୁ କିପରି ଶସ୍ୟଶ୍ୟାମଳ କରି ପାରିଥିଲେ, କଳକାରଖାନାମାନଙ୍କରେ ପୂର୍ଣ୍ଣ ସହଯୋଗ କରି ଏ ଦେଶକୁ କିପରି ସମୃଦ୍ଧିଶାଳୀ କରି ପାରିଥିଲେ ଓ ଏ ଦେଶର କୃଷିର କିପରି ଅଭିବୃଦ୍ଧି ସାଧନ କରି ପାରିଲେ ଏଇକଥା ଲୋକମାନଙ୍କୁ ବୁଝାଇଲେ । ନ୍ୟାୟ ଦୃଷ୍ଟିରୁ ଭାରତୀୟମାନଙ୍କର ଏ ଦେଶରେ ପୂର୍ଣ୍ଣଦାବି ଅଛି । ଏହି ଦାବି ହାସଲ କରିବାକୁ ହେଲେ ବଙ୍ଗାଳୀ–ଓଡ଼ିଆ–ବିହାରୀ–ମାନ୍ଦ୍ରଜୀ–ମରହଠୀ ଓ ଗୁଜୁରାତି ଇତ୍ୟାଦି ଏବଂ ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟାନ୍‌ ଭେଦଭାବ ଭୁଲି ଭାରତୀୟ ଯେ ଏକ ଜାତି, ତାହା ପ୍ରତ୍ୟେକ ଲୋକଙ୍କୁ ବୁଝାଇ ଦେଲେ । ସମସ୍ତେ ଏକଯୁଟ ନହେଲେ, ସେମାନେ ସେମାନଙ୍କର ଯଥାର୍ଥ ଦାବିରୁ ବଞ୍ଚିତ ହେବେ ଏବଂ ଦିନେ ନା ଦିନେ ଭାରତୀୟମାନେ ଅତ୍ୟାଚାରିତ ହୋଇ ଏ ଦେଶରୁ ବିଦାୟ ନେବେ । ଦେବେନ୍ଦ୍ର କିଶୋରଙ୍କ ଏହି ଯୁକ୍ତି ଭାରତୀୟମାନଙ୍କ ପ୍ରାଣରେ ଏକ ଅପୂର୍ବ ଜାଗରଣ ଖେଳାଇ ଦେଲା । ଏଥିରେ ଅନୁପ୍ରାଣିତ ହୋଇ ଭାରତୀୟମାନେ ଦେବେନ୍ଦ୍ରକିଶୋରଙ୍କୁ ନେତା ରୂପେ ବରଣ କଲେ ।

ଏଠାରେ ଦେବେନ୍ଦ୍ର କିଶୋର ଏକ ଛଦ୍ମନାମ ଧାରଣ କରି ଛଦ୍ମବେଶରେ ପରିସର ମଧ୍ୟରେ ଅଛନ୍ତି । ସେଠାରେ ଦେବେନ୍ଦ୍ର ବିଜୟକୁମାର ନାମରେ ସୁପରିଚିତ । ବିଜୟକୁମାର ହେଉଚନ୍ତି ସମ୍ୱଲପୁରର ଅଧିବାସୀ । ତାଙ୍କର ସଯତ୍ନବଦ୍ଧିତ ସ୍ମଶ୍ରୁ, ଗେରୁ ବସ୍ତ୍ର ପରିଧାନର ଛଟା ଦେଖିଲେ ତାଙ୍କୁ କୌଣସି ଲୋକ ଦେବେନ୍ଦ୍ର ବୋଲି ଚିହ୍ନି ପାରିବନି । ଏପରି କି ତାଙ୍କର ସ୍ୱର୍ଗତ ପିତା ଆଜି ଯଦି ଜୀବିତଥାନ୍ତେ, ସେ ମଧ୍ୟ ଦେବେନ୍ଦ୍ରକୁ ଚିହ୍ନି ପାରି ନ ଥାନ୍ତେ ।

ପ୍ରତ୍ୟେକ ମାସର ପ୍ରଥମ ସପ୍ତାହରେ ରେଙ୍ଗୁନରେ ‘ଭାରତ କଲ୍ୟାଣ ସମିତିର ସଭା ବସିଲା । ପ୍ରତ୍ୟେକ ଶାଖା ସମିତିମାନଙ୍କ ପ୍ରତିନିଧି ଆସି ସେଥିରେ ଯୋଗଦେଲେ । ଭାରତୀୟମାନଙ୍କଠାରୁ ରୀତିମତ ଚାନ୍ଦା ଅସୁଲ କରାଗଲା । ଏହି ସମିତି ତରଫରୁ ଓଡ଼ିଆ, ବଙ୍ଗଳା, ହିନ୍ଦି ଦୈନିକ ଓ ସାପ୍ତାହିକ ସମ୍ୱାଦପତ୍ରମାନ ପ୍ରକାଶ ହୋଇ, ଭାରତୀୟମାନେ କିଏ କେଉଁଠି ଅତ୍ୟାଚାରିତ ହେଉଚନ୍ତି, ସେ ସବୁର ଆଲୋଚନା କରାଗଲା । ଭାରତୀୟମାନଙ୍କର ଏହି ନବଜାଗରଣ ବର୍ମ୍ମା ରାଜନୀତି ମହଲରେ ଗୋଟିଏ ଚାଞ୍ଚଲ୍ୟ ଖେଳାଇ ଦେଲା । ଏହି ଆନ୍ଦୋଳନକୁ ଦବାଇ ଦେବା ପାଇଁ ବ୍ରହ୍ମଦେଶର ନେତାମାନେ ଖୁବ୍‌ଚେଷ୍ଟା କଲେ । ଏଥିରେ ଅର୍ଥବଳ କ୍ଷମତା ବଳର ପ୍ରୟୋଗ କରାଗଲା । ବର୍ମୀମାନେ ଭାରତୀୟମାନଙ୍କ ସହିତ ଅସହଯୋଗ ଆରମ୍ଭ କଲେ । ହାଟ ବାଟରେ ଭାରତୀୟମାନଙ୍କୁ ଅପମାନ ଦିଆଗଲା । ତଥାପି ଏ ଆନ୍ଦୋଳନ ଦବି ନ ଯାଇ ପୂର୍ଣ୍ଣ ବେଗରେ ଚାଲିଲା । ଶ୍ରୀଯୁକ୍ତ ଦେବେନ୍ଦ୍ରକିଶୋର ବର୍ମାରେ ଥିବା ଭାରତ ରାଜଦୂତଙ୍କ ସହିତ ସାକ୍ଷାତ କରି, ତାଙ୍କର ସାହାଯ୍ୟ ଲୋଡ଼ିଲେ । କିନ୍ତୁ ଦୁଃଖର କଥା, ସେ ସେଥିରେ କୃତକାର୍ଯ୍ୟ ହୋଇ ପାରିଲେନି । ଅଥଚ ସେ ଭାରତ ରାଜଦୂତଙ୍କଠାରୁ କୌଣସି ପ୍ରକାର ସାହାଯ୍ୟ ଓ ସହାନୁଭୂତି ପାଇ ପାରିଲେନି । ବ୍ରହ୍ମଦେଶର ସରକାର ଓ ନେତାମାନଙ୍କର ପ୍ରରୋଚନାରେ ଭାରତ ରାଜଦୂତ ବିଜୟକୁମାରଙ୍କର ସମସ୍ତ ଦାବି ଓ ଅନୁରୋଧ ପ୍ରତ୍ୟାଖ୍ୟାନ କଲେ ।

ବିଜୟକୁମାରଙ୍କର ନେତୃତ୍ୱରେ ହଜାର ହଜାର ଭାରତୀୟ ବର୍ମାରେ ଥିବା ଭାରତ ଦୂତାବାସ ସମ୍ମୁଖରେ ଜମା ହୋଇ ବିକ୍ଷୋଭ ପ୍ରଦର୍ଶନ କଲେ । ସେଥିରେ ଫଳ ହେଲା, ବର୍ମା ସରକାରଙ୍କ ଆଦେଶରେ ବର୍ମାର ପୋଲିସ୍‌ ଓ ସୈନ୍ୟବାହିନୀ ଆସି ଜନତା ଉପରେ ଲାଠି ଚଳାଇଲେ । ତଥାପି ଦେବେନ୍ଦ୍ର କିଶୋର ଅର୍ଥାତ୍‌ ବିଜୟକୁମାର ଦବି ଯିବାର ପାତ୍ର ନୁହେଁ, ସେ ଏହି ଅତ୍ୟାଚାରର ପ୍ରତିକାର ଦାବି କରି ଭାରତର ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ପାଖକୁ ନିବେଦନ ପଠାଇଲେ ତଥାପି ତାର କୌଣସି ଆଶୁ ପ୍ରତିକାର ହେଲାନି । ଏଣେ ବ୍ରହ୍ମଦେଶ ସରକାର ଏହି ଆନ୍ଦୋଳନକୁ ଦଳି ଦେବାପାଇଁ ପାଶବିକ ଅତ୍ୟାଚାର ଆରମ୍ଭ କଲେ । ଏହି ଆନ୍ଦୋଳନରେ କେତେ କର୍ମୀ ପ୍ରାଣ ଦେଲେ । କେତେ ମୁମୂର୍ଷୁ ଅବସ୍ଥାରେ ଡାକ୍ତରଖାନାରେ ପଡ଼ିଲେ ।

ବର୍ମା ସରକାର ଏହି ଅନୁଷ୍ଠାନକୁ ବେଆଇନ ଘୋଷଣା କରି ନେତା ଓ କର୍ମୀମାନଙ୍କୁ ଗିରଫ କରିବା ପାଇଁ ଆରମ୍ଭ କଲେ । ବର୍ମାର ଉତ୍‌କ୍ଷିପ୍ତ ଜନତା ଭାରତୀୟମାନଙ୍କ ଘର ପୋଡ଼ିଦେଲେ । ସେମାନଙ୍କ ଘର ଲୁଟି କରି ନେଲେ । ଅତ୍ୟାଚାର ଦିନକୁଦିନ ବଢ଼ିବାକୁ ଲାଗିଲା । ଦେବେନ୍ଦ୍ର କିଶୋର ତଥା ବିଜୟକୁମାର ଦେଖିଲେ ବର୍ମା ସରକାରଙ୍କ ଅନ୍ୟାୟ ଓ ଅତ୍ୟାଚାର କ୍ରମେ ସୀମା ଲଙ୍ଘନ କରିଗଲା । ତେଣୁ ସେ ଭାରତୀୟମାନଙ୍କୁ ଏକତ୍ର କରି, ଧୈର୍ଯ୍ୟ ସହକାରେ ସମସ୍ତ ସହିଯିବା ପାଇଁ ଓ ସଙ୍ଗଠନକୁ ସୁଦୃଢ଼ କରିବା ପାଇଁ ବୁଝାଇଲେ । ସମସ୍ତେ ତାଙ୍କ କଥା ବୁଝିଲେ ।

ପ୍ରତ୍ୟେକ ଶାଖା ସମିତିମାନଙ୍କରୁ ନିବେଦନ ଆସିଲା, ମରିବୁ ପଛକେ ଛାଡ଼ିବୁନି । ଯେ କୌଣସିମତେ ଆମର ନ୍ୟାୟ ଦାବି ହାସଲ କରିବୁ । ଏଥିରେ ବିଜୟକୁମାର ଆହୁରି ଉତ୍ସାହିତ ହେଲେ ।

ସେ ଦିନ ଦଶହରା । ଦଶହରା ଉପଲକ୍ଷେ ପ୍ରତ୍ୟେକ ଶାଖାସମିତିମାନଙ୍କରେ ଦେବୀ ପୂଜାର ଆୟୋଜନ କରାଯାଉଚି । ସମସ୍ତେ ଆନନ୍ଦ ଉତ୍ସାହରେ ମାତି ଉଠିଚନ୍ତି । ଏହି ସମୟରେ ସମ୍ବାଦ ଆସିଲା । ବର୍ମା ସରକାରଦ୍ୱାରା ଭାରତୀୟମାନଙ୍କର ଦାବି ପ୍ରତ୍ୟାଖ୍ୟାନ କରାଯିବାରୁ ଏବଂ ଭାରତସରକାର ତାଙ୍କ କଥା ନ ଶୁଣିବାରୁ ବିଜୟକୁମାର ଆମରଣ ଅନଶନ ବ୍ରତ ଗ୍ରହଣ କରି ଅଛନ୍ତି । ଏ ସମ୍ବାଦ ଶୁଣି ହଜାର ହଜାର ଭାରତୀୟ ରେଙ୍ଗୁନ ଚାଲିଲେ ।

ଆମେରିକାର ସଭାପତି, ଇଂଲଣ୍ଡର ପ୍ରଧାନମନ୍ତ୍ରୀ, ଋଷର ସଭାପତି, ଚିନ୍‌ର ପ୍ରଧାନମନ୍ତ୍ରୀ, ଭାରତର ପ୍ରଧାନମନ୍ତ୍ରୀ ଓ ପାକିସ୍ଥାନର ପ୍ରଧାନମନ୍ତ୍ରୀମାନଙ୍କ ପାଖକୁ ଏହି ଆନ୍ଦୋଳନର ସମସ୍ତ ବିବରଣୀ ପଠାଇ ଏହାର ପ୍ରତିକାର ଦାବି କରି ବିଜୟକୁମାର ଅନଶନ ଆରମ୍ଭ କରିଚନ୍ତି ।

ରେଙ୍ଗୁନରେ ଥିବା ଭାରତ କେନ୍ଦ୍ର କଲ୍ୟାଣ ସମିତିର ଅଫିସ ଆଗରେ ହଜାର ହଜାର ଭାରତୀୟ ଜମା ହୋଇଗଲେ । ବର୍ମାର ପ୍ରଧାନମନ୍ତ୍ରୀ ଆସି ସେମାନଙ୍କୁ ବୁଝାଇଲେ, ତମେମାନେ ଏଠାରେ କୌଣସି ଗଣ୍ଡଗୋଳ ନ କରି ଚାଲିଯାଅ । ତମର ଦାବି ବିଚାର କରାଯାଉଚି । ଲୋକମାନେ ତାଙ୍କୁ ଉତ୍ତର ଦେଲେ, ମରିବୁ ପଛକେ ଏଠାରୁ ଯିବୁନି । ଆମେମାନେ ପଣ କରି ଆସିଛୁ’ ଶାତଦିନ ଅପେକ୍ଷା କରିବୁ ଯଦି ଏହାର କିଛି ପ୍ରତିକାର ନ ହୁଏ, ତେବେ ଆମେ ସମସ୍ତେ ଅନଶନ ଆରମ୍ଭ କରିବୁ । ପ୍ରଧାନମନ୍ତ୍ରୀ ଫେରିଗଲେ । ଏ ସମ୍ବାଦ ପ୍ରତ୍ୟେକ ଖବର କାଗଜରେ ବାହାରିଗଲା । ଉକ୍ତ ସଂଗଠନର ଶକ୍ତି ବୈଦ୍ୟୁତିକ ଗତିରେ ସାରା ଜଗତକୁ ଚମକାଇ ଦେଲା । ପ୍ରତ୍ୟେକ ଦେଶରୁ ଏହାର ତୁରନ୍ତ ସମାଧାନ କରିଦେବା ପାଇଁ ବର୍ମା ସରକାରଙ୍କ ନିକଟକୁ ନୋଟ ଆସିଲା । ଏଥିରେ ଦିଲ୍ଲୀର ଶାସନ ଗାଦି କମ୍ପି ଉଠିଲା । ଏହାର ତୁରନ୍ତ ସମାଧାନ ପାଇଁ ପଣ୍ଡିତ ନେହେରୁ ନିଜେ ଦୌଡ଼ି ଆସିଲେ ।

ପଣ୍ଡିତ ଜବାହାରଲାଲ, ବର୍ମାର ପ୍ରଧାନମନ୍ତ୍ରୀ ଓ ଅନ୍ୟାନ୍ୟ ବୈଦେଶିକ ରାଜଦୂତମାନଙ୍କର ଗୋଟିଏ ସମ୍ମିଳନୀ ବସିଲା । ଏଥିରେ ଭାରତୀୟମାନଙ୍କର ଦାବି ଅନେକାଂଶରେ ଗ୍ରହଣ କରାଗଲା । ବର୍ମାରେ ଭାରତୀୟମାନଙ୍କୁ ସମ୍ପୂର୍ଣ୍ଣ ନାଗରୀକ ଅଧିକାର ଦିଆଗଲା ।

ବିଜୟକୁମାରଙ୍କ ପାଖକୁ ଯାଇ ତାକୁ ଏସବୁ ସମ୍ବାଦ ଜଣାଇ ଦିଆଗଲା । ତା ସଙ୍ଗେ ସଙ୍ଗେ ମଧ୍ୟ ଅନୁରୋଧ କରାଗଲା, ଭାରତୀୟମାନେ ବର୍ମା ସରକାରଙ୍କ ସହିତ ମୈତ୍ରୀଭାବ ପ୍ରତିଷ୍ଠା କରି ଏ ଦେଶର ଉନ୍ନତ୍ତ କରନ୍ତୁ । ଏହିପରି ନିଷ୍ପତ୍ତି ପରେ ବିଜୟକୁମାର ଅନଶନ ପରିତ୍ୟାଗ କଲେ । ଏହା ଫଳରେ ସାରା ଜଗତର ବିଜୟକୁମାର ପରିଚିତ ହୋଇଗଲେ ।

କିଛିଦିନ ପରେ ଦିଲ୍ଲୀରୁ ସମ୍ବାଦ ଆସିଲା, ବର୍ମାରେ ଥିବା ଭାରତ ରାଜଦୂତଙ୍କର ବଦଳି ହୋଇଗଲା । ଆନ୍ଦୋଳନରେ ଭାରତ ରାଜଦୂତ ଯେଉଁ ସହାନୁଭୂତି ଶୂନ୍ୟ ପରିଚୟ ଦେଇଥିଲେ । ତାର ଫଳ ସ୍ୱରୂପ ଏ ବଦଳି ହେଲା ବୋଲି ଲୋକେ କହିଲେ ।

 

(ତେର)

 

ସୁରମାଦେବୀ ସଠିକ୍‌ ପ୍ରମାଣ ପାଇଲେ ଯେ ଅମଲାମାନଙ୍କ ଷଡ଼ଯନ୍ତ୍ର ଫଳରେ ଆଜି ତାଙ୍କର ଏ ଦଶା । ତେଣୁ ସେ ନିଜେ ଯାଇ କଟକରେ ଓଡ଼ିଶାର ପ୍ରଧାନମନ୍ତ୍ରୀଙ୍କ ସହିତ ଦେଖା କରି ତାଙ୍କର କରୁଣ କାହାଣୀ ବର୍ଣ୍ଣନା କଲେ । ତାଙ୍କ ଷ୍ଟେଟର ପରିଚାଳନା ପାଇଁ ତାଙ୍କୁ ଜଣେ ସୁଦକ୍ଷ ଡେପୁଟିମାଜିଷ୍ଟ୍ରେଟ ଧାର ଦେବାପାଇଁ ଅନୁରୋଧ କଲେ ।

 

ସହାନୁଭୂତିର ସହିତ ମାନ୍ୟବର ପ୍ରଧାନମନ୍ତ୍ରୀ ସୁରମାଦେବୀଙ୍କର ସମସ୍ତ କଥା ଶୁଣି, ତାଙ୍କ ଷ୍ଟେଟ ପରିଚାଳନା ପାଇଁ ଜଣେ ସବ୍‌ଡେପୁଟି ମାଜିଷ୍ଟ୍ରେଟ ଓ ଦୁଇଜଣ ସୁଦକ୍ଷ କିରାନୀ ତୁରନ୍ତ ପଠାଇବା ପାଇଁ ରେଭିନ୍ୟୁ କମିସନରଙ୍କୁ ଆଦେଶ ଦେଲେ ।

 

ସୁରମା କ୍ଷମା ପ୍ରାର୍ଥନା କରି ଦେବେନ୍ଦ୍ରଙ୍କୁ ଫେରି ଆସିବା ପାଇଁ ପ୍ରତ୍ୟେକ ଖବରକାଗଜରେ ବିଜ୍ଞାପନ ଦେଲେ । କିନ୍ତୁ ନିୟତିର ଗତି ଭିନ୍ନ ପ୍ରକାର । ଠିକ୍‌ ଦେବେନ୍ଦ୍ରଙ୍କର ଅନଶନ ସମୟରେ ଏ ବିଜ୍ଞାପନ ପ୍ରକାଶ ପାଇଲା । ତେଣୁ ଏ ଘଟଣା ପ୍ରତି ଦେବେନ୍ଦ୍ରଙ୍କର ଦୃଷ୍ଟି ଆକୃଷ୍ଟ ହୋଇ ପାରିଲାନି ।

 

ଅନନ୍ତ ଓ ବନମାଳି ବ୍ୟତୀତ ଚାକର, ପୂଝାରିଠାରୁ ଆରମ୍ଭ କରି ମ୍ୟାନେଜର ପର୍ଯ୍ୟନ୍ତ ସମସ୍ତେ ନୂତନ ନିଯୁକ୍ତ ହୋଇଛନ୍ତି । ଦକ୍ଷ ଓ ଶିକ୍ଷିତ ଲୋକମାନଙ୍କ କର୍ତ୍ତୃତ୍ୱରେ ଆସି ଷ୍ଟେଟ ପରିଚାଳନା ସୁନ୍ଦର ଭାବରେ ଚାଲିଲା । ଦେବେନ୍ଦ୍ରକିଶୋର ଯେଉଁ ସବୁ ଲୋକ ହିତକର ଅନୁଷ୍ଠାନ ସବୁ ଗଠନ କରିଥିଲେ, ସୁରମାଦେବୀଙ୍କ ତତ୍ତ୍ୱାବଧାନରେ ସେ ସବୁ ଚଳିଲା । ମାସିକ ଓ ବାର୍ଷିକ ଭାବରେ ଯେଉଁସବୁ ସାହାଯ୍ୟ ଦେବେନ୍ଦ୍ର ଦେଉଥିଲେ, ସେ ସବୁ ସେହିପରି ଦିଆଗଲା ।

 

ବହୁ ବିଭବ ଭିତରେ ରହି ସୁଦ୍ଧା ଆବାଲ୍ୟ ସୁଖୀ ସୁରମାଙ୍କର ଜୀବନ ଆଜି ବିଷମୟ । ସବୁବେଳେ ତାଙ୍କ ଆଖି ଆଗରେ ଭାସିଉଠେ ଗୋଟିଏ ହସ ହସ ସୁନ୍ଦର ମୁଖ । ତାଙ୍କ କାନରେ ବାଜିଉଠେ କେବଳ ଜଣକର ସୁମଧୁର ପ୍ରୀତିନିବେଦନ । ଦୁଶ୍ଚିନ୍ତା ଅନୁତାପରେ ତାଙ୍କର ସୁନ୍ଦର ସ୍ୱାସ୍ଥ୍ୟ ଦିନକୁଦିନ ଭାଙ୍ଗିପଡ଼ିଲା । ଦେବେନ୍ଦ୍ରଙ୍କ ଚିନ୍ତାରେ ସେ ଅନୁକ୍ଷଣ ବିଭୋର ହେଲେ । ଧନ, ସମ୍ପତ୍ତି, କ୍ଷମତା ଓ ପ୍ରତିପତ୍ତି ତାଙ୍କୁ ବିଷ ତୁଲ୍ୟ ବୋଧହେଲା । ଆବାଲ୍ୟ ବିଳାସରେ ବର୍ଦ୍ଧିତା ସୁରମା ତାଙ୍କର ସ୍ୱାସ୍ଥ୍ୟ, ବିଳାସ, ବାସନା ବିସର୍ଜନ ଦେଲେ । ଯୌବନ ଉନ୍ମାଦନା ତାଙ୍କ ହୃଦୟରୁ ତିରୋହିତ ହେଲା । ସାଧାରଣ ଲୋକ ପରି ଅତି ନିରାଡ଼ମ୍ବର ଓ ସରଳ ଜୀବନଯାପନ କରିବା ପାଇଁ ତାଙ୍କୁ ସୁଖ ଲାଗିଲା । ଏହି ପରିବର୍ତ୍ତନ ଭିତରେ ତାଙ୍କ ମନରେ ଆଧ୍ୟାତ୍ମିକ ଭାବ ଓ ଈଶ୍ୱର ବିଶ୍ୱାସ ଦୃଢ଼ୀଭୂତ ହେଲା । ଯେତେବେଳେ ଦେଖିବ, ସୁରମା ସବୁବେଳେ ଭାବନା ବିଭୋର । ନିସ୍ପଦ ଭାବ ଓ ଉତ୍ସାହହୀନତା ସବୁବେଳେ ତାଙ୍କ ମୁଖ ମଣ୍ଡଳରେ ଦେବୀପ୍ୟମାନ୍‌ ।

 

ହଠାତ୍‌ ସୁରମାଙ୍କର ମନେହେଲା ଏହି ଧନସମ୍ପତ୍ତି ଏହି ବିଷୟ ବାସନା କାହାଲାଗି ? ସେ ଆଜି ଯେଉଁ ବାଟରେ ଯାଇଚନ୍ତି, ମୁଁ ତାଙ୍କ ପଦଙ୍କୁ ଅନୁସରଣ କରିବି । ସୁରମାଙ୍କର ଆଖି ଆଗରେ ଏକ ନୂତନ ଆଲୋକ ଦେଖାଗଲା । ସେ କେତେଜଣ ଚାକର ଓ ଜଣେ ଶିକ୍ଷିତ କର୍ମଚାରୀଙ୍କ ସହିତ ଦେଶ ଭ୍ରମଣ ଉଦ୍ଦେଶ୍ୟରେ ବାହାରିଲେ ।

 

ସୁରମାଦେବୀ ବହୁଦେଶ ଭ୍ରମଣ କରି, ଯେଉଁଠାରେ ପହଞ୍ଚନ୍ତି, ସେଠାରେ ସେ ଲୋକହିତୈଷୀ ଅନୁଷ୍ଠାନମାନଙ୍କୁ ଅର୍ଥ ସାହାଯ୍ୟ କରନ୍ତି । ଗରିବ, ଦୁଃଖୀ, ରଙ୍କୀମାନଙ୍କୁ ଦାନ ଧ୍ୟାନ କରନ୍ତି । ଗୋଟିଏ ଜାଗାରେ କିଛିଦିନ ଅବସ୍ଥାନ କଲାପରେ ଅନ୍ୟତ୍ର ଗମନ କରନ୍ତି ।

 

ଆଗ୍ରାରେ ପହଞ୍ଚି ସୁରମା ‘ତାଜମହଲ’ର ମନୋରମ ଦୃଶ୍ୟ ଦେଖି ମୁଗ୍‌ଧ ହୋଇଗଲେ-। ସୁରମାଙ୍କର ମନେ ହେଲା ଧନ୍ୟ ପ୍ରେମିକ ସାହାଜାନ ! କୋଟି, କୋଟି ଟଙ୍କାର ବିନିମୟରେ ତମର ସେହି ଅନାବିଳ ପ୍ରେମକୁ ଅମର କରି ପାରିଚ ! ତମେ ନଶ୍ୱର ଦେହ ପିଞ୍ଜର ବର୍ଜନ କରି ଚାଲି ଯାଇଚ ! କାଳସ୍ରୋତରେ କେତେ ଯୁଗ ଭାସି ଗଲାଣି । ଭାରତର କେତେ ପରିବର୍ତ୍ତନ ହୋଇଗଲାଣି । କେତେ ରାଜା, କେତେ ବାଦଶାହା, କେତେ ସମ୍ରାଟ ଗଲେଣି । ଅତୀତର ବିସ୍ମୃତି ଗର୍ଭରେ ତାଙ୍କର ସ୍ମୃତି ବିଲୁପ୍ତ ହେଲାଣି । କିନ୍ତୁ ହେ ପ୍ରେମିକ ପ୍ରବର ! ଅମର ପ୍ରେମିକ-!! ଏ ଯମୁନା କୂଳରେ ଭାରତର ଶିରଭୂଷା ରୂପେ କାରୁ ବିମଣ୍ଡିତ ତମର ସେହି ଅମର ପ୍ରେମ ସ୍ମୃତି ବିଦ୍ୟମାନ ହୋଇ ଯମୁନାର କଳ କଳ ନାଦ ସହିତ ସ୍ୱର ତୋଳି ଗାଉଛି ତମର ପ୍ରେମର ସଙ୍ଗୀତ ! ହେ ଶ୍ରେଷ୍ଠ ପ୍ରେମିକ ! କେଡ଼େ ଭାଗ୍ୟବାନ ତମେ । ଆଜି ମୋ’ପରି ଚଣ୍ଡାଳୁଣୀ ପତି ବିଶ୍ୱାସଘାତିନୀର ପାପାତ୍ମା ତମର ଏହି ପ୍ରେମ-ତୀର୍ଥରେ ପବିତ୍ର ହେଉ !

 

ନାରୀକୁଳର ହେ ଗୌରବମୟୀ ମମତାଜ ! ତମରି ପ୍ରେମର ପରଶରେ ଜଗତ ଆଜି ଧନ୍ୟ । ଭାରତ ଆଜି ଗୌରବାନ୍ୱିତ ! ହେ ପ୍ରିୟସଖୀ ମୋର ! ତମେ ଓ ତମର ପ୍ରିୟତମ ମୋର ଏହି ଶ୍ରଦ୍ଧାଞ୍ଜଳି ଗ୍ରହଣ କର ସାଦରେ । ସୁରମା ଦୁଇହାତ ଏକତ୍ର କରି କପାଳରେ ଲଗାଇଲେ ଓ ମସ୍ତକ ଇଷତ୍‌ ଅବନତ କଲେ । ତାଙ୍କ ଆଖିରୁ ଦୁଇଟୋପା ଲୋତକ ବିଦୁ ଖସି ପଡ଼ିଲା । ସେ ପୁଣି କ୍ରନ୍ଦନଜଡ଼ିତ ସ୍ୱରରେ କହିଲେ–ହେ ପ୍ରେମର ଦେବତା । ହେ ମୋର ଗୁରୁଜନ, ମୋର ଅନ୍ତର ଆଜି ଜଳିପୋଡ଼ି ଯାଉଚି । କଣିକାଏ ଆଶୀର୍ବାଦ ପ୍ରଦାନ କରି, ଏ ହତଭାଗିନୀକୁ ଆଶ୍ୱାସନା ଦିଅ । ଛଳ ଛଳ ଆଖିରେ ଯୁକ୍ତକରେ ପୁଣି ନମସ୍କାର କଲେ ।

 

ସତେ ଯେପରି ସୁରମାଙ୍କ ପ୍ରାଣରେ କିଏ ବୋଳିଦେଲା ପୁଲକର ମନ୍ଦ ମଳୟ । ତାଙ୍କ ହୃଦୟ ଟିକେ ହାଲୁକା ଜଣାଗଲା । ସୁରମାଙ୍କର ବାହ୍ୟ-ଜ୍ଞାନ ଫେରି ଆସିଲା । ସେ ରୁମାଲ୍‌ରେ ମୁହଁପୋଛି ଅନୁଚରମାନଙ୍କ ସହିତ ଫେରି ଆସିଲେ ବାସ-ଭବନକୁ ।

 

(ଚଉଦ)

 

ସନ୍ଧ୍ୟାର ଆଗତ । ଅସ୍ତୋନ୍ମୁଖ ସୂର୍ଯ୍ୟ ଦୂରଦିଗ୍‌ବଳୟ କୋଳରେ ଲୁଚି ଯାଇଛନ୍ତି । ଦିଲ୍ଲୀ ନଗରୀରେ ଯମୁନା ନଦୀ କୁଳୁକୁଳୁ ନାଦରେ ବହିଯାଉଚି । ନଦୀ କୂଳରେ ଠିଆ ହୋଇଚନ୍ତି ସୁରମା-। ସୁରମା ଏଠାରେ ଅନ୍ୟ ନାମରେ ପରିଚିତା । ସୁରମା କଲିକତାରୁ ଆସିଲାବେଳେ କେବଳ ଜଣଙ୍କୁ ସଙ୍ଗରେ ଆଣି ଅନ୍ୟାନ୍ୟ ଚାକରମାନଙ୍କୁ ଘରକୁ ପଠାଇ ଦେଇଥିଲେ । ସେ ଜଣକ ହେଉଚନ୍ତି, ତାଙ୍କର ପେସ୍କାର ଶରତ୍‌କୁମାର ରାୟ । ଶରତ୍‌ରାୟ ଚରିତ୍ରବାନ୍‌, କର୍ତ୍ତବ୍ୟନିଷ୍ଠ ଓ ବିଶ୍ୱାସୀ । ବୟସ ପ୍ରାୟ ଷାଠିଏ ପାଖାପାଖି । ଶରତ୍‌ରାୟ ଓଡ଼ିଶାର କାୟସ୍ଥ ବଙ୍ଗାଳୀ ଅଟନ୍ତି-। ଏହାଙ୍କର ସଦ୍‌ଗୁଣ ସକାଶେ ସୁରମା ଏହାଙ୍କୁ ଖୁବ୍‌ ଶ୍ରଦ୍ଧା, ଭକ୍ତି କରନ୍ତି । ବାକି ଚାରିଜଣ ଚାକର ଓ ଦୁଇଜଣ ଚାକରାଣୀ । ସମସ୍ତେ ମେଦିନୀପୁରବାସୀ ବଙ୍ଗାଳୀ ଅଟନ୍ତି । ଏମାନଙ୍କୁ ସଙ୍ଗରେ ଆଣି ସୁରମା ଦେଶଭ୍ରମଣରେ ବାହାରିଥିଲେ । ସୁରମା ଏକ ନୂତନ କୌଶଳ ଉଦ୍ଭାବନ କରି ଅଛନ୍ତି-। ସେ ଆଜିକାଲି ବର୍ଦ୍ଧମାନର ରାଜକନ୍ୟା ଭାବରେ ନିଜର ପରିଚୟ ଦେଉଚନ୍ତି । ରାଜକୁମାରୀ ହିସାବରେ ତାଙ୍କର ବେଶବିନ୍ୟାସ ଏପରି ନିଖୁଣ ହୋଇଛି ଯେ ତାଙ୍କୁ ଦେଖିଲେ ତାଙ୍କର ପରମ ଆତ୍ମୀୟ ସୁଦ୍ଧା ପ୍ରତାରିତ ହେବେ । ତାଙ୍କ ଭିତରେ ଓଡ଼ିଆ ଭାଷା ଲୋପ କରାଯାଇଚି-। ଶରତ୍‌ରାୟଙ୍କୁ ଛାଡ଼ିଦେଲେ ଅନ୍ୟାନ୍ୟ ଅନୁଚର ଓ ପରିଚାରିକାମାନେ ଓଡ଼ିଆ ଭାଷାରେ ସମ୍ପୂର୍ଣ୍ଣ ଅନ୍ଧ । ସେମାନେ ମଧ୍ୟ ଜାଣନ୍ତି, ଏ ହେଉଚନ୍ତି ପ୍ରକୃତ ରାଜକୁମାରୀ । ଭିତରି କଥା କେବଳ ଜାଣନ୍ତି ଜଣେ, ସେ ହେଉଚନ୍ତି ଶରତ୍‌ରାୟ । ସୁରମାଦେବୀ ଏମାନଙ୍କ ପାଖରେ ରାଜକୁମାରୀ ଉଜ୍ୱଳାଦେବୀ ନାମରେ ପରିଚିତା ! କିନ୍ତୁ ଦାସ ଦାସୀମାନେ ତାଙ୍କୁ ରାଜକୁମାରୀ ବୋଲି ସମ୍ବୋଧନ କରନ୍ତି ।

 

ଦିଲ୍ଲୀରେ ପନ୍ଦରଦିନ ରହିବା ପରେ ରାଜକୁମାରୀ ଉଜ୍ୱଳାଦେବୀ ଶୁଣିଲେ–ବ୍ରହ୍ମଦେଶରେ ଜଣେ ଓଡ଼ିଆ ଯୁବକ ସେଠାରେ ଥିବା ଭାରତୀୟମାନଙ୍କ ପାଇଁ କାମ କରି ଖୁବ୍‌ ଖ୍ୟାତି ଅର୍ଜନ କରିଅଛନ୍ତି । ତାଙ୍କର ସନ୍ଦେହାକୁଳ ମନ କାହିଁକି କେଜାଣି ସେଇଆଡ଼କୁ ଧାଇଁଗଲା । ରାଜକୁମାରୀ ତାଙ୍କର ବିଶ୍ୱସ୍ତ କର୍ମଚାରୀ ବୃଦ୍ଧ ଶରତରାୟଙ୍କୁ ଡାକି କହିଲେ–ବୁଝିଲେ ଶରତ୍‌ବାବୁ ! କାଲି ଚାଲ କଲିକତା ଫେରିଯିବା । ବ୍ରହ୍ମଦେଶ ଦେଖିବାପାଇଁ ମୋର ଟିକେ ଇଚ୍ଛା ଅଛି ।

 

ରାଜକୁମାରୀଙ୍କ ଇଚ୍ଛା ଅନୁସାରେ ସମସ୍ତେ କଲିକତା ଫେରିଲେ ଓ ରେଙ୍ଗୁନ ପାଇଁ ଟିକେଟ୍‌ କରି ସମସ୍ତେ ଜାହାଜରେ ଉଠିଲେ ।

 

ଜାହାଜ ସମୁଦ୍ରରେ ପଡ଼ିଲା । ପ୍ରଥମ ଦିନଟି ରାଜକୁମାରୀଙ୍କି ବଡ଼ କଷ୍ଟହେଲା । ଜାହାଜରେ ଭ୍ରମଣ କରିବା ଏଇ ତାଙ୍କର ପ୍ରଥମ । ତହିଁ ଆରଦିନ ସନ୍ଧ୍ୟାବେଳକୁ ସମୁଦ୍ରରେ ଝଡ଼ ଆରମ୍ଭ ହେଲା । ଯାତ୍ରୀମାନେ ନିଜ ନିଜ କାବିନ୍‌ରେ ଆଶ୍ରୟ ଗ୍ରହଣ କଲେ । ଏପରି ବେଗରେ ଝଡ଼ ହେଲା ଯେ, ଜାହାଜ ସେଠାରେ ଲଙ୍ଗର କରିବାକୁ କ୍ୟାପ୍‌ଟେନ ଆଦେଶ ଦେଲେ । ଦୀର୍ଘ ୬ଘଣ୍ଟା ଧରି ଝଡ଼ ବହିଲା ।

 

ଏପରି ସମୟରେ ରାଜକୁମାରୀଙ୍କର ମୁଣ୍ଡବ୍ୟଥା ଆରମ୍ଭ ହେଲା । ଶରତ୍‌ରାୟ ଯାଇ କ୍ୟାପ୍‌ଟେନ୍‌ଙ୍କୁ ଜଣାଇଲେ । ଚିକିତ୍ସାର ବନ୍ଦୋବସ୍ତ ହେଲା । ଡାକ୍ତର ଆସି ରାଜକୁମାରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କଲେ । ଡାକ୍ତର ମୃଦୁ ହସି କହିଲେ–ଏ ବୋଧହୁଏ ରାଜକୁମାରୀଙ୍କର ପ୍ରଥମ ଜାହାଜ ଯାତ୍ରା ! ଜାହାଜ ଝଡ଼ରେ ହଲିବାରୁ ଏପରି ହୋଇଚି । ଝଡ଼ କମିଗଲେ ଆପଣା ଛାଏଁ ବନ୍ଦ ହୋଇଯିବ । ଏଥିପାଇଁ ଭୟ କରିବା କିଛି ଦରକାର ନାହିଁ ।

 

ସତକୁସତ ଝଡ଼ ବନ୍ଦ ହେବା ସଙ୍ଗେ ସଙ୍ଗେ ରାଜକୁମାରୀଙ୍କର ମୁଣ୍ଡର ଯନ୍ତ୍ରଣା କମିଗଲା, ସେ ନିଜକୁ ସୁସ୍ଥ ବୋଧ କଲେ ।

 

ଚାରିଟା ବେଳେ ଉଜ୍ୱଳାଦେବୀ ଡେକ୍‌ଉପରେ ଯାଇ ଦେଖିଲେ, ଡେକ୍‌ର ଉପର ଜଗତଟି ସୁପ୍ତମଗ୍ନ । କେବଳ ଦୁଇ ଚାରିଜଣ ଖଲାସୀ ସେତେବେଳେ ଏପାଖ ସେପାଖ ହେଉଥିଲେ । ଆସ୍ତେ ଆସ୍ତେ ଡେକ୍‌ଟି ନାନା ଜାତି ଲୋକମାନଙ୍କ ସମାଗମରେ ସରଗରମ ହୋଇ ଉଠିଲା । କିନ୍ତୁ ଉଜ୍ୱଳା ଯେଉଁଆଡ଼େ ବସିଥିଲେ, ସେ ପାଖରେ ଲୋକ ଭିଡ଼ କମ । କାରଣ ସେ ହେଉଚି ପ୍ରଥମ ଶ୍ରେଣୀ ଯାତ୍ରୀମାନଙ୍କ ପାଇଁ ବସିବାର ସ୍ଥାନ । ରାଜକୁମାରୀ ଦେଖିଲେ ନାନା ଶ୍ରେଣୀର ନାନା ବର୍ଣ୍ଣର ଲୋକ ତଥା ଭାରତୀୟ ୟୁରୋପୀୟ, ଚୀନା, ଓ ବର୍ମୀ ଇତ୍ୟାଦି । ଜଣେ ୟୁରୋପୀ ଭଦ୍ରଲୋକ ଉଜ୍ୱଳାଦେବୀଙ୍କ ପାଖ ଚେୟାରରେ ବସିଲେ । ମୃଦୁ ହସି ଉଜ୍ୱଳା ଦେବୀଙ୍କି ପଚାରିଲେ, ଆପଣଙ୍କର କ’ଣ କେହି ନିଜର ଲୋକ ବର୍ମାରେ ଅଛନ୍ତି ?

 

ଉଜ୍ୱଳାଦେବୀ ଖାଣ୍ଟି ଇଂରାଜୀରେ ଉତ୍ତର ଦେଲେ–ନା’, ମୁଁ ଭ୍ରମଣ ଉଦ୍ଦେଶ୍ୟରେ ବର୍ମା ଯାଉଚି ।

 

ଭଦ୍ରଲୋକ ପଚାରିଲେ–ବୋଧହୁଏ ଏଇ ଆପଣଙ୍କର ପ୍ରଥମ ସମୁଦ୍ର ଯାତ୍ରା ?

 

ଉଜ୍ୱଳାଦେବୀ ମୃଦୁହସି କହିଲେ–ଧନ୍ୟବାଦ, ଆପଣଙ୍କର ଅନୁମାନ ଠିକ୍‌ ! ଆପଣ ବର୍ମାରେ କ’ଣ କରନ୍ତି ?

 

ମୁଁ ସେଠାକାର ଗୋଟିଏ କିରୋସିନି ଖଣିର ମ୍ୟାନେଜିଂ ଡିରେକ୍ଟର । କାର୍ଯ୍ୟୋପଲକ୍ଷରେ କଲିକତା ଯାଇଥିଲି, ବର୍ମା ଫେରି ଯାଉଚି ।

 

ଉଜ୍ୱଳା ପଚାରିଲେ–ଆପଣଙ୍କ ସଙ୍ଗରେ କିଏ ଅଛନ୍ତି ? ଠିକ୍‌ ସେତିକିବେଳେ ଜଣେ ୟୁରୋପୀୟ ଯୁବତୀ ଆସି ସେଠାରେ ଠିଆ ହୋଇଗଲେ । ମୋ ସଙ୍ଗରେ ଖାନସାମା ବବୃଚି ଅଛନ୍ତି । ଆଉ ଏଇ ଭଦ୍ରମହିଳା ହେଉଛନ୍ତି ମୋର ପତ୍ନୀ ମିସେସ୍‌ କିଟ ।

 

ରାଜକୁମାରୀ ସେମାନଙ୍କୁ ନିଜର ପରିଚୟ ଦେଲେ । ସଙ୍ଗେ ସଙ୍ଗେ ଉଠି ଆସି ମିଷ୍ଟର ଓ ମିସେସ୍‌ କିଟ୍‌ ରାଜକୁମାରୀଙ୍କ କର ମର୍ଦ୍ଦନ କଲେ । ଅଳ୍ପସମୟ ଭିତରେ ରାଜକୁମାରୀଙ୍କ ସହିତ ମିସେସ୍‌ କିଟ୍‌ଙ୍କର ବେଶ୍‌ ବନ୍ଧୁତା ଜମିଗଲା ।

 

କୌଣସି ପ୍ରୟୋଜନରେ ସାହେବ ଉଠି କହିଲେ–ଡାର୍ଲିଂ, ମୁଁ ଟିକେ ଭିତରୁ ଆସେ ! ତମେ ପ୍ରିନ୍‌ସେସ୍‌ଙ୍କ ସହିତ ବସି କଥା ଭାଷା କରୁଥା । ରାଜକୁମାରୀଙ୍କି ଲକ୍ଷ୍ୟ କରି ବିନୀତ ସ୍ୱରରେ କହିଲେ, କିଛି ସମୟ ପାଇଁ ମୋତେ ମାର୍ଜନା କରନ୍ତୁ ପ୍ରିନ୍‌ସେସ୍‌ ! ମୁଁ ଟିକେ ଭିତରୁ ଆସେ । ଆପଣମାନେ କଥାଭାଷା କରୁ ଥାଆନ୍ତୁ, ସାହେବ ଚାଲିଗଲେ ।

 

ଆପଣ କ’ଣ ଏବେ ସୁଦ୍ଧା କୁମାରୀ ଜୀବନ ଅତିବାହିତ କରୁଚନ୍ତି ପ୍ରିନ୍‌ସେସ୍‌ ?

 

କେବଳ ମୃଦୁ ହସି ରାଜକୁମାରୀ ତାଙ୍କ ପ୍ରଶ୍ନର ସମର୍ଥନ କଲେ ।

 

ମିସେସ୍‌ କିଟ୍‌ ପଚାରିଲେ–କାହିଁକି, ଆପଣଙ୍କ ଦେଶରେ ତ ଖୁବ୍‌ ଶୀଘ୍ର ବିଭା କରନ୍ତି ।

 

ରାଜକୁମାରୀ ଗୋଟିଏ ଦୀର୍ଘଶ୍ୱାସ ଛାଡ଼ି କହିଲେ, ମୋତେ କ୍ଷମା କରିବେ ମିସେସ୍‌ କିଟ୍‌-। ମୋତେ ଅନ୍ୟ ପ୍ରଶ୍ନ ପଚାରନ୍ତୁ ।

 

ମିସେସ୍‌ କିଟ ଆହତ ସ୍ୱରରେ କହିଲେ–ଏପରି ପ୍ରଶ୍ନ କରିବାଦ୍ୱାରା ଯଦି ଆପଣଙ୍କ ମନରେ କଷ୍ଟ ଦେଇଥାଏ, ମୋତେ କ୍ଷମା କରିବେ ପ୍ରିନ୍‌ସେସ୍‌ !

 

କଷ୍ଟ ? ନାଇଁ ତ ! ବେଦନା ଚାପି ରାଜକୁମାରୀ କହିଲେ, ବିବାହ ବଡ଼ କଷ୍ଟ ଜିନିଷ । ତେଣୁ ଭାବିଚିନ୍ତି ତାର ସମାଧାନ କରିବା ଉଚିତ । ଏ ସମ୍ବନ୍ଧରେ ଆପଣଙ୍କ ସମାଜରେ ଖୁବ୍‌ ସୁବିଧା ଅଛି । ଆପଣାମାନେ ଦେଖି ଚାହିଁ ପ୍ରେମର ଆଦାନ ପ୍ରଦାନ ପରେ ବିବାହ କରନ୍ତି ମିସେସ୍‌ କିଟ ।

 

ମିସେସ୍‌ କିଟ୍‌ ହସିଲେ । ତା ସତ, ତଥାପି ଛାଡ଼ପତ୍ର ତ କମ୍‌ ଦିଅନ୍ତିନି ଆମ ଦେଶରେ-

 

ବେଦନା ଚାପି ରାଜକୁମାରୀ କହିଲେ, ତା ହୁଏତ ସ୍ୱାମୀ କିମ୍ବା ସ୍ତ୍ରୀଙ୍କର ଅପରିଣାମଦର୍ଶିତାର ପରିଣାମ ମିସେସ୍‌ କିଟ୍‌ ।

 

ମିସେସ୍‌ କିଟ୍‌ ହସିଲେ, କହିଲେ–ସ୍ୱାମୀ ଭାଗ୍ୟ ଲାଭ କରିବା କ’ଣ ସମସ୍ତଙ୍କ ଜୀବନରେ ଘଟେ ପ୍ରିନ୍‌ସେସ୍‌ । ମୁଁ ଭାବେ ମୁଁ ବଡ଼ ଭାଗ୍ୟବତୀ ।

 

ତା ପୂର୍ବରୁ ସାହେବ ଆସି ଠିଆ ହୋଇ ଯାଇଥିଲେ । ରାଜକୁମାରୀ ମୃଦୁ ହସି କହିଲେ, ଆସନ୍ତୁ ମିଃ କିଟ୍‌ !

 

କେଉଁ ବିଷୟରେ ମିସେସ୍‌ ଆମର ଭାଗ୍ୟବତୀ ?

 

ମିସେସ୍‌ କିଟ୍‌ କଟାକ୍ଷ ହାଣି କହିଲେ, ସେ ପ୍ରଶ୍ନ ପଚାରିବାର ତମର ଅଧିକାର ନାହିଁ ଡିୟର ।

 

ଏହିପରି ନାନା କଥାଭାଷା ପରେ ରାତି ନ’ଟା ବାଜିଗଲା ‘ଆଲାର୍ମ’ ବାଜି ଉଠିଲା, ସମସ୍ତେ ଆସ୍ତେ ଆସ୍ତେ ଚାଲିଲେ, ଡାଇନିଂ ହଲଆଡ଼େ । ମିସେସ କିଟ୍ ଡାକିଲେ ଆସନ୍ତୁ ପ୍ରିନ୍‌ସେସ ।

 

ଧନ୍ୟବାଦ ! କିନ୍ତୁ ମୋ କ୍ୟାବିନରେ ସେଇ ଡିନାର ଦିଆ ସରିବଣି । ମିଁ ସେଇଠି ଖାଏ-। ମୋତେ ମାର୍ଜନା କରିବେ ମିଷ୍ଟର ଏଣ୍ଡ ମିସେସ୍‌ କିଟ୍‌ !

 

ତହିଁଆର ଦିନ ନ’ଟା ବେଳେ ପୁଣି ରାଜକୁମାରୀଙ୍କ ସହିତ ମିସେସ୍‌ କିଟ୍‌ଙ୍କର ଦେଖାହେଲା । ଗୁଡମର୍ଣ୍ଣିଂ ପ୍ରିନ୍‌ସେସ୍‌ ।

 

ଗୁଡମନିଂ ମିସେସ୍‌ କିଟ୍ ! ଆସନ୍ତୁ ! ଆସନ୍ତୁ । ରାଜକୁମାରୀ ମିସେସ କିଟ୍‌ଙ୍କର କରମର୍ଦ୍ଦନ କଲେ, ଦୁହେଁ ବସିଲେ । ସେମାନେ ଦେଖିଲେ ଆଜି ଯାତ୍ରୀମାନଙ୍କ ମଧ୍ୟରେ ଟିକିଏ ଉତ୍ସାହର ସଞ୍ଚାର ହୋଇଚି । ଦୁଇଟି ଦିନସାରା କେବଳ ଜଳ ଦେଖି ଦେଖି ଏମାନଙ୍କର ପ୍ରାଣ ଅସ୍ଥିର ହୋଇ ଉଠିଥିଲା, ବର୍ତ୍ତମାନ ସ୍ଥଳଭୂମି ଦେଖିବା ଆଶାରେ ଏମାନଙ୍କର ସମସ୍ତ ଜଡ଼ତା କଟି ଯାଇଚି । ବର୍ତ୍ତମାନ ତୀରଭୂମି ବହୁ ଦୂରେ ତଥାପି ସେମାନେ ମାନସ-ଚକ୍ଷୁରେ ଶ୍ୟାମଳା ଧରଣୀର ସବୁଜ ଅଞ୍ଚଳର ଆଭାସ ଦେଖିବାପାଇଁ ଲାଗିଲେ । ପୁଡ଼ା ପୋଟଳି ବାନ୍ଧିବାର ଧୂମ୍‍ଧାମ ଲାଗିଗଲା-

 

ରାଜକୁମାରୀଙ୍କ ଆଦେଶରେ ଗୋଟିଏ ‘ବୟ’ ଯାଇ ତାଙ୍କର କର୍ମଚାରୀ ବୃଦ୍ଧ ଶରତ୍‌ ରାୟଙ୍କୁ ଡାକି ଆଣିଲା । ରାଜକୁମାରୀ ଆଦେଶ ଦେଲେ ବୋଧହୁଏ ତୀରଭୂମି ଆଉ ବେଶୀ ଦୂର ନୁହେଁ । ଆପଣମାନେ ପ୍ରସ୍ତୁତ ହୁଅନ୍ତୁ । ଜିନିଷପତ୍ର ସଜଡ଼ା ସଜଡ଼ି କରିବାପାଇଁ ଶରତ୍‌ରାୟ ଚାଲିଗଲେ ।

 

ମିସେସ୍‌ କିଟ୍‌ କହିଲେ ଦେଖନ୍ତୁ, ଜଳର ରଙ୍ଗ କିପରି ବଦଳି ଯାଇଚି । ଦେଖନ୍ତୁ କିପରି ସାବୁଜା ଗୋଳିଆ ରଙ୍ଗ । ବର୍ତ୍ତମାନ ଆମେମାନେ ମାର୍ଟାବାନ ଉପସାଗରରେ ଆସି ପହଞ୍ଚି ଥାଏ ନା ?

 

ରାଜକୁମାରୀଙ୍କର ପିଲାଦିନର ପଢ଼ା ଭୂଗୋଳ ମନେ ପଡ଼ିଲା । Gulf of Martaban ମୁଖସ୍ଥ କରିବାକୁ ପଡ଼ୁଥିଲା ସେଇଟା ସାପ କି ବେଙ୍ଗ ଜଣାନଥିଲା । ଆଜି ତାହାର ପ୍ରତ୍ୟକ୍ଷ ପରିଚୟ ଘଟିଲା ।

 

ବେଳ ଗଡ଼ିଗଲା । ପ୍ରାକୃତିକ ସୌନ୍ଦର୍ଯ୍ୟର ମୋହ ଛାଡ଼ି ନ ପାରି ସେହି ଡେକ୍‌ ଉପରେ ରାଜକୁମାରୀ ଓ ମିସେସ୍‌ କିଟଙ୍କର ଖିଆପିଆ ବଢ଼ିଗଲା । କିଛିକ୍ଷଣ ପରେ ‘ବୟ’ ‘ଟୋପାଜ’ ପ୍ରଭୃତି ବକଶିସ୍‌ ଆଦାୟ କରିବା ପାଇଁ ଯୁଟିଗଲେ । ରାଜକୁମାରୀ ସେମାନଙ୍କୁ ପ୍ରଚୁର ବକଶିସ୍‌ ଦେଇ ବିଦାୟ କରିଦେଲେ ?

 

ଦେଖୁ ଦେଖୁ ଜାହାଜ ସମୁଦ୍ର ଛାଡ଼ି ଇରାବତୀ ନଦୀରେ ଆସି ପଡ଼ିଲା । କ୍ରମେ ବ୍ରହ୍ମ ଦେଶର ରାଜଧାନୀ ଆସି ପଡ଼ିଗଲା ଦୃଷ୍ଟିର ସୀମାଭିତରେ ।

 

ମିସେସ୍‌ କିଟ୍‌ କହିଲେ ଏଇ ଦେଖନ୍ତୁ ବଡ଼ ପ୍ୟାଗୋଡ଼ା ଏହି ବୃକ୍ଷ ଶ୍ରେଣୀର ଉପରେ ଦେଖା ଯାଉଚି ।

 

ରାଜକୁମାରୀ ନିରୀକ୍ଷଣ କଲେ, ବୃକ୍ଷ ଶ୍ରେଣୀର ଉପରେ ଜକ୍‌ ଜକ୍‌ କରି ଜଳୁଅଛି ଏକ ସୁନେଲୀ ରଙ୍ଗର ଚୂଡ଼ା–ଶ୍ୟାମାଙ୍ଗ ନୃପତିର ମଥାର ମୁକୁଟ ତୁଲ୍ୟ ! ଏଇ ସୋୟେଡାଗନ ପ୍ୟାଗୋଡ଼ା ! ଏହାର ନାଁ ସେ ଅନେକ ଥର ଶୁଣିଥିଲେ । କଳ୍ପନାରେ ରାଜକୁମାରୀ ଅବଶ୍ୟ ତାହାକୁ ଏକ ସୁବିପୁଳ ଓ ମହିମାମୟ ଭାବିଥିଲେ । ଦେଖିଲେ ବାସ୍ତବିକ୍‌ ସେପରି ନୁହେଁ ।

 

ରେଙ୍ଗୁନ ବନ୍ଦର ଆସିଗଲା । ତାହାର କଦର୍ଯ୍ୟ, ପଙ୍କିଳ ଚେହେରା ଦେଖି ରାଜକୁମାରୀଙ୍କ ମୁହଁରେ ଏକ ମ୍ଳାନଭାବ ପରିସ୍ଫୁଟ ହେଲା । ତାଙ୍କର ମନେ ହେଲା ଏଇକି ସେ ବିଳାସର ଲୀଳାଭୂମି ବ୍ରହ୍ମଦେଶର ପ୍ରବେଶ ଦ୍ୱାର ।

 

ତା’ପରେ ଲାଗିଗଲା ଜାହାଜ । ଜାହାଜର ସିଡ଼ି ପଡ଼ିଗଲା ଏକ ତୁମୂଳ ଧ୍ୱନି ସୃଷ୍ଟିକରି । ତା ପରେ କୁଲିମାନଙ୍କ ଆକୁଳ ଚିତ୍କାର କର୍ଣ୍ଣ ସ୍ତବ୍ଧ କରିଦେଲା । ଏଇଠାରେ ମିସେସ୍‌ କିଟ୍‌ ଓ ରାଜକୁମାରୀ ପରସ୍ପରଠାରୁ ବିଦାୟ ନେଇ ଚାଲିଲେ ନିଜ ନିଜର କ୍ୟାବିନ ଉଦ୍ଦେଶ୍ୟରେ ।

 

ଜାହାଜରୁ ଓହ୍ଲାଇ ରାଜକୁମାରୀ ଦାସଦାସୀମାନଙ୍କ ସମବ୍ୟବହାରରେ ଚାଲିଲେ ରେଙ୍ଗୁନ ସହର ଉଦ୍ଦେଶ୍ୟରେ ।

 

(ପନ୍ଦର)

 

ଭାରତ କଲ୍ୟାଣ ସମିତି ସାଫଲ୍ୟ ମଣ୍ଡିତ ହୋଇ ପୂର୍ଣ୍ଣ ଉତ୍ସାହରେ ଚାଲିଚି । ସେଠାରେ ଥିବା ଭାରତୀୟମାନେ ବିଜୟକୁମାରଙ୍କୁ ଦେବତା ପରି ଭକ୍ତି କରନ୍ତି । ସେଠାକାର ତିନୋଟି ବଙ୍ଗଳା, ଓଡ଼ିଆ, ଇଂରେଜି ପତ୍ରିକାର ସମ୍ପାଦକ ହେଉଚନ୍ତି ବିଜୟକୁମାର । ବିଜୟକୁମାର ସେବା କାର୍ଯ୍ୟରେ ମନପ୍ରାଣ ଢାଳି ଦେଇଛନ୍ତି ।

 

ସେଦିନ ମକର ସଂକ୍ରାନ୍ତି । ପ୍ୟାଗୋଡ଼ାରେ ସେବାପୂଜାର ଆୟୋଜନ ଚାଲିଚି । ଶହଶହ ଯାତ୍ରୀ ଚାଲିଚନ୍ତି ବୁଦ୍ଧଦେବଙ୍କ ଦର୍ଶନ ପାଇଁ । କେତେଜଣ ସହକର୍ମୀଙ୍କ ସହିତ ବିଜୟ ମଧ୍ୟ ଯାଇଚନ୍ତି । ଦେବ ଦର୍ଶନ ସାରି ତାଙ୍କର ଅନ୍ତରଙ୍ଗ ସହଚର ପ୍ରକାଶଙ୍କ ସହିତ ବିଜୟ ଫେରି ଆସି ଗେଟ ପାଖରେ ଠିଆ ହୋଇଚନ୍ତି । ହଠାତ୍‌ ତାଙ୍କର ଦୃଷ୍ଟି ପଡ଼ି ସ୍ଥିର ହୋଇଗଲା । ତାଙ୍କର ମନେ ହେଲା ସତେ ଯେପରି ସେ ବିଚରଣ କରୁଚନ୍ତି ସ୍ୱପ୍ନ-ରାଜ୍ୟରେ । ସେ ଦେଖିଲେ ସୁରମାଦେବୀ ଅଗ ପଛରେ ରକ୍ଷୀ ପରିବେଷ୍ଟିତ ହୋଇ ଚାଲିଚନ୍ତି ଦେବ ଦର୍ଶନରେ । କିନ୍ତୁ ବିଜୟ ଦେଖିଲେ ସୁରମାଙ୍କ ସଙ୍ଗରେ ଯେଉଁମାନେ ଅଛନ୍ତି, ସମସ୍ତେ ତାଙ୍କର ଅପରିଚିତ । ଆଉ ସୁରମା ମୂଲ୍ୟବାନ ସାଜରେ, ସଜ୍ଜିତା ! ଦୁଃଖୀ, ରଙ୍କୀମାନଙ୍କୁ ଅପର୍ଯ୍ୟାପ୍ତ ଦାନ କରୁଚନ୍ତି । ତାଙ୍କର ଆଡ଼ା ଦେଖିଲେ, କୌଣସି ଏକ ବଡ଼ ରାଜ୍ୟର ମହାରାଣୀ ବ୍ୟତୀତ ଅନ୍ୟ କିଛି ଧାରଣା କରି ହେବନି ! ରାଜକୁମାରୀଙ୍କ ଦଳଟି ଆଗେଇ ଆସି ବିଜୟଙ୍କ ସଙ୍ଗରେ ମିଶିଗଲେ । ବିଜୟ ଶୁଣିଲେ ସମସ୍ତେ ବଙ୍ଗଳା କହୁଚନ୍ତି । ଅନ୍ୟଆଡ଼େ ବିଜୟକୁମାରଙ୍କର ସଜାଗ ଦୃଷ୍ଟି ପଡ଼ିଗଲା । ସେ ଦେଖିଲେ ପ୍ୟାଗୋଡ଼ାର ଭାରପ୍ରାପ୍ତ କର୍ମଚାରୀ ସଭ୍ରମରେ ଆସି ଅଭିବାଦନ ଜଣାଇ ଇଂରେଜୀରେ କହିଲେ; ଆସନ୍ତୁ ପ୍ରିନ୍‌ସେସ୍‌ ।

 

ହତଚକିତ ବିଜୟଙ୍କ ସ୍ୱରରେ ଧ୍ୱନିତ ହେଲା ପ୍ରିନ୍‌ସେସ୍‌ । ଏଇଠି ହେଲା ତାଙ୍କର ସନ୍ଦେହର ସୂତ୍ରପାତ ।

 

ଅପୂର୍ବ ରୂପବତୀ ତଥାକଥିତ ସେହି ରାଜକୁମାରୀଙ୍କର ଚଞ୍ଚଳ ପଲକ ପଡ଼ି ବିଜୟକୁମାରଙ୍କ ଉପରେ ଅଚଳ ହୋଇଗଲା । ସେ ଦେଖିଲେ, ଯାହାଙ୍କର ଦର୍ଶନ ପାଇଁ ସେ ସାରା ଭାରତ ଭ୍ରମଣ ସାରି ସାତ ସମୁଦ୍ରତେର ନଈ ପାରି ହୋଇ ଏତେ ଦୂର ଆସିଛନ୍ତି । ତାଙ୍କର ସେହି ପ୍ରାଣର ଦେବତା, ହୃଦୟର ସର୍ବସ୍ୱ, ପ୍ରିୟତ୍ତମ ଦେବେନ୍ଦ୍ରକିଶୋର ତାଙ୍କ ପାଖରେ–ଅତି ପାଖରେ । ସେ ଭଲଭାବେ ନିରୀକ୍ଷଣ କଲେ, ବିଜୟ କୁମାରଙ୍କର ସଯତ୍ନ ବର୍ଦ୍ଧିତ ଦୀର୍ଘ ଶ୍ମଶ୍ରୁ ଓ ତାଙ୍କର ଗେରୁବସ୍ତ୍ର ପରିଧାନ ଛଟା ତାଙ୍କୁ ପ୍ରତାରିତ କଲା । ତଥାପି ତାଙ୍କର ସନ୍ଦେହ ଯେ ସମୂଳେ ବିନଷ୍ଟ ହେଲା, ଏ କଥା କହିଲେ ସତ୍ୟର ଅପଳାପ ହେବ ।

 

ପ୍ରକାଶ ମୃଦୁ ହସି ବିଜୟଙ୍କୁ ହଲାଇ ଦେଇ କହିଲେ, ଆଜି କ’ଣ ଋଷି କୁମାରଙ୍କର ଯୋଗାସନ ଟଳିଗଲା କି ? ବିଜୟକୁମାର ନିର୍ବାକ, ନିସ୍ପଦ । ସେତେବେଳେ ତାଙ୍କର ଅନ୍ତରାତ୍ମା କେଉଁ ଏକ ସ୍ୱପ୍ନ ରାଜ୍ୟରେ ବିଚରଣ କରୁଥିଲା । ପ୍ରକାଶ ପୁଣି ଥରେ ହଲାଇ ଦେଇ କହିଲେ–ଆଜି ଏ କି ନୂଆ କଥା ? ଭଦ୍ରକନ୍ୟା ପ୍ରତି ଏ କି ଚାହାଣୀ ? ଛି, କିଏ କ’ଣ ମନେ କରିବ !

 

ବିଜୟଙ୍କର ଚୈତନ୍ୟ ଫେରି ଆସିଲା ତାଙ୍କ ପାଟିରୁ ବାହାରି ପଡ଼ିଲା–‘‘ଆଶ୍ଚର୍ଯ୍ୟ ! ଅପୂର୍ବ !’’

 

କ’ଣ ଆଶ୍ଚର୍ଯ୍ୟ ବିଜୟବାବୁ ? ପ୍ରକାଶ ପଚାରିଲେ ।

 

ବିଜୟ କହିଲେ, ୟାଙ୍କୁ ଦେଖି ମୋର ଜଣେ ଆତ୍ମୀୟାର କଥା ମନେ ପଡ଼ିଲା । ଅବିକଳ ଏଇ ରୂପ ।

 

ଏମାନେ କଥାଭାଷା ହେଉଚନ୍ତି, ରାଜକୁମାରୀଙ୍କର ଜଣେ ଭୋଜପୁରୀ ଦରଓ୍ୟାନ ଆସି ବିଜୟଙ୍କୁ ଲକ୍ଷ୍ୟ କରି ବିନୀତ ସ୍ୱରରେ ତାଙ୍କର ପରିଚୟ ପଚାରିଲା ।

 

ବିଜୟ କହିଲେ ଆମର ପରିଚୟ ? ଆମେ ହେଉଚୁ ଏଠାରେ ଥିବା ଭାରତୀୟମାନଙ୍କର ସେବକ । ମୋ ନାଆଁ ବିଜୟକୁମାର ଦାସ । ମୋ ଘର ଓଡ଼ିଶାର ସମ୍ବଲପୁର ଜିଲ୍ଲାରେ । ଆଉ ଏ ବାବୁ ମୋର ସହଚର ଶ୍ରୀ ପ୍ରକାଶଚନ୍ଦ୍ର ରାୟ, ଘର ଓଡ଼ିଶାର ଗଞ୍ଜାମ ଜିଲାରେ-। ଏ କେଉଁଠାର ପ୍ରିନ୍‌ସେସ୍‌ ଦରଓ୍ୟାନ ।

 

ଦରଓ୍ୟାନ ଉତ୍ତର ଦେଲା–ଏ ହେଉଚନ୍ତି ବର୍ଦ୍ଧମାନର ପ୍ରିନ୍‌ସେସ୍‌ । ଦରଓ୍ୟାନ ଫେରିଗଲା ।

 

ସୁରମା ଓ ଦେବେନ୍ଦ୍ର ଦୁହିଙ୍କ ହୃଦୟରେ ହୋଇଥିଲା ସନ୍ଦେହର ସାମାନ୍ୟ ଛାୟାପାତ । କିନ୍ତୁ ଅବାଞ୍ଛିତ ସ୍ଥାନରେ ଛଦ୍ମବେଶର ପରଶର ଭିତରେ କେହି କାହାକୁ ଚିହ୍ନି ପାରିଲେନି !

 

ବିଜୟ କହିଲେ ଏଠାରେ ଅପେକ୍ଷା କରିବା, ସେ ଫେରିଲେ ଭାରତ କଲ୍ୟାଣ ସମିତି ବିଷୟରେ କଥାଭାଷା କରିବା । ଯଦି କିଛି ମୋଟା ଚାନ୍ଦା ମିଳେ ଅନେକ ପ୍ରୟୋଜନରେ ଆସିବ ।

 

ପ୍ରକାଶ କହିଲେ ଏଠାରେ କିଛି ନ କହି ତାଙ୍କ ଘରକୁ ଗଲେ ଭଲ ହୁଅନ୍ତାନି ?

 

ସେଇଟା ସଙ୍ଗତ ହେବ–ବିଜୟ କହିଲେ । ତେବେ ତାଙ୍କ ଠିକଣା ?

 

ଠିକଣା ମୁଁ ବୁଝି ଆସୁଚି । ଏତିକି କହି ପ୍ରକାଶ ଚାଲିଗଲେ । ଅଳ୍ପ ସମୟ ପରେ ଫେରିଆସି ପ୍ରକାଶ କହିଲେ, ମୁଁ ତାଙ୍କର ବର୍ତ୍ତମାନ ଠିକଣା ବୁଝି ଆସିଲି । ଆଜି ସନ୍ଧ୍ୟାକୁ ଯିବା । ଦୁହେଁ ଚାଲିଗଲେ ।

 

(ଷୋହଳ)

 

ସେଦିନ ସନ୍ଧ୍ୟାବେଳେ ବିଜୟକୁମାର ଓ ପ୍ରକାଶ ପହଞ୍ଚିଲେ ରାଜକୁମାରୀ ଉଜ୍ୱଳାଦେବୀଙ୍କ ଆବାସ ସ୍ଥଳରେ । ଦରଓ୍ୟାନ ହାତରେ ତାଙ୍କର ନାମ ଲେଖା କାର୍ଡ଼ ପଠାଇ ଦେଇ ଦୁହେଁ ଅପେକ୍ଷା କଲେ । ସାଙ୍ଗେ ସାଙ୍ଗେ ଦରଓ୍ୟାନ ଫେରି ଆସି ଦୁହିଙ୍କୁ ରାଜକୁମାରୀଙ୍କ ବୈଠକଖାନାକୁ ଡାକି ନେଇଗଲା ।

 

ଦୁହେଁ ବସିଲେ । ଦେଖିଲେ ମାର୍ଜିତ ଋଚିରେ ବୈଠକଖାନାଟି ସଜ୍ଜିତ । ସାମୟିକ ବାସସ୍ଥଳ ହେଲେ ସୁଦ୍ଧା କେତେ ଟଙ୍କାର ମାଲିକ ହେଲେ ଯେ ଲୋକ ଏତେଦୂର ସୌଖିନ ହୋଇପାରେ–ଏତେଦୂର ରୁଚିର ପରିଚୟ ଦେଇପାରେ–ଏଥିରେ ଦୁହେଁ ହେଲେ ବିସ୍ମିତ ।

 

ପ୍ରକାଶ କହିଲେ ଅବଶ୍ୟ ରାଜକୁମାରୀଙ୍କର ରୁଚି ଅଛି, ସ୍ୱୀକାର କରିବାକୁ ହେବ ।

 

ବିଜୟ ମୁଦୁ ହସି କହିଲେ–ଓଡ଼ିଶାର ଯେ କୌଣସି ବଡ଼ କରଦ ରାଜ୍ୟର ଆୟ ସହିତ ବର୍ଦ୍ଧମାନ ରାଜ୍ୟର ଆୟ ପ୍ରାୟ ସମାନ ।

 

ବର୍ଦ୍ଧମାନ ରାଜକୁମାରୀଙ୍କର ଋଚି କଥା କ’ଣ କହୁଚୁ ପ୍ରକାଶ !

 

ସେତିକିବେଳେ ଆସିଲେ ଅପରୂପ ରୁପବତୀ ରାଜକୁମାରୀ । ମୁଖ ଗାମ୍ଭୀର୍ଯ୍ୟପୂର୍ଣ୍ଣ, ଭାବ ସୌଜନ୍ୟଭରା । ବିଜୟ ଓ ପ୍ରକାଶ ଦୁହେଁ ଆସନ ତ୍ୟାଗ କରି ରାଜକୁମାରୀଙ୍କୁ ଅଭିବାଦନ ଜଣାଇଲେ ।

 

ରାଜକୁମାରୀ ମୃଦୁ ହସି କହିଲେ, ବସନ୍ତୁ ଆପଣମାନେ !

 

ଏକସଙ୍ଗରେ ସମସ୍ତେ ଆସନ ଗ୍ରହଣ କଲେ । ରାଜକୁମାରୀ କହିଲେ ‘‘ସ୍ୱର ଅସ୍ୱାଭାବିକ’ ମୁଁ ଶୁଣି ଖୁସି ହେଲି, ଆପଣମାନେ ଏଠାରେ ଭାରତୀୟମାନଙ୍କ ପାଇଁ କାମ କରିଚନ୍ତି-। ଅବଶ୍ୟ ଆପଣମାନଙ୍କର ଉଦ୍ୟମ ପ୍ରଶଂସନୀୟ ! ମୁଁ ମଧ୍ୟ ଶୁଣିଲି, ଏପରି ଆନ୍ଦୋଳନ କରା ନ ହୋଇଥିଲେ ଭାରତୀୟମାନଙ୍କୁ ନିର୍ଭୟରେ ଏଠାରୁ ତଡ଼ି ଦିଆ ଯାଇଥାନ୍ତା ! ତେଣୁ ଆପଣମାନଙ୍କ କାମ ଯେ ଅତି ଉପାଦେୟ ଏକଥା ଯେ କେହି ସ୍ୱୀକାର କରିବେ ।

 

ପ୍ରକାଶ କହିଲେ–ଆପଣମାନଙ୍କର ନେତା ବିଜୟକୁମାର ଏଥିପାଇଁ ସଂପୂର୍ଣ୍ଣ ଦାୟୀ । କବେଳ ତାଙ୍କରି ସକାଶେ ଆଜି ଏ ଅନୁଷ୍ଠାନ ଏତେଦୂର ମୁଣ୍ଡ ଟେକି ପାରିଚି ।

 

ବିଜୟ ଆହତ ସ୍ୱରରେ ବାଧାଦେଇ କହିଲେ ତମେମାନେ ସାହଯ୍ୟ ନ କରି ଥିଲେ ମୁଁ ବା ଏକା କ’ଣ କରି ପାରିଥା’ନ୍ତି ପ୍ରକାଶ ?

 

ବିଜୟଙ୍କର ସ୍ୱର ଶୁଣି କେଜାଣି କାହିଁକି ଉଜ୍ୱଳାଦେବୀଙ୍କର ଭାବାନ୍ତର ପରିଲକ୍ଷିତ ହେଲା । ଉଜ୍ଜ୍ୱଳାଦେବୀ ପଚାରିଲେ ଆପଣ ଏଠାରେ କେବେଠୁଁ ରହିଲେଣି ବିଜୟବାବୁ ! ଏ ପ୍ରଶ୍ନରେ ବିଜୟ ବଡ଼ ବିସ୍ମିତ ହେଲେ । କଥାଟାକୁ ଏଡ଼ିଦେବାକୁ ଯାଇ ହସି ହସି କହିଲେ, ମୁଁ ଏକ ପ୍ରକାର ଏଠାକାର ବାସିନ୍ଦା ହୋଇଗଲିଣି ।

 

ଉଜ୍ୱଳାଦେବୀ ଅନ୍ୟମନସ୍କ ସ୍ୱରରେ କହିଲେ, ହୁଁ ।

 

ସେତିକିବେଳେ ଗୋଟିଏ ବାଳିକା ଗୋଟିଏ ଚାଙ୍ଗୁଡ଼ିରେ ଫୁଲଗୁଡ଼ିଏ ଆଣି ଆସିଲା । ଉଜ୍ୱଳାଦେବୀ ଫୁଲ ଦେଖୁ ଦେଖୁ କହିଲେ–ଏ ଦେଶର ଲୋକ ଖୁବ୍‌ ଫୁଲ ସଉକି । କିନ୍ତୁ ସେତେ ଭଲ ଫୁଲ ଏଠାରେ ମିଳେନି । ବିଜୟଙ୍କୁ ଦେଖାଇ ରାଜକୁମାରୀ କହିଲେ, ଏ ଯେଉଁ ଫୁଲ କାଗଜ ପରି ଦେଖା ଯାଉଚି, ଏହାର ଗନ୍ଧ ନାହିଁ, ରୂପ ନାହିଁ । କିନ୍ତୁ ଏହା ଛମାସ ରଖିଦେଲେ, ଏହିପରି ରହିଥିବ । ଅନ୍ୟ ଏକ ଜାତିର ଫୁଲ ଦେଖାଇ କହିଲେ, ଏଥିରେ ଗନ୍ଧ ଅଛି, କିନ୍ତୁ ଏହା ଅଳ୍ପ କ୍ଷଣସ୍ଥାୟୀ । ଏଠାରେ ମିଳେ ବେଶି ବଡ଼ ଫୁଲ । ଫୁଲବାଲିକି ଲକ୍ଷ୍ୟ କରି ରାଜକୁମାରୀ କହିଲେ–ମୁଁ ଏଠାରେ ଆଉ ଆଠ-ଦଶଦିନ ରହିବି, ତୁ ପ୍ରତିଦିନ ଆଣି ଫୁଲ ଦେଇ ଯାଉଥିବୁ । ଫୁଲବାଲି ସମ୍ମତି ଜଣାଇ ଚାଲିଗଲା ।

 

ବିଜୟକୁମାର ତଥା ଦେବେନ୍ଦ୍ରଙ୍କର ମନେ ପଡ଼ିଲା ସୁରମାଙ୍କ କଥା । ତାଙ୍କର ମନେ ହେଲା ଏକ ପ୍ରକାର, ଏକ ରୂପର କ’ଣ ଦୁଇଟି ଲୋକ ଜଗତରେ ସମ୍ଭବ ? ତାଙ୍କର ମନେ ପଡ଼ିଲା ସୁରମା ଖୁବ୍‌ ଫୁଲ ସଉକିନି !

 

ତା ପରେ ସମସ୍ତେ ନୀରବ । ନୀରବତାରେ କିଛି ସମୟ କଟିଗଲା । ରାଜକୁମାରୀ କହିଲେ ଆପଣମାନେ ମୋଠାରୁ କିପରି ସାହାଯ୍ୟ ଆଶା କରନ୍ତି ? ଅବଶ୍ୟ ଆପଣମାନେ ଜାଣିଥିବେ ମୁଁ ଦେଶ ଭ୍ରମଣରେ ଆସିଛି, ଆପଣମାନଙ୍କର ଏ ଅନୁଷ୍ଠାନ ବିଷୟ ମୋର ମୋଟେ ମନେ ନାହିଁ । ପୂର୍ବରୁ ଏ ବିଷୟ ଜାଣିଥିଲେ ମୁଁ ଅବଶ୍ୟ ଆପଣମାନଙ୍କ ଅନୁଷ୍ଠାନକୁ କିଛି ଦେଇ ପାରିଥାନ୍ତି । ବର୍ତ୍ତମାନ ଆପଣମାନେ ମୋଠାରୁ ଯାହା ପାଇବେ ମୁଁ ସେଥିପାଇଁ ବଡ଼ ଲଜ୍ଜିତ ବିଜୟବାବୁ !

 

ରାଜକୁମାରୀଙ୍କ ନିର୍ଦ୍ଦେଶ ଅନୁସାରେ ପୂଝାରି ଆଣି ଚା ଓ ଜଳଖିଆ ଦେଇଗଲା । ରାଜକୁମାରୀଙ୍କ ଅନୁରୋଧରେ ବିଜୟ ଓ ପ୍ରକାଶ ଯାଇ ଖାଦ୍ୟ ଟେବୁଲ ପାଖରେ ବସିଲେ ।

 

ରାଜକୁମାରୀ ସେମାନଙ୍କ ପାଖରେ ବସି ଏଇଟା ଖା’ନ୍ତୁ ସେଇଟା ଖା’ନ୍ତୁ କହି ସେମାନଙ୍କୁ ବ୍ୟସ୍ତ କରି ପକାଇଲେ । ବିଜୟ ଆଶ୍ଚର୍ଯ୍ୟ ହେଲେ, ରାଜକୁମାରୀଙ୍କର ପ୍ରତ୍ୟେକ ହାବଭାବ, ପ୍ରତ୍ୟେକ ବ୍ୟବହାର ଅବିକଳ ସୁରମା ପରି ! ବିଜୟ ଯେ ପାମ୍ପଡ଼ ଭଜାକୁ ଭଲ ପାଆନ୍ତି ଏହା ସତେ ଯେପରି ରାଜକୁମାରୀ ଜାଣି ପାରିଥିଲେ ।

 

ବିଜୟଙ୍କର ମନେ ହେଲା, ଘର ଛାଡ଼ିବା ଦିନୁ ଏପରି ସ୍ନେହ, ଆଦର, ଏପରି ରାଜଭୋଗତୁଲ୍ୟ ଖାଦ୍ୟ ସହିତ ପରିଚୟ ହୋଇ ନ ଥିଲା । ଦୁହେଁ ଚା ଖାଇ ସାରି ରାଜକୁମାରୀଙ୍କ ପ୍ରଦତ୍ତ ଦୁଇଖଣ୍ଡି ଦାମି ସିଗାରେଟରେ ଅଗ୍ନି ସଂଯୋଗ କଲେ ।

 

ରାଜକୁମାରୀ ମୃଦୁ ହସି କହିଲେ, ମୁଁ ବଡ଼ ଦୁଃଖିତ ବିଜୟବାବୁ । ଆପଣମାନଙ୍କ ଅନୁଷ୍ଠାନକୁ କିଛି ଦେଇ ପାରିଲି ନାହିଁ । ପାଖରେ ଥୁଆ ହୋଇଥିବା ଲେଦର ବ୍ୟାଗ ଭିତରୁ ହଜାର ଟଙ୍କାର ଦଶଟଙ୍କିଆ ନୋଟ ତାଡ଼ାଟିଏ ବାହାର କରି ରାଜକୁମାରୀ ବଢ଼ାଇ ଦେଲେ ବିଜୟଙ୍କ ହାତକୁ ।

 

ଆପ୍ୟାୟିତ ହୋଇ ବିଜୟ କହିଲେ ଧନ୍ୟବାଦ ! ଅସଂଖ୍ୟ ଧନ୍ୟବାଦ ରାଜକୁମାରୀ ! ଆପଣ ଭ୍ରମଣରେ ଆସି ଆମମାନଙ୍କୁ ଏଇ ଯେ ସାହାଯ୍ୟ ଦେଇଗଲେ, ତା’ ଅବଶ୍ୟ ଅନୁଷ୍ଠାନର ବହୁ ପ୍ରୟୋଜନରେ ଆସିବ । ଏଥିପାଇଁ ଅନୁଷ୍ଠାନ ତରଫରୁ ମୁଁ ଆପଣଙ୍କୁ ସମ୍ବର୍ଦ୍ଧନା ଜଣାଉଅଛି । ଆଜି ଆପଣ ଆମମାନଙ୍କୁ ଯେଉଁ ସୌଜନ୍ୟର ପରିଚୟ ଦେଲେ, ତା ପ୍ରତ୍ୟେକ ଲୋକର ଅନୁକରଣ କରିବାର ଯୋଗ୍ୟ ।

 

ବିଜୟକୁମାରଙ୍କର ଏହି ସ୍ତୋକବାକ୍ୟରେ ରାଜକୁମାରୀ ମୁଗ୍‌ଧ ହୋଇଗଲେ । ସେତେବେଳେ ନ’ଟା ବାଜିଲା । ବିଜୟକୁମାର କହିଲେ ‘ବିନୀତ ସ୍ୱରରେ’ ଆମେମାନେ ଆଉ ଆପଣଙ୍କର ସମୟ ଅପବ୍ୟୟ କରିବୁନି !

 

‘‘ଅପବ୍ୟୟ’’ ରାଜକୁମାରୀ ହସିଲେ । ସତ କହୁଚି, ଆପଣମାନଙ୍କ ସଂପର୍କରେ ଆସି ମୋତେ ଖୁବ୍‌ ଭଲ ଲାଗୁଚି । ସୁବିଧା ହେଲେ ଆଉ କେବେ ଟିକେ ବୁଲି ଆସିବେ ।

 

ବିଜୟ ଓ ପ୍ରକାଶ ସମ୍ମତି ଜଣାଇ ବାହାରି ଗଲେ ।

 

(ସତର)

 

ରାଜକୁମାରୀ ଡାଲହାଉସୀ ଷ୍ଟ୍ରିଟ୍‌ ଫ୍ରେସାର ଷ୍ଟ୍ରିଟ୍‌, ମଣ୍ଟଗୋମାରୀ ଷ୍ଟ୍ରିଟ୍‌ ପ୍ୟାଗୋଡ଼ା ରୋଡ଼, ମ୍ୟାଟେଣ୍ଟ ଷ୍ଟ୍ରିଟ୍‌, ପ୍ରଭୃତି ଭ୍ରମଣ କରି ପହଞ୍ଚିଲେ ଇରାବତୀ ନଦୀତୀରରେ । ଇରାବତୀ କୂଳରେ ବସି ରାଜକୁମାରୀ ତଥା ସୁରମାଦେବୀ ଭାବୁଚନ୍ତି, ବିଜୟକୁମାରଙ୍କର ରୂପ ଓ ଗୁଣ ସମ୍ପୂର୍ଣ୍ଣ ମିଳିଯାଇଚି ଦେବେନ୍ଦ୍ରଙ୍କ ସହିତ । ଏପରିକି ସ୍ୱର ପର୍ଯ୍ୟନ୍ତ । ଉଜ୍ୱଳା ଭାବୁଚନ୍ତି, ଭଗବାନ ଆଉ ମୋ ଭାଗ୍ୟରେ ସୁଖ ଲେଖି ନାହାନ୍ତି । ଯାହାଙ୍କୁ ଖୋଜିବାପାଇଁ ସାରା ଭାରତବର୍ଷ ଭ୍ରମଣ କରି ସାତ ସମୁଦ୍ର ପାରି ହୋଇ ଆସିଲି, ତଥାପି ତାଙ୍କର ଦେଖା ପାଇଲିନି । ତେବେ ଗଲେ କୁଆଡ଼େ ? ଅପମାନର ତୀବ୍ର ଯାତନା ସହି ନ ପାରି ସେ କ’ଣ ଆଉ–ସୁରମା ଆଉ କିଛି ଭାବି ପାରିଲେନି । କେଉଁ ଏକ ଗଭୀର ବେଦନାରେ ତାଙ୍କ ପ୍ରାଣ କାନ୍ଦି ଉଠିଲା । ସେ ଉନ୍ମାଦିନୀ ପରି ପଥର ବେଞ୍ଚ ଉପରେ ଢଳି ପଡ଼ିଲେ । ସେ କହିଲେ, ହେ ଭଗବାନ ! ହେ ଆରତତ୍ରାଣ । ମୋତେ କିଏ କହିଦେବ ସେ କେଉଁଠାରେ ଅଛନ୍ତି ? ତାଙ୍କ ମନରେ ପ୍ରଶ୍ନ ଉଠିଲା, ସତେ ସେ କ’ଣ ଆଉ ନାହାନ୍ତି-? ତେବେ ମୋର ଗତି କ’ଣ ହେବ ?

 

ସନ୍ଧ୍ୟା ହୋଇଗଲା । ଅନ୍ୟମନସ୍କ ଭାବରେ ସୁରମା ଆସି ମଟରରେ ବସିଲେ । ଡ୍ରାଇଭର ମଟର ଚଳାଇ ଦେଲା । ମଟରଟି ଚାଲିଲା ଅତି ଦ୍ରୁତ ବେଗରେ । ବଡ଼ ରାସ୍ତାର ଛକ ଉପରେ, ଅତି ଆକସ୍ମିକ ଭାବରେ ଗୋଟିଏ ସାଇକେଲ ସହିତ ମଟରର ଧକ୍‍କା ବାଜିଲା । ରାଜକୁମାରୀଙ୍କ ଆଦେଶରେ ଡ୍ରାଇଭର ମଟର ବ୍ରେକ୍‌ କଲା । ରାଜକୁମାରୀ ଓ ଡ୍ରାଇଭର ଓହ୍ଲାଇ ପଡ଼ିଲେ । ସେମାନେ ଦେଖିଲେ ସାଇକେଲଟି ଭୀଷଣ ଭାବରେ ଆହତ । ସେତେବେଳେ ଅନ୍ଧାର ଘୋଟି ଆସିଲାଣି । ରାଜକୁମାରୀ ଆଦେଶ ଦେଲେ, ଡ୍ରାଇଭର ! ଦେଖିଲା ଆଘାତ କେତେଦୂର ଲାଗିଚି ।

 

ସାଙ୍ଘାତିକ ଆଘାତ । ଲୋକର ଚେତା ନାହିଁ । ଡ୍ରାଇଭରର ସ୍ୱରରେ ଭୟର ସ୍ୱର ଧ୍ୱନିତ ହେଲା ।

 

ରାଜକୁମାରୀ କହିଲେ ତମେ ତାକୁ ମଟରକୁ ଉଠାଇ ନିଅ । ଯେତେ ଶୀଘ୍ର ପାର ।

 

ଡ୍ରାଇଭର କ୍ଷୀପ୍ର ଗତିରେ ଆଘାତ ପ୍ରାପ୍ତ ଲୋକଟିକୁ ଆଣି ପଛପଟ ସିଟ୍‌ରେ ଶୁଆଇଦେଲା । ସାଇକେଲଟି ମଧ୍ୟ ମଟରରେ ପକାଇ ଦେଇ ମଟରଟି ଚଳାଇଦେଲା–ରାଜକୁମାରୀଙ୍କର ସାମୟିକ ବାସସ୍ଥାନ ଅଭିମୁଖରେ ।

 

ବସାରେ ପହଞ୍ଚି ରାଜକୁମାରୀଙ୍କ ଆଦେଶରେ ଆଘାତପ୍ରାପ୍ତ ଲୋକଟିକୁ ନେଇ ଅନ୍ଦର ମହଲର ଗୋଟିଏ କୋଠରୀରେ ଶୁଆଇଦେଲା ରାଜକୁମାରୀଙ୍କର ଜଣେ ଅନୁଚର । ରାଜକୁମାରୀ ସୁଇଚ୍‌ ଟିପି ଦେଲେ, ବିଦ୍ୟୁତ୍‌ ଆଲୋକରେ ଘରଟି ଆଲୋକି ଉଠିଲା ।

 

ରାଜକୁମାରୀ ଆଘାତପ୍ରାପ୍ତ ଲୋକଟିର ମୁହଁକୁ ଚାହିଁ ଥକା ହୋଇଗଲେ । ଦେଖିଲେ ସେ ତାଙ୍କର ପୂର୍ବ ପରିଚିତ, ଉଦାରମନା, ଜନନାୟକ ଶ୍ରୀଯୁକ୍ତ ବିଜୟକୁମାର । ଲୋକପ୍ରିୟ ବିଜୟକୁମାରଙ୍କର ଏ ଦୁରବସ୍ଥା ଦେଖି ରାଜକୁମାରୀ ବଡ଼ ବ୍ୟସ୍ତ ହେଲେ । ଦୁଃଖରେ ତାଙ୍କ ହୃଦୟ ଭରିଗଲା ।

 

ମୁମୂର୍ଷୁ ବିଜୟଙ୍କ ପାଖରେ ବସି, ତାଙ୍କ ଦେହ ଆଉଁସି ଦେଇ ରାଜକୁମାରୀ ପଚାରିଲେ ବିଜୟବାବୁ କିପରି ଲାଗୁଚି ? କିନ୍ତୁ ବିଜୟଙ୍କର ଚେତା ନାହିଁ । ରାଜକୁମାରୀ ଦେଖିଲେ ତାଙ୍କର କ୍ଷୀଣ ନିଶ୍ୱାସ କେବଳ ବହୁଚି । ମଟର ପଠାଇ ସାଙ୍ଗେ ସାଙ୍ଗେ ଡାକ୍ତର ଡାକି ଆଣିଲେ ।

 

ଡାକ୍ତର ଆସି ବିଜୟଙ୍କୁ ପରୀକ୍ଷା କରି କହିଲେ, ଅବସ୍ଥା ବଡ଼ ସଙ୍କଟଜନକ । ସେତେବେଳେ କେଜାଣି କାହିଁକି ରାଜକୁମାରୀଙ୍କ ହୃଦୟରେ ଏକ ବେଦନାର ବ୍ୟଥା ବହିଗଲା । ସେ କହିଲେ ତେବେ କ’ଣ କୌଣସି ଆଶା ନାହିଁ ?

 

ଡାକ୍ତର ନିରାଶ ସ୍ୱରରେ କହିଲେ–ଆଶା ଖୁବ୍‌ ଅଳ୍ପ । ଅବସ୍ଥା ଭଲ ନୁହେଁ । ତଥାପି ମୁଁ ମୋର ସାଧ୍ୟମତ ଚେଷ୍ଟା କରିବି ।

 

ଏ ଘଟଣା ସାଧାରଣରେ ପ୍ରକାଶ କରିବା ପାଇଁ ରାଜକୁମାରୀ ବାରଣ କରିଦେଲେ । ଡାକ୍ତରଙ୍କୁ ତାଙ୍କର ଫିସ୍‌ ଓ ଯଥେଷ୍ଟ ପୁରସ୍କାର ଦେଇ ରାଜକୁମାରୀ ଅନୁରୋଧ କଲେ, ଆପଣ ବରାବର ଏଇଠାରେ ରହି ରୋଗୀଙ୍କି ଦେଖନ୍ତୁ ।

 

ଡାକ୍ତର କହିଲେ, ମୁଁ ତ ଏଇ ନିକଟରେ ରହୁଚି, ତିନି ଘଣ୍ଟା ପରେ ପରେ ବରାବର ଆସି ଦେଖି ଯାଉଥିବି । ଆଘାତ ରୋଗୀର ‘ବ୍ରେନ’ଙ୍କୁ ଲାଗିଚି । ଆପଣ ଟିକେ ହୁସିୟାର ରହିବେ-। ଏହାଙ୍କୁ ବରାବର ଜଗିବାକୁ ହେବ । ବୋଧହୁଏ ଆଉ କିଛି ସମୟ ପରେ ତାଙ୍କର ପ୍ରଳାପ ଆରମ୍ଭ ହେବ ।

 

ସେଦିନ ରାଜକୁମାରୀ ଆହାର ନିଦା ବର୍ଜନ କରି ରୋଗୀ ପାଖରେ ଜଗି ବସିଲେ । ଚାକର ଓ ଚାକରାଣୀମାନଙ୍କୁ ଆଦେଶ ଦେଲେ ତମେମାନେ ଶୋଇପଡ଼ । ମୁଁ ଡାକିଲେ ଆସିବ ।

 

ଦାସ, ଦାସୀମାନେ ତାଙ୍କର ଆଦେଶ ପାଳନ କଲେ । ଠିକ୍‌ ଡାକ୍ତରଙ୍କ କହିବା ମୁତାବକ ବିଜୟଙ୍କର ପ୍ରଳାପ ଆରମ୍ଭ ହେଲା । ସେହି ପ୍ରଳାପ ଭିତରେ ବିଜୟ କେତେ ଯେ କ’ଣ ଗପି ଦେଇଗଲେ । ତାର ଠିକଣା ନାହିଁ ?

 

କିନ୍ତୁ ଇଏ କ’ଣ ? ରାଜକୁମାରୀ ଶୁଣି ଚମକି ପଡ଼ିଲେ । ସେ ନିଜର କାନକୁ ସୁଦ୍ଧା ସେତେବେଳେ ବିଶ୍ୱାସ କରି ପାରିଲେନି ।

 

ବିଜୟ ଅତି କ୍ଷୀଣ ସ୍ୱରରେ କହୁଛନ୍ତି ଏ କିଏ ସୁରମା ! ! ତମେ ଆସିଚ କାହିଁକି ? କାହିଁକି ତମେ ଆସିଚ ? ତମେ ପରା ମତେ ଅପମାନ ଦେଇ ଘରୁ ତଡ଼ିଦେଲ ! ପୁଣି କାହିଁକି ? ନା ନା, ମୁଁ ଆଉ ତମ ସାଙ୍ଗରେ ଯିବିନି । ସୁରମା ସୁରମା ! ଏତିକି ନିଷ୍ଠୁର ତମେ । ମୋ ସହିତ ଏପରି ନିଷ୍ଠୁର ବ୍ୟବହାର କରିବାକୁ ତମର ଟିକେ ସଙ୍କୋଚ ହେଲାନି ? ରମା, ରାଣୀ ମୋର । ମୁଁ ଯେ ତମକୁ କେତେ ଭଲପାଏ । ତମେ ସିନା ମୋତେ ତଡ଼ିଦେଲ । କିନ୍ତୁ ମୁଁ ତମ ପାଇଁ ପ୍ରାଣ ଦେଇ ପାରେ ।

 

ଏତିକି ଶୁଣି ସୁରମା ଚମକି ପଡ଼ିଲେ । ତାଙ୍କର ଲେମାଞ୍ଚିତ ହେଲା । ସେ ଭାବିଲେ ତେବେ ମୋର ଅନୁମାନ କ’ଣ ସତ ? ହେ ଭଗବାନ । ହେ ଦୀନବନ୍ଧୁ । ପୁଣି ସୁରମା ଶୁଣିଲେ, ଛଦ୍ମବେଶୀ ଦେବେନ୍ଦ୍ର କହୁଚନ୍ତି, ରମା ! ରାଣୀ ମୋର ଆସ । ମୋ ପାଖକୁ ଟିକେ ଆସ । ଓଃ ବଡ଼ କଷ୍ଟ !

 

ଅଶ୍ରୁମୁଖୀ ସୁରମା କମ୍ପିତ ପଦରେ ଦେବେନ୍ଦ୍ରଙ୍କ ପାଖରେ ଯାଇ ବସିଲେ, ଅତି କୋମଳ ସ୍ୱରରେ କହିଲେ–ମୁଁ ପରା ଏଇଠି ଅଛି ତମ ପାଖରେ ।

 

ଦେବେନ୍ଦ୍ର ସେ କଥା ଶୁଣିଲେ ନାହିଁ । ପୁଣି କହିଲେ, ତମେ ଆସିଚ ସୁରମା ! ଜୀବନର ଦେବୀ ମୋର । ରାଜକୁମାରୀଙ୍କୁ ଡବା ଡବା ଆଖିରେ ଚାହିଁଲେ–ଏଁ ତମେ–କିଏ ତମେ ?

 

ସୁରମା କ୍ରନ୍ଦନଜଡ଼ିତ ସ୍ୱରରେ କହିଲେ–ମୁଁ ପରା ତମ ସୁରମା !

 

ଏଁ ସୁରମା ବିଶ୍ୱାସଘାତିନୀ ! ନା’ ନା ସୁରମା ମୋର–ପ୍ରାଣର ସୁରମା ମୋର ମୋତେ ଭୁଲ୍‌ ବୁଝିଚି । ସେ ଚକ୍ରାନ୍ତରେ ପଡ଼ି ମୋତେ ଭୁଲ ବୁଝିଚି–ମୋତେ ତଡ଼ି ଦେଇଚି । ଦେବେନ୍ଦ୍ରଙ୍କର ସ୍ୱର କ୍ଷଣରୁ କ୍ଷଣତର ହେଲା । ସେ ନିସ୍ପନ୍ଦ ଭାବରେ ପଡ଼ି ରହିଲେ ।

 

ସୁରମା ତାଙ୍କ ପାଟିରେ ଅଙ୍ଗୁର ରସ ଟିକେ ଦେଲେ, କିନ୍ତୁ ତାଙ୍କ ପାଟିରୁ ତାହା ଗଳି ପଡ଼ିଲା ।

 

ଡାକ୍ତର ଆସି ଦେଖିଲେ ଅବସ୍ଥା ଅତି ବିପଦଜନକ ।

 

ସୁରମାଦେବୀ ନିସ୍ପନ୍ଦ ଭାବରେ ବସି ରହିଥିଲେ । ଡାକ୍ତରଙ୍କୁ ପଚାରିଲେ କିପରି ଦେଖୁଚନ୍ତି ?

 

ଡାକ୍ତର ଶୁଷ୍କ କଣ୍ଠରେ ନୈରାଶ୍ୟମୟ ସ୍ୱରରେ କହିଲେ, ଅବସ୍ଥା ବେଳକୁ ବେଳ ଖରାପଆଡ଼କୁ ଗତି କରୁଚି ।

 

ସୁରମାଙ୍କର ସ୍ୱର କମ୍ପି ଉଠିଲା । ସେ ବହୁ କଷ୍ଟରେ ଆତ୍ମଗୋପନ କରି ଡାକ୍ତରଙ୍କୁ ଉଦ୍ଦେଶ୍ୟ କରି ପଚାରିଲେ, କିପରି ଆଶା ଦେଖୁଚନ୍ତି ?

 

ହତାଶାର ସ୍ୱରରେ ଡାକ୍ତର କହିଲେ–ଆଶା ଖୁବ୍‌ କମ ? ଆପଣ ‘ସିଭିଲ୍‌ ସର୍ଜନ’କୁ ଡାକନ୍ତୁ ।

 

(ଅଠର)

 

ତହିଁ ଆରଦିନ ସକାଳେ ବହୁ ଅନୁସନ୍ଧାନ ପରେ ଦେବେନ୍ଦ୍ରଙ୍କର ଅନ୍ତରଙ୍ଗ ସହଚର ପ୍ରକାଶ ଆସି ରାଜକୁମାରୀଙ୍କ ବାସଭବନରେ ପହଞ୍ଚିଲେ । ସୁରମାଦେବୀ ସମସ୍ତ ଘଟଣା ପ୍ରକାଶଙ୍କ ଆଗରେ ପ୍ରକାଶ କରି ତାଙ୍କୁ ନେଇ ଦେବେନ୍ଦ୍ର ଥିବା କକ୍ଷରେ ପହଞ୍ଚିଲେ । ପ୍ରକାଶ ଦେଖିଲେ, ବିଜୟକୁମାର ନିର୍ଜୀବ ଜଡ଼ ପିଣ୍ଡ ପରି ପଡ଼ି ରହିଚନ୍ତି । ତାଙ୍କର ଚୈତନ୍ୟ ନାହିଁ । ପ୍ରକାଶ ଡାକିଲେ ବିଜୟବାବୁ । କିଛି ଉତ୍ତର ପାଇଲେନି କିନ୍ତୁ ।

 

ସୁରମା ଅତି ବିନୀତ ସ୍ୱରରେ କହିଲେ–ପ୍ରକାଶବାବୁ ! ଆପଣ ଅନୁଗ୍ରହ କରି ତାଙ୍କ ସହିତ କଥାଭାଷା କରନ୍ତୁନି, ଡାକ୍ତରଙ୍କର ବାରଣ ଅଛି ।

 

ତାଙ୍କର ଶ୍ରଦ୍ଧେୟ ନେତା, ପରୋପକାରୀ, ଦେଶସେବୀ ବିଜୟଙ୍କର ଏପରି ଶୋଚନୀୟ ଅବସ୍ଥା ଦେଖି ପ୍ରକାଶଙ୍କ ଆଖିରୁ ଲୋତକ ଝରି ପଡ଼ିଲା ।

 

ସୁରମା ମୁହଁ ବୁଲାଇ ଲୁହ ପୋଛିଦେଇ, ମନୋଭାବ ଗୋପନ କରି କହିଲେ–ଆପଣ ବ୍ୟସ୍ତ ହୁଅନ୍ତୁନି ପ୍ରକାଶବାବୁ ! ମୁଁ Civil surgeonଙ୍କୁ ଡକାଇଚି । ୟାଙ୍କ ସକାଶେ ଯାହା କରିବାକୁ ହେବ ମୁଁ କରିବି । ଆପଣ ଧୈର୍ଯ୍ୟ ଧରନ୍ତୁ ।

 

କିଛିକ୍ଷଣ ପରେ ରେଙ୍ଗୁନର ସିଭିଲି ସର୍ଜନ ଡକ୍ଟର ଜନ୍‌ ଆସି ଦେଖିଲେ ।

 

ସୁରମା ପଚାରିଲେ–ଅବସ୍ଥା କିପରି ଡକ୍ଟର ଜନ୍‌ ?

 

ଆଶା ଖୁବ୍‌ କମ । ତଥାପି ଚେଷ୍ଟାକରି ଦେଖିବା । ମୁଁ ଦେଖୁଚି ଏହାଙ୍କର ପୂର୍ବରୁ ମାନସିକ ଦୁର୍ବଳତା ଥିଲା ।

 

ମାନସିକ ଦୁର୍ବଳତା ନାଇଁ ତ ! ବିସ୍ମିତ ସ୍ୱରରେ ସୁରମା କହିଲେ ।

 

ଦୃଢ଼ ସ୍ୱରରେ ଡାକ୍ତର କହିଲେ–ନିଶ୍ଚୟ ଥିଲା । ଯଦିବା ସେପରି ଭୟଙ୍କର ନୁହେଁ, ତଥାପି ପ୍ରାୟ ଅଠର ମାସ ହେବ କୌଣସି ଏକ ଭୀଷଣ ଆଘାତ ଲାଗି ଏହା ଆରମ୍ଭ ହୋଇଚି । ଆମର ଡାକ୍ତରୀ ବିଦ୍ୟାରେ ମୁଁ ଯାହା ପ୍ରମାଣ ପାଇଲି, ମୋର ଅନୁମାନ କୌଣସି ଏକ ଅପ୍ରୀତିକର ଘଟଣା ୟାଙ୍କର ଭିତରେ ଭିତରେ କୁହୁଳୁ ଥିଲା ଓ ୟାଙ୍କର ଜୀବନୀ ଶକ୍ତିକୁ ତିଳ ତିଳ କରି କାଟୁଥିଲା । ଏପରି ଆକସ୍ମିକ ଆଘାତ ପାଇ ଏ ବର୍ତ୍ତମାନ ଜୀବନ ମରଣର ସନ୍ଧିସ୍ଥଳରେ ପହଞ୍ଚିଛନ୍ତି-

 

ସୁରମା ବହୁ କଷ୍ଟରେ ହୃଦୟର ବ୍ୟଥାଙ୍କୁର ବେଦନା ଆଉ ଗୋପନ କରି ପାରିଲେନି । ତାଙ୍କର ରୁଦ୍ଧ ବେଦନା ଆଉ ବାଧା ମାନିଲାନି । ତାଙ୍କର ସଞ୍ଚିତ ଲୋତକଉତ୍ସ ଝରି ପଡ଼ିଲା । ଏକ ଅମାନୁଷିକ ଶକ୍ତି ବଳରେ ସୁରମା ଆତ୍ମସଂଯମ କରି ମୁହଁ ବୁଲାଇ ଲୁହ ପୋଛିଦେଲେ ଏବଂ ଡାକ୍ତରଙ୍କ ହାତ ଧରି ପକାଇ କରୁଣ ସ୍ୱରରେ କହିଲେ–ଆପଣ ଚେଷ୍ଟା କରନ୍ତୁ । ୟା’ଙ୍କୁ ବଞ୍ଚାଇବା ପାଇଁ ଯେ କୌଣସି ଅର୍ଥବ୍ୟୟ ସକାଶେ ମୁଁ ପ୍ରସ୍ତୁତ ଅଛି ଡାଃ ଜନ୍‌ !

 

ଦୁଃଖିତ ସ୍ୱରରେ ଡାଃ ଜନ କହିଲେ–ବହୁଦିନର ଦୁଶ୍ଚିନ୍ତାରେ ଏହାଙ୍କର ରକ୍ତ ଶୁଖି ଯାଇଥିଲା ଏବଂ ଯାହା ଥିଲା, ଦୁର୍ଘଟଣା ଫଳରେ ସେସବୁ କ୍ଷୟ ହୋଇଯାଇଚି । ବର୍ତ୍ତମାନ ୟା’ଙ୍କର ରକ୍ତ ମୋଟେ ନାହିଁ । ୟା’ଙ୍କର ଧମନୀ ଶୁଷ୍କ ହୋଇ ଯାଇଚି । ରକ୍ତ ନ ହେଲେ ଏ ଭଦ୍ରଲୋକ ଜୀବନ ପାଇବା ସମ୍ଭବ ନୁହେଁ ।

 

ତେବେ ଏପରି ଔଷଧ ପ୍ରୟୋଗ କରନ୍ତୁ, ଯଦ୍ୱାରା ଶୀଘ୍ର ରକ୍ତ ହୋଇଯିବ ।

 

ମ୍ଳାନହସ ହସି ଡାଃ ଜନ୍‌ କହିଲେ–ଏପରି ରୋଗୀର କୌଣସିପ୍ରକାର ଔଷଧର ସାହାଯ୍ୟରେ ରକ୍ତ ଆସିବା ଆଶାର କଥା ନୁହେଁ–ପ୍ରିନ୍‌ସେସ୍ ।

 

ଅଧୀର ଗଳାରେ ସୁରମା କହିଲେ–ତେବେ, ତେବେ କ’ଣ କରାଯିବ ? ଯେକୌଣସି ପ୍ରକାର ବ୍ୟୟ ପାଇଁ ମୁଁ ପ୍ରସ୍ତୁତ ଡାଃ ଜନ୍ ?

 

ଡାଃ ଜନ୍‌ କହିଲେ–ଆପଣ ସିନା ଅର୍ଥ ବ୍ୟୟ କରିବେ । କିନ୍ତୁ ରକ୍ତ ନହେଲେ କୌଣସିମତେ ୟାଙ୍କର ପ୍ରାଣ ରହିବନି ! ୟାଙ୍କ ପାଇଁ ରକ୍ତ କିଏ ଦେବ ପ୍ରିନ୍‌ସେସ୍ ?

 

ସେତେବେଳେ ସେ ଘରେ ଡାକ୍ତରସାହେବ ଓ ସୁରମାଙ୍କୁ ଛାଡ଼ିଦେଲେ ସୁରମାଙ୍କର ଅନ୍ୟାନ୍ୟ ଦାସ-ଦାସୀ ଏବଂ ପ୍ରକାଶ ମଧ୍ୟ ଉପସ୍ଥିତ ଥିଲେ । ଡାକ୍ତରଙ୍କର ଏହି ଗୋଟିଏ ପ୍ରଶ୍ନରେ ସେ କକ୍ଷସାରା ଖେଳିଗଲା ଏକ ନୀରବ ଗୁଞ୍ଜରଣ । କାହାରି ମୁହଁରୁ କଥା ବାହାରିଲାନି ।

 

ସୁରମା କହିଲେ–ଏଇତ ! ତାଙ୍କର କେତେ ରକ୍ତ ଆବଶ୍ୟକ, ଆପଣ ମୋ ଦେହରୁ ନିଅନ୍ତୁ । ଏତିକି କହି ସୁରମା ଦେବୀ ଡାକ୍ତରଙ୍କ ଆଡ଼କୁ ହାତ ବଢ଼ାଇ ଦେଲେ । ନିଅନ୍ତୁ, ମୁଁ ପ୍ରସ୍ତୁତ ଅଛି ।

 

ଡାଃ ଜନ୍‌ ପ୍ରବୀଣ ଚିକିତ୍ସକ ! ତାଙ୍କ ଜୀବନ ଭିତରେ ସେ ଏହିପରି ଅସଂଖ୍ୟ ଘଟଣା ସହିତ ସୁପରିଚିତ । ଏ ଅନୁଭୂତି ଆଜି ତାଙ୍କୁ ସମ୍ପୂର୍ଣ୍ଣ ନୂଆ ପରି ଲାଗିଲା ।

 

ରାଜକୁମାରୀଙ୍କର ଏହି ଆନ୍ତରିକତାରେ, ଏହି ଦେବୋପମ ସୌଜନ୍ୟରେ ପ୍ରକାଶ ଯେତିକି ହେଲେ ମୁଗ୍‌ଧ–ତେତିକି ହେଲେ ବିସ୍ମିତ ! ତାଙ୍କର ମନେ ହେଲା ମାନବ ସମାଜ ଭିତରେ ଏପରି ଦେବୀର ସମ୍ଭବ ହେଲା କିପରି ?

 

ଡାଃ ଜନ୍‌ ଗମ୍ଭୀର ସ୍ୱରରେ ପଚାରିଲେ–ନିଜ ଦେହରୁ ରକ୍ତ ଦାନ କରିବା କେତେଦୂର ସାଙ୍ଘାତିକ ଆପଣ ବୁଝୁଛନ୍ତି ତ ପ୍ରିନ୍‌ସେସ୍ ?

 

ସବୁ ମୁଁ ବୁଝୁଚି ଡାଃ ଜନ୍ ! ଆଉ ହେଳା କରିବା ଉଚିତ ନୁହେଁ । ତାଙ୍କର କେତେ ରକ୍ତ ଦରକାର, ଆପଣ ଶୀଘ୍ର ଦୟାକରି ମୋଠାରୁ ନିଅନ୍ତୁ ଡାଃ ଜନ୍‌ ! ସୁରମା ଆବେଗଭରା ସ୍ୱରରେ କହିଲେ ।

 

ଡାଃ ଜନ୍‌ କୁଣ୍ଠିତ ସ୍ୱରରେ କହିଲେ–ରକ୍ତ ନେବାଦ୍ୱାରା ଯଦି ଆପଣଙ୍କ ପ୍ରାଣରେ ଆଘାତ ଆସେ, ତା’ପରେ ବିଷୟଟା କ’ଣ ହେବ, ଟିକିଏ ଭାବି ଚିନ୍ତି ମତ ଦିଅନ୍ତୁ ପ୍ରିନ୍‌ସେସ୍ ।

 

ଚଞ୍ଚଳ ସ୍ୱରରେ ସୁରମା କହିଲେ–ସବୁ ମୁଁ ବୁଝୁଚି । ସେସବୁ ପାଇଁ ମୁଁ ପୂରା ଦାୟୀ ! ଆପଣ ବଡ଼ ଭୁଲ କରୁଚନ୍ତି ଡାଃ ଜନ ! ରୋଗୀର ଅବସ୍ଥା ବେଳକୁ ବେଳ ଦୁର୍ବଳ ହୋଇ ଯାଉଚି । ତେଣୁ ମୋର ଅନୁରୋଧ, ଆପଣ ଆଉ କାଳ ବିଳମ୍ୱ ନ କରି ଶୀଘ୍ର ଆପଣଙ୍କର ଯନ୍ତ୍ର ବାହାର କରନ୍ତୁ ଡାଃ ଜନ !

 

କକ୍ଷସାରା ଏକ ବିସ୍ମୟର ବାୟୁ ଖେଳିଗଲା । ସୁରମାଙ୍କର କର୍ମଚାରୀ ଓ ଦାସ, ଦାସୀମାନେ ଆତଙ୍କିତ ସ୍ୱରରେ କହିଲେ, କାହିଁକି ଆପଣ ଏତେବଡ଼ ବିପଦ-ସ୍ରୋତରେ ଲମ୍ପ ଦେବାକୁ ଯାଉଚନ୍ତି । ଆପଣ ଧୀରସ୍ଥିର ଭାବରେ ବିଚାର କରି ଦେଖନ୍ତୁ ରାଜକୁମାରୀ ।

 

ରାଜକୁମାରୀଙ୍କ ଗୁଣରେ ମୁଗ୍‌ଧ ହୋଇ ପ୍ରକାଶ କହିଲେ, ଏହା ବାସ୍ତବିକ୍‌ ଚିନ୍ତାର ବିଷୟ ରାଜକୁମାରୀ । ଜଣକ ସକାଶେ ଅନ୍ୟ ଜଣେ ପ୍ରାଣଦେବା କେବେ ସମୀଚୀନ ନୁହେଁ । ତେଣୁ ସ୍ଥିର ହୃଦୟରେ ଏହାର ବିଚାର କରିବାପାଇଁ ମୋର ଅନୁରୋଧ ରାଜକୁମାରୀ ।

 

ଉତ୍କଣ୍ଠିତ ନୟନରେ ଥରେ ସମସ୍ତଙ୍କ ଆଡ଼େ ଦୃଷ୍ଟି ବୁଲାଇ ଆଣି ସୁରମା କହିଲେ–ମୁଁ’ ବଡ଼ ଦୁଃଖିତ, ଶିଷ୍ଟାଚାରର ଲଙ୍ଘନ କରିବା ହେତୁ ଆପଣମାନେ ମୋତେ କ୍ଷମା କରିବେ । ମୁଁ ଆଶା କରେ ବାରମ୍ୱାର ଏହି ପ୍ରଶ୍ନ ଉଠାଇ, ଜଣକର ପ୍ରାଣ ନଷ୍ଟ କରିବାକୁ ଆପଣମାନେ ବସିଚନ୍ତି । ମୋ ପାଇଁ ବେଶି ବ୍ୟଥା କରିବା ଆପଣମାନଙ୍କର ଉଚିତ ନୁହେଁ । ମୋର ଅନୁରୋଧ, ଆପଣମାନେ ଏଠାରୁ ଚାଲିଯାଆନ୍ତୁ ! ଡାଃ ଜନ୍‌ଙ୍କୁ ଅନାଇ ସୁରମା କହିଲେ ରୋଗୀ ବର୍ତ୍ତମାନ ଜୀବନ ମରଣର ସନ୍ଧିସ୍ଥଳରେ । ଆପଣଙ୍କ ପ୍ରସ୍ତାବମତେ ମୁଁ ରକ୍ତ ଦେବାକୁ ପ୍ରସ୍ତୁତ ଅଛି । ଏପରି ସ୍ଥଳେ ଆପଣ ଅଯଥା ପ୍ରଶ୍ନ ଉଠାଇ ମୂଲ୍ୟବାନ ସମୟର ଅପବ୍ୟୟ କରୁ ଅଛନ୍ତି । ଏହାଦ୍ୱାରା ଯଦି ରୋଗୀର କୌଣସି ବିପଦ ଘଟେ, ଆପଣ ଏଥିପାଇଁ ସମ୍ପୂର୍ଣ୍ଣ ଦାୟୀ ହେବେ । ଡାକ୍ତର ହିସାବରେ ଆପଣଙ୍କୁ କୌଣସିମତେ ମାର୍ଜନା କରାଯାଇ ପାରିବନି । ତେଣୁ ମୋର ଅନୁରୋଧ, ବର୍ତ୍ତମାନ ବେଳ ଅଛି ଶୀଘ୍ର ମୋଠାରୁ ରକ୍ତ ନିଅନ୍ତୁ । ଏଥିରେ ଆଉ କୌଣସି ପ୍ରଶ୍ନ ନାହିଁ । ନିଅନ୍ତୁ–ସୁରମା ଡାକ୍ତରଙ୍କ ଆଡ଼େ ହସ୍ତ ପ୍ରସାରଣ କରିଦେଲେ ।

 

ଡାକ୍ତର ଅଗତ୍ୟା ଯନ୍ତ୍ର ବାହାର କରି ସୁରମାଙ୍କଠାରୁ ପାଞ୍ଚ ଆଉନ୍‌ସ ରକ୍ତ ନେଲେ । ସଙ୍ଗେ ସଙ୍ଗେ ସୁରମାଙ୍କ ରୂପ ବଦଳିଗଲା । ତାଙ୍କର ଚମ୍ପାଫୁଲପରି ବର୍ଣ୍ଣ ପାଣ୍ଡୁର ଦେଖାଗଲା । ସେ ବଡ଼ ଦୁର୍ବଳ ଅନୁଭବ କଲେ । ସେ ଡାଃ ଜନ୍‍ଙ୍କୁ ଅନାଇ କହିଲେ; ଆପଣ ୟାଙ୍କର ଚିକିତ୍ସାଭାର ଗ୍ରହଣ କରନ୍ତୁ । ଯେତେ ଟଙ୍କା ଦରକାର ହେବ ଶରତ୍‌ବାବୁଙ୍କଠାରୁ ଗ୍ରହଣ କରିବେ । ପ୍ରକାଶଙ୍କୁ ଚାହିଁ କହିଲେ ପ୍ରକାଶବାବୁ ଆପଣ ଆପଣଙ୍କର ବନ୍ଧୁଙ୍କର ସେବାର ଭାର ଗ୍ରହଣ କରନ୍ତୁ । ଅବଶ୍ୟ ମୋର ଅନୁଚରମାନେ ଆପଣଙ୍କର ଆଦେଶ ପାଳନ କରିବେ । ସେଥିପାଇଁ ଆନନ୍ଦର ସହିତ ଆପଣ ସମ୍ମତି ଦେବେ ବୋଲି ମୋର ଆଶା ।

 

କୃତଜ୍ଞତା ଭଙ୍ଗୀରେ ପ୍ରକାଶବାବୁ ଉତ୍ତର ଦେଲେ–ସେଥିପାଇଁ ଆପଣ ବ୍ୟସ୍ତ ହେବେନି ରାଜକୁମାରୀ ।

 

ସୁରମାଦେବୀ କ୍ଷୀଣସ୍ୱରରେ ଦାସ; ଦାସୀଙ୍କ ପ୍ରତି ଆଦେଶ ଦେଲେ–ମୋ ସକାଶେ କେହି ବ୍ୟସ୍ତ ହେବନି । ସମସ୍ତେ ମନେ ରଖିବ, ଯେପରି ବିଜୟବାବୁଙ୍କର କିଛି ଅଯତ୍ନ ନ ହୁଏ । ଶରତ୍‌ରାୟଙ୍କୁ ଚାହିଁ କହିଲେ ଯେତେ ଟଙ୍କା ଖର୍ଚ୍ଚ ହେବ ଆପଣ ମୋର ବିନା ପରାମର୍ଶରେ କରିବେ ।

 

ଏତିକି କହିସାରି ଦୁଇଜଣ ଦାସୀଙ୍କ କାନ୍ଧରେ ଭାରା ଦେଇ ସୁରମା ଚାଲିଲେ ତାଙ୍କ ଶୟନକକ୍ଷ ଅଭିମୁଖରେ ।

 

(ଊଣେଇଶ)

 

ପ୍ରକାଶ ଓ ଶରତ୍‌ରାୟଙ୍କ ବନ୍ଦୋବସ୍ତ ଅନୁସାରେ ଡାଃ ଜନ୍‌ ଏ ଦୁଇଜଣ ସାଙ୍ଘାତିକ ରୋଗୀଙ୍କର ଚିକିତ୍ସାରେ ଲାଗିପଡ଼ିଲେ ।

 

ତାଜା ରକ୍ତର ପରଶରେ ଦେବେନ୍ଦ୍ର କିଶୋରଙ୍କର ମୁମୂର୍ଷୁ ପ୍ରାଣରେ ନବଜୀବନ ଖେଳିଗଲା । ଏହା ଦେବେନ୍ଦ୍ରଙ୍କ ଶରୀରରେ ବିଦ୍ୟୁତ ପରି କାର୍ଯ୍ୟକଲା । ଠିକ୍‍ ଛ’ଘଣ୍ଟା ପରେ ତାଙ୍କର ଅବସ୍ଥା ବଦଳିଗଲା । ଚୈତନ୍ୟ ଫେରି ଆସିଲା । ସେ ଆଖି ମେଲି ଚାହିଁଲେ, ଦେଖିଲେ ତାଙ୍କ ସମୁଖରେ ତାଙ୍କର ପ୍ରିୟ ସହଚର ପ୍ରକାଶ ଆସୀନ । କ୍ଷୀଣ ସ୍ୱରରେ ପଚାରିଲେ ଭାଇ ପ୍ରକାଶ ମୁଁ ବର୍ତ୍ତମାନ କେଉଁଠି ? କକ୍ଷସାରା ଆଖି ବୁଲାଇ କହିଲେ, ଏ ତ ଆମ ଆଶ୍ରମ ନୁହେଁ । ତେବେ ଏ କେଉଁ ଜାଗା ? ମୁଁ କେବଳ ଏତିକି ଜାଣେ, ମୋର ଗୋଟିଏ ମଟର ସହିତ ଧକ୍‍କା ହୋଇଥିଲା । ତାପରେ କ’ଣ ହେଲା ମୁଁ କିଛି ଜାଣେନା ।

 

ପ୍ରକାଶ କହିଲେ–ଆପଣ ଆଉ କିଛି ସମୟ ବିଶ୍ରାମ ନିଅନ୍ତୁ । ପରେ ମୁଁ ସବୁ କହିବି । ବେଶୀ କଥାଭାଷା କରିବାପାଇଁ ଡାକ୍ତରଙ୍କର ମନା ଅଛି । କେବଳ ଏତିକି ମନେ ରଖନ୍ତୁ, ବର୍ତ୍ତମାନ ଆପଣ ରାଜକୁମାରୀ ଉଜ୍ଜ୍ୱଳା ଦେବୀଙ୍କର ଅତିଥି ।

 

ଦେବେନ୍ଦ୍ର ଆଶ୍ଚର୍ଯ୍ୟ ହୋଇଗଲେ । ମୁଁ ରାଜକୁମାରୀ ଉଜ୍ଜ୍ୱଳା ଦେବୀଙ୍କର ଅତିଥି । କାହିଁ ରାଜକୁମାରୀଙ୍କି ତ ଦେଖୁନି ।

 

ପରେ ଆପଣ ସବୁ ଜାଣିପାରିବେ । ଆପଣ ବର୍ତ୍ତମାନ ପୂର୍ଣ୍ଣ ବିଶ୍ରାମ ନିଅନ୍ତୁ । ମୁଁ ଟିକେ ବାହାରୁ ଆସେ ।

 

ପ୍ରକାଶ ଯାଇ ଦେଖିଲେ ରାଜକୁମାରୀ ଉଜ୍ଜ୍ୱଳା ଦେବୀଙ୍କର ଅବସ୍ଥା ଅତି ସଙ୍କଟଜନକ । ସେ ଅତି ଦୁର୍ବଳ । ଏହି ମହୀୟସୀ ନାରୀଙ୍କ ପ୍ରତି ଭକ୍ତିରେ ତାଙ୍କ ହୃଦୟ ଭରିଗଲା । ଶ୍ରଦ୍ଧା ଓ ଭକ୍ତିରେ ତାଙ୍କ ଶିର ସ୍ୱତ ନଇଁପଡ଼ିଲା । ସେ ପଚାରିଲେ ଦେବୀ । କିପରି ଲାଗୁଚି ?

 

କ୍ଷୀଣ ସ୍ୱରରେ ରାଜକୁମାରୀ ଉତ୍ତର ଦେଲେ, ମୋ ମୁଣ୍ଡ ଘୂରୁଚି, ଛାତି ଥରୁଚି, ଦେହ ଦୁର୍ବଳ । ତଥାପି ମୋର ଅନୁରୋଧ ମୋ ସକାଶେ ଆପଣ ବ୍ୟସ୍ତ ନ ହୋଇ, ଆପଣଙ୍କର ବନ୍ଧୁଙ୍କର ପରିଚର୍ଯ୍ୟା କରନ୍ତୁ । ବର୍ତ୍ତମାନ ତାଙ୍କର ଅବସ୍ଥା କିପରି ?

 

ପ୍ରକାଶ ବିନୀତସ୍ୱରରେ କହିଲେ–ଆପଣଙ୍କର ଅପୂର୍ବ ତ୍ୟାଗ ଫଳରେ ତାଙ୍କ ଅବସ୍ଥାରେ ଯଥେଷ୍ଟ ଉନ୍ନତି ହୋଇଚି । ମୋର ଯେତେଦୂର ଅନୁମାନ ସେ ଶୀଘ୍ର ଉଠି ପଡ଼ିବେ ।

 

ଏକ ଶାନ୍ତ ସ୍ନିଗ୍‌ଧ ହାସ୍ୟରେଖାରେ ରାଜକୁମାରୀଙ୍କର ମୁଖମଣ୍ଡଳ ରଞ୍ଜିତ ହୋଇଗଲା-। ସେ ତୃପ୍ତିର ନିଶ୍ୱାସ ନେଇ କହିଲେ ହେ ଭଗବାନ ! ହେ ଆର୍ତ୍ତତ୍ରାଣ !

 

ସେତେବେଳେ ପ୍ରକାଶଙ୍କର ମନେ ହେଲା, ବିଜୟକୁମାରଙ୍କ ପ୍ରତି ରାଜକୁମାରୀଙ୍କର କାହିଁକି ଏ ଅନୁକମ୍ପା ? ନିଜର ଜୀବନ ବିପନ୍ନ କରି ତାଙ୍କୁ ବଞ୍ଚାଇବା ପାଇଁ ରାଜକୁମାରୀଙ୍କର ଆକୁଳ ଚେଷ୍ଟା କାହିଁକି ? ପ୍ରକାଶ ବହୁତ ଚିନ୍ତା କଲେ, କିନ୍ତୁ କୌଣସି ସାଧନାରେ ପହଞ୍ଚି ପାରିଲେନି ।

 

(କୋଡ଼ିଏ)

 

ଡାଃ ଜନ୍‌ଙ୍କର ଚିକିତ୍ସା ବିଦ୍ୟାର କରାମତିରେ ଅତି ଅଳ୍ପ ସମୟ ମଧ୍ୟରେ ଦେବେନ୍ଦ୍ର କିଶୋରଙ୍କର ସ୍ୱାସ୍ଥ୍ୟ ଦ୍ରୁତ ବେଗରେ ଉନ୍ନତି ଲାଭ କଲା, ଆଉ ସୁରମା ମଧ୍ୟ ଆସ୍ତେ ଆସ୍ତେ ଭଲ ଆଡ଼କୁ ଆସିଲେ । ସବୁବେଳେ ଦେବେନ୍ଦ୍ର ପଚାରନ୍ତି ରାଜକୁମାରୀ କହାନ୍ତି ? ମୁଁ ତାଙ୍କୁ ଦେଖିବି । କିନ୍ତୁ ପ୍ରକାଶ ତାଙ୍କୁ ନାନା ପ୍ରକାର ଭୁଲାଇ ଦିଅନ୍ତି ।

 

ଦେବେନ୍ଦ୍ର ଓ ସୁରମାଙ୍କର ଚଳତ୍‌ଶକ୍ତି ଫେରି ଆସିଲା । ଡକ୍ଟର ଜନ୍‌ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରି ସେମାନଙ୍କ ଉପରୁ ସମସ୍ତ କଟକଣା ଉଠାଇ ଦେଲେ ।

 

ଦିନେ ସୁବିଧା ଦେଖି ପ୍ରକାଶ ମଟର ଦୁର୍ଘଟଣାଠାରୁ ଆରମ୍ଭ କରି ଏପର୍ଯ୍ୟନ୍ତ ଘଟିଥିବା ସମସ୍ତ କଥା ବିଜୟ ତଥା ଦେବେନ୍ଦ୍ରଙ୍କ ନିକଟରେ କହିଲେ । ଡାକ୍ତରଙ୍କ ବାରଣ ସତ୍ତ୍ୱେ ରାଜକୁମାରୀ ନିଜର ଜୀବନକୁ ବିପନ୍ନ କରି କିପରି ନିଜର ଦେହରୁ ରକ୍ତ ଦାନ କରି ବିଜୟଙ୍କୁ ବଞ୍ଚାଇଲେ; ଏକଥା ଶୁଣୁ ଶୁଣୁ ଏକ ପୁଲକ ବିସ୍ମୟରେ ଦେବେନ୍ଦ୍ର ଚକିତ ହୋଇଗଲେ । ସେତେବେଳେ ତାଙ୍କ ମନ ମନ୍ଦିରରେ ସନ୍ଦେହ ଉଙ୍କିମାରି ଉଠିଲା । କିନ୍ତୁ ଏହି ଅଭାବନୀୟ ପରିସ୍ଥିତି ଭିତରେ ସେ କୌଣସି ସମାଧନରେ ପହଞ୍ଚି ପାରିଲେନି । ତାଙ୍କର ମନେ ହେଲା, ତେବେ କଣ ତାଙ୍କ ରୂପ ଗୁଣ, ରାଜକୁମାରୀଙ୍କ କୁମାରୀ ଜୀବନରେ ପ୍ରେମର ଛାୟାପାତ କରିଛି ? ବର୍ଦ୍ଧମାନର ରାଜକୁମାରୀ ଇଚ୍ଛା କଲେ ମୋ ପରି ଶହ ଶହ ଯୁବକ ତାଙ୍କ ପାଦ ତଳେ ଆତ୍ମ ଉତ୍ସର୍ଗ କରିବେ । ତେବେ କାହିଁକି ?

 

ଦେବେନ୍ଦ୍ର ଆଉ କାଳବିଳମ୍ୱ ନ କରି ରାଜକୁମାରୀଙ୍କ ଶୟନ କକ୍ଷରେ ତାଙ୍କ ସହିତ ସାକ୍ଷାତ କଲେ । ସୁରମା ଦେବେନ୍ଦ୍ରଙ୍କୁ ଦେଖି ଆସନ ତ୍ୟାଗକରି ମୃଦୁ ମଧୁରସ୍ୱରରେ ଡାକିଲେ, ଆସନ୍ତୁ ବିଜୟବାବୁ ଭଗବାନଙ୍କର ଦୟା ଅସୀମ ।

 

କୃତଜ୍ଞ ସ୍ୱରରେ ଦେବେନ୍ଦ୍ର କହିଲେ–ଏଠାରେ ଭଗବାନଙ୍କର ଦୟା ନ କହି ଆପଣଙ୍କର ମୋ ପ୍ରତି ଅସୀମ ଦୟା କହିଲେ ଠିକ୍‍ ହେବ ରାଜକୁମାରୀ । ଆପଣ ତ୍ୟାଗର ଯେଉଁ ପରାକାଷ୍ଠା ଦେଖାଇଲେ ତା ଜଗତରେ ଦୁର୍ଲଭ ! ମୁଁ ଜାଣେ ଭଉଣୀ ଭାଇ ସକାଶେ, କନ୍ୟା ପିତା ସକାଶେ, ମାଆ ସନ୍ତାନ ସକାଶେ, ଏପରିକି ପତ୍ନୀ ମଧ୍ୟ ପତି ସକାଶେ ଏପରି ତ୍ୟାଗ ଦେଖାଇବା ଏକ ନୂତନ ଅନୁଭୂତି ।

 

ସୁରମା ଆହତ ସ୍ୱରରେ କହିଲେ, କ୍ଷମା କରିବେ ସେ ସବୁ ବିଶ୍ଳେଷଣ କରି ମୋତେ ଆଉ ଲଜ୍ୟା ଦେବେନି । ଏତିକି ମୋର ଅନୁରୋଧ । ମୁଁ ଜାଣେ, ମୁଁ କର୍ତ୍ତବ୍ୟରୁ ଅଧିକ କିଛି କରିନି-

 

କର୍ତ୍ତବ୍ୟ ! କୃତଜ୍ଞତାରେ ଦେବେନ୍ଦ୍ରଙ୍କ ହୃଦୟ ଭରିଗଲା । ଏହି ଅସାମାନ୍ୟ ନାରୀ ରାଜକୁମାରୀଙ୍କ ପ୍ରତି ଏକ ଗଭୀର ଅନୁକମ୍ପାରେ ତାଙ୍କ ପ୍ରାଣ ବିଭୋର ହୋଇଗଲା । ଶ୍ରଦ୍ଧା ଓ ଭକ୍ତିରେ ତାଙ୍କ ମୁଣ୍ଡ ନଇଁଗଲା । ସେ ଭାବିଲେ ଯେଉଁ ନାରୀ ଜାତିରେ ସୁରମା ପରି ରାକ୍ଷସୀର ଜନ୍ମ, ସେହି ନାରୀ ଜାତିରେ ଏପରି ଦୟାବତୀ, ଏପରି ନିଃସ୍ୱାର୍ଥପର ସ୍ନେହମୟୀ ଦେବୀର ପୁଣି ସମ୍ଭବ ହେଲା କିପରି ?

 

ଦେବେନ୍ଦ୍ରଙ୍କ ଅନୁରୋଧରେ ପ୍ରକାଶ କର୍ମସ୍ଥଳକୁ ଫେରିଗଲେ । କିନ୍ତୁ ରାଜକୁମାରୀଙ୍କ ଅନୁରୋଧରେ ପୂର୍ଣ୍ଣ ସ୍ୱାସ୍ଥ୍ୟ ଫେରି ଆସିବା ପର୍ଯ୍ୟନ୍ତ ଦେବେନ୍ଦ୍ରକିଶୋର ରାଜକୁମାରୀଙ୍କ ଘରେ ଅବସ୍ଥାନ କଲେ ।

 

ଡାଃ ଜନ୍‌ଙ୍କର ଅସାଧାରଣ ଦକ୍ଷତା ଫଳରେ ଦେବେନ୍ଦ୍ର ଓ ସୁରମାଙ୍କ ସ୍ୱାସ୍ଥ୍ୟରେ ଅପୂର୍ବ ପରିବର୍ତ୍ତନ ଆସିଗଲାଣି ।

 

ରାଜକୁମାରୀଙ୍କ ଅନୁରୋଧରେ ଦେବେନ୍ଦ୍ର ତାଙ୍କର ସଯତ୍ନ ବର୍ଦ୍ଧିତ ଦାଢ଼ି କର୍ତ୍ତନ କରିଅଛନ୍ତି । ଏସବୁ ଅବଶ୍ୟ ଦେବେନ୍ଦ୍ରଙ୍କୁ ଅସ୍ୱସ୍ତିକର ବୋଧ ହେଉଚି ତଥାପି ଜୀବନଦାତ୍ରୀଙ୍କର ମନରେ ଆଘାତ ଆସିବ ବୋଲି, ସେ ପଦେ ମାତ୍ର ପ୍ରତିବାଦ ନ କରି ସୁନା ପିଲା ପରି ଆଦେଶ ପାଳନ କରି ଅଛନ୍ତି । ତେବେ ବି ତାଙ୍କର ସ୍ୱାଭାବିକ ଜୀବନ ଧାରଣର ସମସ୍ତ ସାମଗ୍ରୀ ପାଇ ଦୀର୍ଘ ଦୁଇ ବର୍ଷ ପରେ ଦେବେନ୍ଦ୍ରକିଶୋର ଆଜି ଯେପରି ନିଜକୁ ନିଜେ ଫେରି ପାଇଚନ୍ତି ।

 

ବେଳ ଚାରିଟା । ସୁରମାଦେବୀ ଓ ଦେବେନ୍ଦ୍ର ବସିଚନ୍ତି ସୁରମାଙ୍କ ବୈଠକଖାନାରେ । ଦାସ, ଦାସୀମାନେ ନିଜ ନିଜ କାମରେ ବ୍ୟସ୍ତ ।

 

କୃତଜ୍ଞତାଭରା ସ୍ୱରରେ ଦେବେନ୍ଦ୍ର କହିଲେ–ଆପଣ ମୋ ସକାଶେ ଯେଉଁ ଅସାଧାରଣ ତ୍ୟାଗ କଲେ, ସେଥିପାଇଁ ଚିରଦିନ ମୁଁ ଆପଣଙ୍କ ପାଖରେ ଋଣୀ ରହିବି ରାଜକୁମାରୀ ।

 

କଟାକ୍ଷହାଣି ସୁରମା କହିଲେ, ତେବେ ସେ ଋଣ ଶୁଝିବାପାଇଁ କ’ଣ ଆପଣଙ୍କର କିଛି ଉପାୟ ନାହିଁ ?

 

ସେପରି ଯଦି କିଛି ଉପାୟ ଥାଏ, ମୁଁ ବଡ଼ ବାଧିତ ହୁଅନ୍ତି ।

 

ରାଜକୁମାରୀଙ୍କ ବ୍ୟବହାରରେ ଦେବେନ୍ଦ୍ର ଯେ ଆକୃଷ୍ଟ ନୁହଁନ୍ତି, ଏକଥା କହିଲେ ସତ୍ୟକୁ ଟାଳି ଦିଆହେବ । ତଥାପି ସେ ଚରିତ୍ରବାନ ! ସେ ନିଷ୍ଠାପର । ସେ ଦୃଢ଼ ପ୍ରତିଜ୍ଞା ! ! ଯୌବନର ପ୍ରାରମ୍ଭ କାଳରୁ ଯୌବନ ସୁଲଭ ଉନ୍ମଦାନାରେ ଅଥବା ସାଙ୍ଗସାଥୀମାନଙ୍କ ପ୍ରରୋଚନାରେ କେବେ ହେଲେ ତାଙ୍କର ସ୍ଖଳନ ହୋଇନି । ଦେବେନ୍ଦ୍ର ସିଗ୍ନ୍‍ଧ ହସି ମୃଦୁ ମଧୁର ସ୍ୱରରେ ପୁଣି କହିଲେ; ଆପଣ ମୋ ସକାଶେ ଯେଉଁ ତ୍ୟାଗ କରିଚନ୍ତି ତାର ଯଦି କୌଣସି ପ୍ରକାର ପ୍ରତିଦାନ କରାଯାଇପାରେ ମୁଁ ବଡ଼ କୃତାର୍ଥ ହୁଅନ୍ତି ରାଜକୁମାରୀ ।

 

‘ପ୍ରତିଦାନ’ ବାଃ ସୁନ୍ଦର ତମର ଭାଷା । ତମପରି କବି ନ ହେଲେ ଏପରି ସୁନ୍ଦର ଭାବରେ ଭାବ ବ୍ୟକ୍ତି କରିବ କିଏ ? ଚଞ୍ଚଳ ଚାହାଣୀରେ ଚାହିଁ, ମୁଖଭଙ୍ଗୀ କରି, ଭୃଲତା ନଚାଇ ସୁରମା ଟିକେ ହସିଦେଲେ ।

 

ଦେବେନ୍ଦ୍ର ଆଶ୍ଚର୍ଯ୍ୟ ହେଲାପରି କହିଲେ–କବି ! କବି କିଏ ରାଜକୁମାରୀ ?

 

ସୁରମା ମୃଦୁ ହସି କହିଲେ–ତରୁଣ କବି ଶ୍ରୀମାନ ଦେବେନ୍ଦ୍ରକିଶୋର; ସ୍ୱୟଂ ମୋର ପାଖରେ–ଅତି ପାଖରେ ।

 

ଦେବେନ୍ଦ୍ରଙ୍କ ହୃଦୟରେ ବିଦ୍ୟୁତ ଖେଳିଗଲା । ସେ ବିସ୍ମିତ ସ୍ୱରରେ କହିଲେ–କାହାକୁ ଆପଣ ଦେବେନ୍ଦ୍ର କହୁଚନ୍ତି ରାଜକୁମାରୀ ?

 

ସ୍ୱୟଂ ଦେବେନ୍ଦ୍ର କିଶୋରଙ୍କୁ । ସୁରମା ହସିଲେ ।

 

ବିସ୍ମିତ ଦେବେନ୍ଦ୍ର କହିଲେ–ମାନେ ?

 

ସୁରମା ଦେବେନ୍ଦ୍ରଙ୍କର ଆହୁରି ପାଖକୁ ଲାଗି ଆସି କହିଲେ, ଏଥିରେ ପୁଣି ମାନେ ବୁଝାଇବାକୁ ହେବ । ଦେବେନ୍ଦ୍ର ଯଦି କହନ୍ତି, ମୁଁ ବିଜୟକୁମାର ଏଥିପାଇଁ ଦାୟୀ କିଏ ? ସୁରମା ଗୋଟିଏ ହାତ ଆଣି ଦେବେନ୍ଦ୍ରଙ୍କ କାନ୍ଧରେ ରଖିଲେ । ସୁରମା ଦେବେନ୍ଦ୍ରଙ୍କର ପୃଷ୍ଠ ବେଷ୍ଟନକରି କହିଲେ ଦେବେନ୍ଦ୍ର କିଏ ? ମାନେ ? ଖୁବ୍‌ତ ଅଭିନୟ ତୁମେ ଜାଣ ।

 

ସୁରମାଙ୍କ ବାହୁପାଶରୁ ମୁକୁଳି, ଟିକିଏ ଘୁଞ୍ଚିଯାଇ ଦେବେନ୍ଦ୍ର କହିଲେ, ଆପଣ ମୋତେ ଭୁଲ୍‍ ବୁଝିଚନ୍ତି ରାଜକୁମାରୀ ! କ୍ଷମାକରିବେ, କହି ପାରିବେକି, ଆପଣଙ୍କର ଏ ଭ୍ରମ ଧାରଣା ଜନ୍ମିଲା କିପରି ?

 

ସୁରମା ଦେବେନ୍ଦ୍ରଙ୍କର ଆହୁରି ପାଖକୁ ଲାଗିଆସି, ତାଙ୍କର ଗୋଟିଏ ପାପୁଲି ଆଣି ନିଜ କୋଳରେ ରଖି ଆଉଁସୁ ଆଉଁସୁ କହିଲେ, ତମେ କ’ଣ ଏଇପରି ମୋତେ ଭୁଲାଇଦେବ ?

 

ସୁରମାଙ୍କ ପରଶରେ ଦେବେନ୍ଦ୍ରଙ୍କ ହୃଦୟରେ ବିଦ୍ୟୁତ୍‌ ରଶ୍ମି ଖେଳିଗଲା । ସେ କିନ୍ତୁ ବହୁକଷ୍ଟରେ ନିଜକୁ ନିଜେ ସମ୍ଭାଳି ନେଲେ ।

 

ଦେବେନ୍ଦ୍ର କହିଲେ–ଆପଣଙ୍କର ଏପରି ଭ୍ରମ ଧାରଣାର ହେତୁ ?

 

ଭ୍ରମଧାରଣା ନୁହେଁ । ସଠିକ ପ୍ରମାଣ । ତା’ପୁଣି ଆପଣଙ୍କଠାରୁ ।

 

ଦେବେନ୍ଦ୍ର ଚମକି ପଡ଼ିଲେ–ମୋ’ଠାରୁ ?

 

ହଁ, ଆପଣଙ୍କଠାରୁ । ଆପଣଙ୍କ ପ୍ରଳାପ ଭିତରୁ । ମୃଦୁ ହସି ସୁରମା କହିଲେ ।

 

ଦେବେନ୍ଦ୍ର ଟିକେ ଇତସ୍ତତଃ ହୋଇ କହିଲେ–ପ୍ରଳାପ, ପ୍ରଳାପକୁ କଣ ଆପଣ ସତ ମନେ କରିଚନ୍ତି ?

 

ପ୍ରଳାପ ? ପ୍ରଳାପ ନୁହେଁ ସେ ଆପଣଙ୍କର ଅନ୍ତରର ବାଣୀ । ସୁରମା ଦେବେନ୍ଦ୍ରଙ୍କର ଖୁବ୍‌ ପାଖକୁ ଲାଗିଆସି, ତାଙ୍କର ଦୁଇ ନବନୀତ କୋମଳ ବାହୁଲତାରେ ଦେବେନ୍ଦ୍ରଙ୍କୁ ଆଲିଙ୍ଗନ କଲେ ।

 

ଘୁଞ୍ଚିଆସି ଦୀପ୍ତ ସ୍ୱରରେ ଦେବେନ୍ଦ୍ର କହିଲେ–ଛି, ରାଜକୁମାରୀ ଆପଣ ଏ କ’ଣ କରିବାକୁ ଯାଉଚନ୍ତି ? ଆପଣ କାହା ସହିତ ଏପରି ବ୍ୟବହାର କରିବାକୁ ଯାଉଚନ୍ତି ? ମନେ ରଖନ୍ତୁ, ଆପଣ ରାଜକୁମାରୀ, ମୁଁ ଆପଣଙ୍କର ଜଣେ ଚାକର ସହିତ ସୁଦ୍ଧା ସମାନ ନୁହେଁ । ଆପଣଙ୍କର ଗୋଡ଼ ନଖକୁ ସୁଦ୍ଧା ମୁଁ ଯୋଗ୍ୟ ନୁହେଁ । ମୋର ପ୍ରାର୍ଥନା, ମୋର ଅନ୍ତରର ପ୍ରାର୍ଥନା ରଜକୁମାରୀ ! ଆପଣ ଏଥିରୁ କ୍ଷାନ୍ତ ହୁଅନ୍ତୁ । ଆପଣ ନରକର କବଳରୁ ନିଜକୁ ରକ୍ଷା କରନ୍ତୁ । ଆପଣ ମୋର ଜୀବନ ରକ୍ଷା କରିଚନ୍ତି । ଆପଣ ନିଜର ଅମୂଲ୍ୟ ଜୀବନକୁ ତୁଚ୍ଛ ମନେ କରି, ମୋ ପରି ଜଣେ ଇତର ଲୋକ ପାଇଁ ଆପଣଙ୍କ ଧମନୀର ରାଜରକ୍ତ ଦେଇଚନ୍ତି । ସେ ମୋର ବଡ଼ ସୌଭାଗ୍ୟ ରାଜକୁମାରୀ । ତାର ବିନିମୟରେ ଆପଣଙ୍କର ଯଦି ନରପିତ ଆବଶ୍ୟକ ହୁଏ, ତା’ ଆନନ୍ଦର ସହିତ ପ୍ରଦାନ କରି ମୁଁ ମୋର ଋଣଭାର ଲାଘବ କରିବା ପାଇଁ ପ୍ରସ୍ତୁତ ଅଛି ରାଜକୁମାରୀ-। କେବଳ ଏତିକି ମୋର ଅନୁରୋଧ, ଏତିକି ପ୍ରାର୍ଥନା ମୋର । ଦେବେନ୍ଦ୍ର ଉଠିଯାଇ ରାଜକୁମାରୀଙ୍କ ପାଦ ଧରିବାପାଇଁ ଉଦ୍ୟତ ହେଲେ ।

 

ହଠାତ୍‌ ସୁରମା ବାଧାଦେଇ ଘୁଞ୍ଚି ଆସିଲେ । ଭାବବିଭୋର ଦେବେନ୍ଦ୍ର କହିଲେ–କାହିଁକି ମୋତେ ବାଧା ଦେଉଚନ୍ତି ରାଜକୁମାରୀ ଏଇ ପଦତଳେ ମୁଁ ଚିରଦିନ କିଣା !! ତଥାପି–ତଥାପି ମୋର ଅନୁରୋଧ ରାଜକୁମାରୀ । ଆପଣ ମୋତେ ପ୍ରେମିକ ଭାବରେ ଗ୍ରହଣ ନ କରି ଦାସ ଭାବରେ ଗ୍ରହଣ କରନ୍ତୁ । ଆପଣଙ୍କ ପାଶେ ରହି ଚିରଦିନ ମୁଁ ଆପଣଙ୍କ ପଦ ସେବା କରିବାକୁ ପ୍ରସ୍ତୁତ ଅଛି ରାଜକୁମାରୀ । ଆଜିଠାରୁ ମୋ ଜୀବନର ସମସ୍ତ କାମନା-ବାସନା ତ୍ୟାଗ କଲି । ଆଜିଠାରୁ ଆପଣଙ୍କ ପାଖେ ପାଖେ ରହି ଆପଣଙ୍କର ଆଦେଶ ପାଳନ କରିବା ହେଲା ମୋର ବ୍ରତ-!

 

ଏକ ପୁଲକର ହାସ୍ୟ–ତରଙ୍ଗ ସୁରମାଙ୍କ ମୁଖମଣ୍ଡଳରେ ଖେଳିଗଲା । ସେ କହିଲେ, ତେବେ ଦେବେନ୍ଦ୍ର ବାବୁ ! ମୋର ଆଦେଶ ଆଜିଠାରୁ ଆପଣ ଗ୍ରହଣ କରନ୍ତୁ, ଦାସୀ ଭାବରେ ମୋତେ ଆପଣ ପଦତଳେ ସ୍ଥାନ ଦିଅନ୍ତୁ । ହଠାତ୍‌ ସୁରମା ଦେବେନ୍ଦ୍ରଙ୍କର ପାଦ ଦୁଇଟି ଧରି ପକାଇଲେ । ଅତି କୋମଳ ଅଥଚ କରୁଣ ସ୍ୱରରେ କହିଲେ–ପ୍ରିୟମୋର, ଦେବତା ମୋର, ମୋତେ କ୍ଷମା କରନ୍ତୁ !

 

ଛି, ଛି, ରାଜକୁମାରୀ ! ଏ କ’ଣ କରୁଚନ୍ତି ? ମୁଁ ଆପଣଙ୍କୁ ବାରଂବାର ଅନୁରୋଧ କରୁଚି, ମରିଚିକା ପଛରେ ଗୋଡ଼ାଇ ଆପଣ ଫଳ କିଛି ପାଇବେନି ।

 

ସୁରମା ଦୃପ୍ତ ସ୍ୱରରେ କହିଲେ ମରିଚିକା ! ଆପଣ ଏହାକୁ ମୋର ଅନୁରୋଧ କହନ୍ତୁ ବା ଆଦେଶ କହନ୍ତୁ ମୋତେ ଆପଣ ବିବାହ କରିବାକୁ ହେବ ନିଶ୍ଚୟ ।

ରାଜକୁମାରୀଙ୍କ ମନ ବିଡ଼ିବାକୁ ଦେବେନ୍ଦ୍ର କହିଲେ ବିବାହ, କିପରି ? ଜଣେ ରାଜକୁମାରୀଙ୍କ ସହିତ ଜଣେ ଇତର ଲୋକ ବିବାହ ଅସମ୍ଭବ !

ସୁରମା ହସି ହସି କହିଲେ ନିଶ୍ଚୟ ସମ୍ଭବ ।

ତେବେ ମୋ ପ୍ରସ୍ତାବରେ ଆପଣ ରାଜି ହେବେ ? ମୋର କେତୋଟି ସର୍ତ୍ତ ଅଛି ।

କ’ଣ ଆପଣଙ୍କର ସର୍ତ୍ତ ?

ମୋର ସର୍ତ୍ତ, ଆପଣଙ୍କର ସମସ୍ତ ସମ୍ପତ୍ତିରୁ ଆପଣ ବଞ୍ଚିତ ହେବେ । ଆପଣଙ୍କର ସ୍ୱାଧୀନତା ମୋ ପାଖରେ ବିସର୍ଜନ ଦେବାକୁ ହେବ । ପାରିବେ ? ଦୃଢ଼ ସ୍ୱରରେ ଦେବେନ୍ଦ୍ର କହିସାରି ରାଜକୁମାରୀଙ୍କ ମୁଖଭଙ୍ଗି ଲକ୍ଷ୍ୟକଲେ ।

ଅବିଚଳିତ ସ୍ୱରରେ ମୃଦୁ ହସି ସୁରମା କହିଲେ, ଆଉ କିଛି ନା ଏତିକି ?

କେଳ ଏତିକି, ଭାବିଚିନ୍ତି ଆପଣ ଏହାର ଉତ୍ତର ଦିଅନ୍ତୁ ।

ହସି ହସି ସୁରମା କହିଲେ ଏ ତ ଅତି ସାଧାରଣ କଥା । ଆତ୍ମୋତ୍ସର୍ଗ ପରେ ଧନ, ସମ୍ପତ୍ତିର ଆଦାନ ପ୍ରଦାନ ଅତି ତୁଚ୍ଛ କଥା !

ଅତି ତୁଚ୍ଛ କଥା ! ଦେବେନ୍ଦ୍ରଙ୍କର ମନେ ହେଲା, ଏ କ’ଣ ମାନବୀ ନା ଦେବୀ ? ଏପରି ଆତ୍ମୋତ୍ସର୍ଗ ! ଏପରି ସ୍ୱର୍ଗୀୟ ପ୍ରେମ କ’ଣ ଜଗତରେ ସମ୍ଭବ । ଯେଉଁ ନାରୀ ସ୍ୱାର୍ଥର ବଶବର୍ତ୍ତୀ ହୋଇ ନିଜର ସ୍ୱାମୀକୁ ଚାକରଦ୍ୱାରା ଅପମାନିତ କରି ଘରୁ ତଡ଼ି ଦେଇପାରେ, ସେହି ନାରୀ ସୁଣି ସର୍ବସ୍ୱ ଦେଇ ନିଜ ଧମନୀର ରକ୍ତ ଦେଇ ଅନ୍ୟ ଜଣକୁ ଭଲପାଏ କିପରି ? ଧନ୍ୟ ଜଗତ । ଏଇଠି କେବଳ ସ୍ୱର୍ଗ, ମର୍ତ୍ତ୍ୟର ତଫାତ୍‌ ! ଏଇଠି କେବଳ ଦେବତା ଓ ରାକ୍ଷସୀର ପ୍ରଭେଦ । ମୁହ୍ୟମାନ ଦେବେନ୍ଦ୍ରଙ୍କ ମୁହଁରୁ ବାହାରି ପଡ଼ିଲା, ଦେବୀ ଆଉ ରାକ୍ଷସୀ ।

ସୁରମା ମୃଦୁ ହସି କହିଲେ–କିଏ ଦେବୀ, ଆଉ କିଏ ରାକ୍ଷସୀ ଦେବେନ୍ଦ୍ରବାବୁ ।

ମୁହ୍ୟମାନ ଦେବେନ୍ଦ୍ର କହିଲେ–ଆପଣ ଦେବୀ ଆଉ ରାକ୍ଷସୀ–

ତାଙ୍କ ମୁହଁରୁ କଥା ଛଡ଼ାଇ ନେଇ ସୁରମା ହଠାତ୍‌ କହିଦେଲେ ଆଉ ରାକ୍ଷସୀ ସୁରମା । କିଛି ସମୟ ପାଇଁ ମୋତେ ମାର୍ଜନା କରିବେ, ମୁଁ ଟିକେ ଭିତରୁ ଆସେ ।

କିଛିକ୍ଷଣ ପରେ ହାରମୋନିୟମର ମଧୁର ସ୍ୱର ସହିତ ବାଜି ଉଠିଲା ସୁରମାଙ୍କର ସ୍ୱର ଝଙ୍କାର–।

ବସନ୍ତର ଚମ୍ପକ ରାଗେ ।

ମିଳନର ବୀଣାଟି ଗୋ,

ପୁଷ୍ପିତ ସୁରେ ସୁରେ

ବାଜିଉଠେ ମଞ୍ଜୁବେହାଗେ ।୧ ।

 

ଜୀବନର ମରୁ-ପଥେ

ପିପାସିତ ପ୍ରାଣେ ଆଜି

ଭେଟିଚି ଭେଟିଚି ପ୍ରିୟ !

ଭେଟିଚି ହେ ତବ ସାଥେ ।୨ ।

 

ଯୌବନର କେଳି କୁଞ୍ଚେ ।

ଭେଟ ପଡ଼ିଚ ହେ ପ୍ରିୟ !

ପ୍ରୀତି ପିୟାସା ପ୍ରାଣେ

ଛାଡ଼ିକି ପାରଇ ମୁଁ ଯେ ।୩ ।

 

ହାରମୋନିୟମ ସହିତ ସୁରମାଙ୍କର ସ୍ୱର-ଲହରୀ ସ୍ତବ୍‌ଧ ହୋଇଗଲା । କିନ୍ତୁ ଦେବେନ୍ଦ୍ରଙ୍କର ପ୍ରାଣରେ ଏକ ଅପୂର୍ବ ସ୍ପନ୍ଦନ ଖେଳିଗଲା । ତାଙ୍କର ମନ ହେଲା, ଯେଉଁ ରାଜକୁମାରୀ ଓଡ଼ିଆ ଭାଷାର ମାତ୍ରା ସୁଦ୍ଧା ବୁଝନ୍ତିନି, ତାଙ୍କରି ସ୍ୱରରେ ଆଜି ଓଡ଼ିଆ ଗୀତର ଛନ୍ଦେ ଛନ୍ଦେ ଫୁଟି ଉଠିଛି । ମୋ ଜୀବନର ଗୋପନ କାହାଣୀ ! ଅବିକଳ ସୁରମାଙ୍କ ସ୍ୱର ଝଙ୍କାର ଆଜି ଦେବେନ୍ଦ୍ରଙ୍କୁ ବିସ୍ମିତ କରି ଦେଲା । ଦେବେନ୍ଦ୍ର ଭାବିଲେ ତେବେ ରାଜକୁମାରୀ କଣ ମୋ ପ୍ରାଣର–

 

ତାଙ୍କ ଭାବନାରେ ବାଧାଦେଇ ହସି ହସି ସୁରମା ଆସିଲେ । ହାତରେ ଗୋଟିଏ କାଗଜ-। ଦେବେନ୍ଦ୍ରଙ୍କ ହାତକୁ ବଢ଼ାଇ ଦେଲେ । ଖାଣ୍ଟି ଓଡ଼ିଆରେ କହିଲେ, ଏଥର ମୋତେ ଗ୍ରହଣ କରିବା ନ କରିବା ସଂପୂର୍ଣ୍ଣ ଆପଣଙ୍କ ଇଚ୍ଛା ଉପରେ ନିର୍ଭର କରେ । ମୁଁ କିନ୍ତୁ ମୋ ଦାୟିତ୍ୱରୁ ମୁକ୍ତି ପାଇଚି-

 

ଦେବେନ୍ଦ୍ର କାଗଜଖଣ୍ଡି ଖୋଲି ଦେଖିଲେ, ତାହା ଗୋଟିଏ ‘ନରମପତ୍ର ।’ ଦେବେନ୍ଦ୍ର ଏକ ନିଶ୍ୱାସରେ ପଢ଼ିଗଲେ । ସେଥିରେ ଏହି ସର୍ତ୍ତ ଅଛି । ସମସ୍ତ ସମ୍ପତ୍ତି ଦେବେନ୍ଦ୍ର କିଶୋରଙ୍କର । ଦେବେନ୍ଦ୍ର ତାଙ୍କ ଇଚ୍ଛା ଅନୁସାରେ ସମ୍ପତ୍ତି ଯାହା ଇଚ୍ଛା, ତା’କରି ଦେଇ ପାରନ୍ତି । ସୁରମାଦେବୀଙ୍କର ସ୍ୱାଧୀନତା ଦେବେନ୍ଦ୍ରଙ୍କର ଇଚ୍ଛାଧୀନ । ଏ ସମ୍ପତ୍ତିରେ ସୁରମାଙ୍କର କୌଣସି ଅଧିକାର ନାହିଁ କିମ୍ୱା ନ ରହିଲା । ଏତିକି ପଢ଼ିସାରି ଦେବେନ୍ଦ୍ରଙ୍କ ହୃଦୟରେ ଏକ ବିଦ୍ୟୁତ ଶିହରଣ ଖେଳିଗଲା । ସେ କିଛିକ୍ଷଣ ନିସ୍ପନ୍ଦ ହୋଇଗଲେ, ସେ ଚାହିଁ ଦେଖିଲେ ଆଗରେ ତାଙ୍କର ମହିୟସୀ ପତ୍ନୀ, ଅତୁଳ ସ୍ନେହମୟୀ ସୁରମା ଦଣ୍ଡାୟମାନା । ସେ ହଠାତ୍‌ ଉଠିଆସି ସୁରମାଙ୍କୁ କୁଣ୍ଢାଇ ପକାଇ ପ୍ରାଣର ଆବେଗରେ କହିଲେ ରାଜକୁମାରୀ ! ରାଜକୁମାରୀ ! ତମେ ମୋର ପ୍ରାଣର ରାଜକୁମାରୀ । ସୁରମା ପରିବର୍ତ୍ତେ ତମେ ଚିରଦିନ ମୋ ପାଖରେ ରାଜକୁମାରୀ ରହିଗଲ । ମୁଁ ଆଜିଠାରୁ ତମକୁ ଡାକିବି ରାଜକୁମାରୀ ।

 

ଦୁହିଙ୍କ ବାହୁପାଶରେ ଦୁହେଁ ଆବଦ୍ଧ । ଦୁହିଁଙ୍କ ଆଖିରୁ ଅବିଶ୍ରାନ୍ତ ଅଶ୍ରୁଧାରା ଝୁରୁଚି !

Image